ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି

ମୁମ୍ବାଇ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । କମ୍ପାନି ପକ୍ଷରୁ ଜିଓପ୍ରାଇମ ଗ୍ରାହକଙ୍କ ସଦସ୍ୟତା ମାଗଣାରେ ଆଉ ୧୨ ମାସ ପାଇଁ ବଢାଇଦିଆଯାଇଛି । ଅର୍ଥାତ ମାର୍ଚ୍ଚ ୩୧ ୨୦୧୯ ପର୍ଯ୍ୟନ୍ତ ଏହାକୁ ବଢାଇଦିଆଯାଇଛି । ପ୍ରାଇମ ମେମ୍ବରସିପର ଅବଧି ଆସନ୍ତା କାଲି ଅର୍ଥାତ ଶନିବାରଦିନ ସମାପ୍ତ ହେଉଥିଲା । ଫଳରେ ଗ୍ରାହକମାନେ ଆଉ ବର୍ଷେ ପାଇଁ ପ୍ରାଇମ ମେମ୍ବରସିପ ପାଇଁ ମିଳୁଥିବା ବିଭିନ୍ନ ସୁବିଧା ଯଥା ଶସ୍ତା ତାରିଫ ଆଦି ଉଠାଇପାରିବେ । ତେବେ ନୂଆ ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ପ୍ରାଇମ ମେମ୍ବରସିପ ନେଇପାରିବେ । ଏହି ନୂଆ ଗ୍ରାହକମାନଙ୍କ ସଦସ୍ୟତା ଏପ୍ରିଲ ୧ରୁ ଆରମ୍ଭ ହେବ । କମ୍ପାନିର ଗ୍ରାହକଭିତ୍ତି ୧୭୫ ନିୟୁତ ଟପିବା ଅବସରରେ କମ୍ପାନି ଏହି ଘୋଷଣା କରିଛି ।
ଦୁଇ ବର୍ଷ ତଳେ କମ୍ପାନି ପକ୍ଷରୁ ମାଗଣା ଜିଓ ସେବା ଆରମ୍ଭ କରାଯାଇଥିଲା । ପ୍ରଥମ ୬ ମାସ ପାଇଁ ଉଭୟ ଭଏସ ଓ ଡାଟା ମାଗଣା ଥିଲା । ପରେ କମ୍ପାନି ପେମେଣ୍ଟ ଫର୍ମାଟକୁ ଗଲା । ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ଏହି ଜିଓ ପ୍ରାଇମ ସେବା ଚାଲୁ ରଖିପାରିଲେ । ଗତ ବର୍ଷ ଏପ୍ରିଲ ୧ରେ ଜିଓ ପ୍ରାଇମ ମେମ୍ବରସିପକୁ ଆହୁରି ଏକ ବର୍ଷ ପାଇଁ ବଢାଗଲା ଯାହାକି ଆସନ୍ତା ମାର୍ଚ୍ଚ ୩୧ରେ ସମାପ୍ତ ହେଉଥିଲା । ଏବେ ଏହାକୁ ଆଉ ବର୍ଷେ ବଢାଇଦିଆଯିବା ପରେ ଗ୍ରାହକମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର