ଆଧାର ଲିଙ୍କ୍‌:ପାଖେଇ ଆସିଲାଣି ଶେଷ ତାରିଖ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ସେବା ପାଇଁ ଆଧାର ନମ୍ବର ଲିଙ୍କ୍‌ କରାଇବା ବିଷୟକୁ ବାଧ୍ୟତାମୂଳକ କରିଛନ୍ତି। ସେଥିପାଇଁ ନିର୍ଦିଷ୍ଟ ସମୟ ସୀମା ପ୍ରଦାନ କରିଛନ୍ତି। ପାଞ୍ଚ ପ୍ରକାର ସେବା ସହିତ ଆଧାର ଲିଙ୍କ୍‌ କରାଇବାର ଶେଷ ତାରିଖ ହେଉଛି ଚଳିତ ମାସ ୩୧। କେବଳ ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କରିବାର ଶେଷ ତାରିଖ ହେଉଛି ୨୦୧୮ ଫେବ୍ରୁଆରି ୬। କେଉଁ ସେବା ସହ କିଭଳି ଆଧାର ଲିଙ୍କ୍‌ କରିବେ ତାହା ଏଠାରେ ଉପସ୍ଥାପନ କରାଯାଇଛି:
ପାନ୍‌
ଆୟକର ବିଭାଗର େଓ୍ଵବସାଇଟ୍‌ ପରିଦର୍ଶନ କରନ୍ତୁ। ସେଥିରେ ପାନ୍‌ ଏବଂ ଆଧାର ବିବରଣୀ ପ୍ରଦାନ କରନ୍ତୁ। ଯେଉଁ ସବୁ ପ୍ରକ୍ରିୟା ରହିଛି ତାହା ଶେଷ କରିବା ପରେ ପାନ୍‌ ସହିତ ଆଧାର ନମ୍ବର ଲିଙ୍କ୍‌ ହୋଇଯିବ। ଡିସେମ୍ବର ୩୧ ସୁଦ୍ଧା ପାନ୍‌ ସହିତ ଆଧାର ନମ୍ବର ଲିଙ୍କ ନକଲେ ଆୟକର ବିଭାଗ ଆପଣଙ୍କ ରିଟର୍ଣ୍ଣର ପ୍ରକ୍ରିୟାକରଣ କରିବ ନାହିଁ।
ବ୍ୟାଙ୍କ ଖାତା
ବ୍ୟାଙ୍କ ଶାଖା ପରିଦର୍ଶନ କରି କିମ୍ବା ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ଜରିଆରେ ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ୍‌ କରାଯାଇପାରିବ। ଏହି କାମ ଡିସେମ୍ବର ୩୧ ପୂର୍ବରୁ ଶେଷ କରିବାକୁ ପଡ଼ିବ। ଅନ୍ୟଥା ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯିବ। ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଜରିଆରେ ଆଧାର ଲିଙ୍କ୍‌ କରାଯାଇପାରିବ।
ମ୍ୟୁଚୁଆଲ୍‌ ଫଣ୍ଡ୍‌
ସିଏଏମ୍‌ଏସ୍‌ ଏବଂ କାର୍ଭି କମ୍ପ୍ୟୁଟରସେୟାର ପକ୍ଷରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ସହିତ ଆଧାର ନମ୍ବର ଲିଙ୍କ୍‌ କରିବା ପାଇଁ ଅନଲାଇନ୍‌ରେ ସୁବିଧା ପ୍ରଦାନ କରାଯାଉଛି। ଏହି ଦୁଇ ସଂସ୍ଥାର େଓ୍ଵବସାଇଟ୍‌ ପରିଦର୍ଶନ କରି ଏବଂ ଆବଶ୍ୟକ ତଥ୍ୟ ପ୍ରଦାନ କରି ସହଜରେ ଆଧାର ନମ୍ବର ଲିଙ୍କ୍‌ ହୋଇପାରିବ। ଡିସେମ୍ବର ୩୧ ସୁଦ୍ଧା ଏହି କାମ ଶେଷ କରିବାକୁ ପଡ଼ିବ ଅନ୍ୟଥା ମ୍ୟୁଚୁଆଲ୍‌ ଫଣ୍ଡ୍‌ ଆକାଉଣ୍ଟ୍‌କୁ ଅଚଳ ବୋଲି ଧରାଯିବ।
ବୀମା ପଲିସି
ବୀମା ପଲିସି ସହିତ ମଧ୍ୟ ଆଧାର ନମ୍ବର ଲିଙ୍କ୍‌ କରାଇବାକୁ ପଡ଼ିବ। ଡିସେମ୍ବର ୩୧ ସୁଦ୍ଧା ଏହି କାମ ଶେଷ କରିବାକୁ ପଡ଼ିବ। ଆଧାର ଲିଙ୍କ୍‌ ନକଲେ ବୀମା ପଲିସିର ସୁବିଧା ହାସଲ କରିବାରେ ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। ଅନେକ କଂପାନି ନିଜ େଓ୍ଵବସାଇଟ୍‌ରେ ଆଧାର ଲିଙ୍କ୍‌ ସୁବିଧା ପ୍ରଦାନ କରୁଛନ୍ତି।
ଡାକ ଘର ସ୍କିମ୍‌
ଡାକ ଘର ସ୍କିମ୍‌ରେ ଖାତା ଖୋଲିବା କିମ୍ବା ସ୍ୱଳ୍ପ ସଂଚୟ ସ୍କିମ୍‌ରେ ନିବେଶ କରିବାକୁ ହେଲେ ଆଧାର ନମ୍ବର ଲିଙ୍କ୍‌ କରିବା ବାଧ୍ୟତାମୂଳକ। ଏହି କାମ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପଡ଼ିବ। ଡାକ ବିଭାଗ େଓ୍ଵବସାଇଟ୍‌ରେ ଆଧାର ଲିଙ୍କ୍‌ ଫର୍ମ ଉପଲବ୍ଧ ହେଉଛି। ଫର୍ମକୁ ପୂରଣ କରି ଯେଉଁ ଡାକ ଘରେ ଖାତା ରହିଛି ସେଠାରେ ଦାଖଲ କରନ୍ତୁ।
ମୋବାଇଲ୍‌ ନମ୍ବର
ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କରିବାର ଶେଷ ତାରିଖ ହେଉଛି ୨୦୧୮ ଫେବ୍ରୁଆରି ୬। ଗ୍ରାହକମାନେ ମୋବାଇଲ୍‌ କଂପାନିଗୁଡ଼ିକର ଷ୍ଟୋର ପରିଦର୍ଶନ କରି ଆଧାର ଲିଙ୍କ୍‌ କରିପାରିବେ। ଖୁବ୍‌ଶୀଘ୍ର ଏଥିପାଇଁ ଅନଲାଇନ୍‌ ସେବା ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର