ଅଗଷ୍ଟରୁ ଶସ୍ତା ହେବ କାର ଓ ବାଇକ ଦର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଜୁଲାଇ ମାସ ଶେଷ ହୋଇଆସୁଥିବାବେଳେ ଆଉ ମାତ୍ର ତିନିଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବ । ଅଗଷ୍ଟ ମାସରୁ ଦେଶରେ କାର ଓ ବାଇକ କିଣିବା କିଛିଟା ଶସ୍ତା ହେବ । ମୋଟର ବୀମା ନିୟମରେ ଆସିଥିବା କେତେକ ପରିବର୍ତ୍ତନ ଏହି ମାସରୁ ଲାଗୁ ହେଉଥିବାରୁ ଦର କମିବ ବୋଲି ଆଶା କରାଯାଉଛି ।
ଗତ ଜୁନ ମାସରେ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ) ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଥିଲା ଯେ ଅଗଷ୍ଟ ୧ରୁ ବୀମା କମ୍ପାନିମାନେ ଦୀର୍ଘ ମିଆଦି ମୋଟର ବୀମା ପ୍ରଡକ୍ଟ ବିକ୍ରି କରିପାରିବେ ନାହିଁ ।
ଏବେ ପ୍ରଚଳିତ ନିୟମ ଅନୁସାରେ ଚାରିକିଆ ଯାନ ପାଇଁ ୩ ବର୍ଷ ଓ ଦୁଇଚକିଆ ଯାନ ପାଇଁ ୫ ବର୍ଷର ମୋଟର ବୀମା କରିବା ବାଧ୍ୟତାମୂଳକ । ଗାଡ଼ି କିଣିବା ବେଳେ ବୀମା ପ୍ରିମିୟମ ମୂଳ ମୂଲ୍ୟ ସହ ମିଶିକରି ଆସୁଥିଲା । ଏବେ ଏହି ନିୟମ ଉଠିଯିବାରୁ ଗ୍ରାହକମାନେ ଏହି ବୀମା କରିବାକୁ ବାଧ୍ୟ ହେବେ ନାହିଁ । ଏହା ଫଳରେ ଏସବୁ ଗାଡ଼ିର ଅନରୋଡ ମୂଲ୍ୟ କମିଯିବାର ସମ୍ଭାବନା ରହିଛି ।
କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଗତ କିଛି ଦିନ ଧରି ଦେଶରେ ଯାନବାହାନ ବିକ୍ରି ଆଶାତୀତ ଭାବେ କମିଯାଇଛି । ଏହି ନୂଆ ନିୟମ ଲାଗୁ ହେବା ପରେ ଲୋକମାନେ ନୂଆ ଗାଡ଼ି କିଣିବାକୁ ଆଗ୍ରହ ଦେଖାଇବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର