ଆୟକର ଆଇନରେ ସଂଶୋଧନ କରିବେ ସରକାର, ଲୋପ ପାଇବ ବିବାଦୀୟ ଟିକସ ଆଦାୟ ନିୟମ

ନୂଆଦିଲ୍ଲୀ : ଭାରତ ସରକାର ଆୟକର ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ୍ ଗୃହୀତ ହେବା ପରେ ୨୦୧୨ରୁ ପ୍ରଚଳିତ ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମର ଅବସାନ ହେବ ।

ଆୟକର ଆଇନରେ ସଂଶୋଧନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଟାକ୍ସେସନ ଲ’ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୧ ଆଗତ କରିଛନ୍ତି । ଏହି ବିଲ୍ ଗୃହୀତ ହେବା ପରେ ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମର ଅବସାନ  ହେବା ସହ ଏହି ନିୟମ ଅନୁସାରେ ସରକାର ଆଦାୟ କରିଥିବା ଟିକସ ରାଶି ସଂପୃକ୍ତ କମ୍ପାନିମାନଙ୍କୁ ଫେରସ୍ତ କରାଯିବ । ଏହି ନିୟମର ଅବସାନ ପରେ ଭାରତକୁ ବିଦେଶୀ ପୁଞ୍ଜିନିବେଶ ଆସିବା ଆହୁରି ସୁଗମ ହେବା ଆଶା କରାଯାଉଛି ।

୨୦୧୨ରେ ପୂର୍ବତନ ଅର୍ଥମନ୍ତ୍ରୀ ( ପରବର୍ତ୍ତୀ କାଳରେ ଭାରତର ରାଷ୍ଟ୍ରପତି) ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ଆୟକର ଆଇନରେ ସଂଶୋଧନ କରାଯାଇ ଏହି ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମକୁ ଆରମ୍ଭ କରାଯାଇଥିଲା । ଏହି ଆଇନ ଅନୁସାରେ ୨୦୧୨, ମେ ୨୮ ପୂର୍ବରୁ ଭାରତୀୟ ସଂପତ୍ତିଗୁଡ଼ିକର ପରୋକ୍ଷ ହସ୍ତାନ୍ତରଣ ଉପରେ ଟିକସ ଆଦାୟ କରାଯାଉଥିଲା ।

ଏହି ନିୟମ ଅନୁସାରେ ଆୟକର ବିଭାଗ ପକ୍ଷରୁ ଭୋଡ଼ାଫୋନ ଓ କାର୍ନ ଏନର୍ଜିକୁ ଟିକସ ନୋଟିସ ପଠାଇଥିଲେ । ଏହା ବିରୋଧରେ ଉଭୟ କମ୍ପାନି ଅନ୍ତର୍ଜାତୀୟ ଆର୍ବିଟ୍ରେସନ ଟ୍ରିବୁନାଲର ଆଶ୍ରୟ ନେଇଥିଲେ । ମାମଲାର ବିଚାର କରି ଟ୍ରିବୁନାଲ ଉଭୟ କମ୍ପାନିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ।

ସମ୍ବନ୍ଧିତ ଖବର