ଚାଷୀଙ୍କ ପାଇଁ ‌ସ୍ବେଚ୍ଛାଧୀନ ହେବ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)କୁ ଚାଷୀଙ୍କ ଲାଗି ଆକର୍ଷଣୀୟ କରିବା ନିମନ୍ତେ ସେଥିରେ କେତେକ ପରିବର୍ତ୍ତନ ଆଣିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ଯୋଜନାକୁ ଚାଷୀଙ୍କ ପାଇଁ ସ୍ବେଚ୍ଛାଧୀନ କରାଯିବ। ପୂର୍ବରୁ ଋଣ ନେଇଥିବା ଚାଷୀଙ୍କ ପାଇଁ ଏହା ବାଧ୍ୟତାମୂଳକ ଥିଲା। ଏହା ବ୍ୟତୀତ ଉଚ୍ଚ ପ୍ରିମିୟମ୍ ଲାଗୁଥିବା ଫସଲଗୁଡ଼ିକୁ ଯୋଜନାରୁ ହଟାଇବା ଓ ନିଜ ରାଜ୍ୟକୁ ସୁହାଇବା ଭଳି ବୀମା ଉତ୍ପାଦ ବିକାଶିତ କରିବା ପାଇଁ ରାଜ୍ୟଗୁଡ଼ିକୁ ଅନୁମତି ପ୍ରଦାନ କରିବା ଭଳି ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଚାଷୀମାନଙ୍କ ମଧ୍ୟରେ ଏକ ଧାରଣା ରହିଛି ଯେ ଏହି ଯୋଜନା ମାଧ୍ୟମରେ ବୀମା କଂପାନିଗୁଡ଼ିକ ଲାଭ କରୁଛନ୍ତି। ସେହି ଭ୍ରାନ୍ତ ଧାରଣାକୁ ଦୂର କରିବା ଲାଗି ରାଜ୍ୟ ସ୍ତରରେ ଏକ ପାଣ୍ଠି ଗଠନ କରାଯିବ। ଜଳସେଚନର ସୁବିଧା ଅନୁସାରେ ବିଭିନ୍ନ ବୀମା ପ୍ରିମିୟମର ସର୍ବୋଚ୍ଚ ସୀମା ନିର୍ଧାରଣ କରାଯିବ। ୨୦୧୬ ଏପ୍ରିଲ୍‌ରେ କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବହୁତ କମ୍ ପରିମାଣର ପ୍ରିମିୟମ୍ ଦେବାକୁ ପଡ଼ୁଛି। ଖରିଫ ଫସଲ ପାଇଁ ୨%, ରବି ପାଇଁ ୧.୫%, ଉଦ୍ୟାନ କୃଷି ଓ ବାଣିଜ୍ୟିକ ଚାଷ ପାଇଁ ୫% ହାରରେ ପ୍ରିମିୟମ୍ ସଂଗ୍ରହ କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟରେ ହେଉଥିବା ଫସଲ ହାନି ପାଇଁ ଏହା ବୀମା ସୁରକ୍ଷା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର