୨୦ ବ୍ୟାଙ୍କ ପାଇବେ ୮୮ ହଜାର କୋଟି

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିିତିରେ ସୁଧାର ଆଣିବା ପାଇଁ ସେମାନଙ୍କୁ ୮୮, ୧୩୯ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ। ଚଳିତ ବର୍ଷ ମାର୍ଚ ସୁଦ୍ଧା ୨୦ଟି ବ୍ୟାଙ୍କକୁ ଏହି ଟଙ୍କା ପ୍ରଦାନ କରାଯିବ। ସେଥି ମଧ୍ୟରୁ ଆଇଡିବିଆଇ ବ୍ୟାଙ୍କ ସର୍ବାଧିକ ୧୦,୬୧୦ କୋଟି ଟଙ୍କା ପାଇବ। ବ୍ୟାଙ୍କଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ଗତବର୍ଷ ଅକ୍ଟୋବରରେ ସରକାର ଘୋଷଣା କରିଥିଲେ। ସେଥି ଯୋଜନାର ଏକ ଅଂଶ ହେଉଛି ଆଜିର ଘୋଷଣା। ତେବେ ବ୍ୟାଙ୍କଗୁଡ଼ିକୁ ଏତେ ସହଜରେ ଏହି ପାଣ୍ଠି ଦିଆଯିବ ନାହିଁ। ପାଣ୍ଠି ପାଇବାକୁ ହେଲେ ବ୍ୟାଙ୍କଗୁଡ଼ିକୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ପଡ଼ିବ। ନିୟମିତ ଭାବେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଉପରେ ସରକାର ନଜର ରଖିବେ। ପାଣ୍ଠି ଦେବା ପୂର୍ବରୁ ସେମାନଙ୍କର ଯଥାର୍ଥ ଆକଳନ କରାଯିବ। ଋଣ ରାଶି ମଞ୍ଜୁର ହେବା ପରେ ତାହା ଉପରେ ନଜର ରଖାଯିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ‘ବାର୍ଷିକ ରିପୋର୍ଟ କାର୍ଡ’ ଜାରି କରାଯିବ। ଖ୍ୟାତନାମା ଏଜେନ୍ସିଗୁଡ଼ିକ ଦ୍ୱାରା ସର୍ଭେ କରାଯାଇ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ। ପ୍ରତି ବ୍ୟାଙ୍କକୁ ର‍୍ୟାଙ୍କ ପ୍ରଦାନ କରାଯିବ। ପ୍ରତିବର୍ଷ ସେହି ର‍୍ୟାଙ୍କିଙ୍ଗ୍‌କୁ ସାର୍ବଜନୀନ କରାଯିବ। ବ୍ୟାଙ୍କଗୁଡ଼ିକୁ ଦାୟିତ୍ୱବାନ ଭାବେ ଋଣ ଦେବାକୁ ହେବ। କୌଣସି କନ୍‌ସୋର୍ଟିୟମ୍‌ରେ ଭାଗ ନେଇ ବନ କର୍ପୋରେଟ୍‌ ସଂସ୍ଥାକୁ ଋଣ ଦେବା ବେଳେ ଅତିକମରେ ଗୋଟିଏ ବ୍ୟାଙ୍କକୁ ୧୦% ଋଣ ରାଶି ଦେବାକୁ ପଡ଼ିବ। କନ୍‌ସୋର୍ଟିୟମ୍‌ ହେଉଛି କିଛି ବ୍ୟାଙ୍କ ମିଳିତ ହୋଇ ଏକ କଂପାନିକୁ ବିପୁଳ ପରିମାଣର ଋଣ ଦେଇଥାନ୍ତି। ସେଥିରେ ପ୍ରତି ବ୍ୟାଙ୍କର କିଛି କିଛି ଅବଦାନ ରହିଥାଏ ଏବଂ ଗୋଟିଏ ବ୍ୟାଙ୍କ ଏହାର ନେତୃତ୍ୱ ନେଇଥାଏ। କେବଳ ସେତିକି ନୁହେଁ, ୨୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯେତେ ସବୁ ଋଣ ବ୍ୟାଙ୍କ ପ୍ରଦାନ କରିବେ ତାହା ଉପରେ ସରକାର ସ୍ୱତନ୍ତ୍ର ନଜର ରଖିବେ। ଏଭଳି ବଡ଼ ଧରଣର ଋଣ ଉପରେ ନଜର ରଖିବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରିବେ। ଲୋକମାନଙ୍କୁ ସହଜରେ ଖାତା ଖୋଲିବା ସେବା ଏବଂ ଡୋର ଷ୍ଟେପ୍‌ ବ୍ୟାଙ୍କ୍‌ ସେବା ଯୋଗାଇ ଦେବା ପାଇଁ ପ୍ରତିଟି ସରକାରୀ ବ୍ୟାଙ୍କକୁ ମୋବାଇଲ୍‌ ଆପ୍‌ ଆଣିବାକୁ ପଡ଼ିବ।

କେଉଁ ବ୍ୟାଙ୍କକୁ କେତେ ମିଳିବ
ବ୍ୟାଙ୍କ ନାମ କୋଟି ଟଙ୍କା
ଆଇଡିବିଆଇ ବ୍ୟାଙ୍କ ୧୦,୬୧୦
ଏସ୍‌ବିଆଇ ୮୮୦୦
ପିଏନ୍‌ବି ୫୪୭୦
ବିଓବି ୫୩୭୫
ବିଓଆଇ ୯୨୩୨
ୟୁକୋ ବ୍ୟାଙ୍କ ୬୫୦୭
ସେଣ୍ଟ୍ରାଲ୍‌ ବ୍ୟାଙ୍କ ୫୧୫୮
ଆଇଓବି ୪୬୯୪
କାନାରା ବ୍ୟାଙ୍କ ୪୮୬୫
ୟୁନିଅନ୍‌ ବ୍ୟାଙ୍କ ୪୫୨୪
ଓବିସି ୩୫୭୧
ଦେନା ବ୍ୟାଙ୍କ ୩୦୪୫
ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ୩୧୭୩
ୟୁନାଇଟେଡ୍‌ ବ୍ୟାଙ୍କ ୨୬୩୪
କର୍ପୋରେସନ୍‌ ବ୍ୟାଙ୍କ ୨୧୮୭

ସମ୍ବନ୍ଧିତ ଖବର