ଭୁବନେଶ୍ୱର : ଓଡ଼ିଶାର ୧୫ଟି ଜିଲ୍ଲା ସମାଗ୍ରିକ ବିକାଶ ଦୃଷ୍ଟିରୁ ପଛୁଆ ଓ ଅତି ପଛୁଆ ସ୍ଥିତିରେ ଥିବାବେଳେ ୯ଟି ଜିଲ୍ଲା ବିକାଶମୁଖୀ । ଏ ପରିପ୍ରେକ୍ଷୀରେ ରାଜ୍ୟର ମୋଟ ୩୦ ଜିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭିଜନ- ୨୦୨୨ରେ ମାତ୍ର ୮ଟି ଜିଲ୍ଲାକୁ ସାମିଲ କରାଯାଇଛି। ଓଡ଼ିିଶା ଦେଶର ସବୁଠାରୁ ଅନଗ୍ରସର ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ରଘୁରାମ ରାଜନ କମିଟି ଚିହ୍ନଟ କରିଥିବା ପରିପ୍ରେକ୍ଷୀରେ ଅତିକମ୍ରେ ରାଜ୍ୟର ୨୦ ଜିଲ୍ଲାକୁ ଏହି ଯୋଜନାରେ ସାମିଲ ପାଇଁ ମତପ୍ରକାଶ ପାଉଛି।
କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସମଗ୍ର ଦେଶର ଜିଲ୍ଲା ଗୁଡିକ ମଧ୍ୟରୁ ୧୧୫ଟିକୁ ପଛୁଆ ଭାବେ ଚିହ୍ନଟ କରି ଏଗୁଡିକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ଓଡିଶାର ମାତ୍ର ୮ଟି ଜିଲ୍ଲା -କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ମାଲକାନଗିରି, ବଲାଙ୍ଗିର ଓ ଢେଙ୍କାନାଳ ସ୍ଥାନ ପାଇଛି । ଯୋଜନା ବିଶାରଦମାନେ କହୁଛନ୍ତି ଯେ ନବରଙ୍ଗପୁର, ଦେବଗଡ, ନୂଆପଡା, ମୟୂରଭଞ୍ଜ, ବୌଦ୍ଧ, କେନ୍ଦୁଝର, ସୋନପୁର, ସୁନ୍ଦରଗଡ ଆଦି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରାଯିବା ଆବଶ୍ୟକ ।
ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଓଡିଶାର ୧୪ଟି ଜିଲ୍ଲା କୃଷି କ୍ଷେତ୍ରରେ ପଛୁଆ ଥିବାବେଳେ ଆର୍ଥକ ବିକାଶ ଦୃଷ୍ଟିରୁ ୧୩ଟି, ଶିଳ୍ପ ଦୃଷ୍ଟିରୁ ୧୫ଟି, ଭିିତ୍ତିଭୂମି ଦୃଷ୍ଟିରୁ ୧୪ଟି, ପଛୁଆଶ୍ରେଣୀଙ୍କ ବିକାଶ କ୍ଷେତ୍ରରେ ୧୫ଟି ଓ ମାନବସମ୍ବଳ ବିକାଶ କ୍ଷେତ୍ରରେ ୧୪ଟି ଜିଲ୍ଲା ପଛୁଆ । ରାଜ୍ୟ ସରକାର ବସାଇଥିବା ଆଞ୍ଚଳିକ ବୈଷମ୍ୟ କମିସନ ଏହି ବର୍ଗରେ ରାଜ୍ୟର ପଛୁଆ ଜିଲ୍ଲା ଗୁଡିକୁ ଚିହ୍ନଟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ରାଜ୍ୟର ସାମଗ୍ରିକ ବିକାଶଲାଗି ନିରନ୍ତର ଉଦ୍ୟମ ଜାରି ରହିଥିବାବେଳେ କେନ୍ଦ୍ର ସରକାର ଓଡିଶା ସହ ଆଲୋଚନା ନକରି ନିଜଆଡୁ ୮ଟି ଜିଲ୍ଲା ଚିହ୍ନଟ ସହିତ ଏଥିଲାଗି ପ୍ରଭାରୀ ଅଫିସର ମଧ୍ୟ ବ୍ୟବସ୍ଥା କରୁଛନ୍ତି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବେଳେ ପ୍ରତି ଜିଲ୍ଲା ଦାୟିତ୍ୱରେ ବରିଷ୍ଠ ଆଇଏଏସ୍ମାନଙ୍କୁ ରଖାଯାଇଛି । କେନ୍ଦ୍ର ସରକାର ରାଜ୍ୟର ଏହି ବ୍ୟବସ୍ଥାକୁ ଅଣଦେଖା କରି ନିଜ ମନ ପସନ୍ଦର ପ୍ରଭାରୀ ଆଇଏଏସ୍ ଅଫିସର ମୁତୟନ କଲେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟିହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Orissa_map2.jpg)