ତାଳ‌ଚେର କୋଲ୍ କଂପାନି କେବେ? କେନ୍ଦ୍ର ଅବହେଳାର ଆଉ ଏକ ନମୁନା

When is the coal company in Talcher? Another example of central negligence

ଅନୁଗୁଳ: ରାଜକୋଷକୁ ବିପୁଳ ରାଜସ୍ବ ଦେଉଥିବା ଅନୁଗୁଳ ଜିଲ୍ଲା ସବୁବେଳେ ସରକାରୀ ଅବହେଳାର ଶିକାର ହୋଇଆସୁଛି। କଳାହୀରାର ସହର ଭାବେ ପରିଗଣିତ ତାଳଚେରଠାରେ ଏକ କୋଇଲା କଂପାନି ଗଠନ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ମାତ୍ର ଓଡ଼ିଶାର ଏହି ନ୍ୟାୟୋଚିତ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି। ରାଜ୍ୟବାସୀଙ୍କ ବାରମ୍ବାର ଦାବିକ୍ରମେ ଓଡ଼ିଶାର କୋଇଲାଖଣିଗୁଡ଼ିକର ସୁପରିଚାଳନା ପାଇଁ ବହୁ ବିଳମ୍ବରେ ଗତ ୧୯୯୨ ମସିହାରେ ନୂତନ ଭାବେ ଗଠିତ ହୋଇଥିଲା ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌)। ଇବ୍ ଓ ତାଳଚେର କୋଲ୍‌ଫିଲ୍ଡସକୁ ନେଇ ଗଠିତ ଏମ୍‌ସିଏଲ୍‌ର ୧୨ଟି ପ୍ରଶାସନିକ କ୍ଷେତ୍ର ମଧ୍ୟରୁ ଇବ୍ କୋଲ୍‌ଫିଲ୍ଡସ ଅଧୀନରେ ୫ଟି କ୍ଷେତ୍ର ରହିଥିବାବେଳେ ବାକି ୭ଟି କ୍ଷେତ୍ର ରହିଛି ତାଳଚେର କୋଲ୍‌ଫିଲ୍ଡସ ଅଧୀନରେ। କେବଳ ସେତିକି ନୁହେଁ, ଇବ୍‌ଠାରୁ ତାଳଚେର କୋଲ୍‌ଫିଲ୍ଡସର କୋଇଲା ଉତ୍ପାଦନ ପରିମାଣ ବି ଢେର୍‌ ଅଧିକ। ତେବେ ସେ ସମୟରେ ସମସ୍ତ ଯୋଗ୍ୟତା ସତ୍ତ୍ବେ ତାଳଚେରବାସୀଙ୍କ ଦାବିକୁ ଅଣଦେଖା କରି ଏହି ନବଗଠିତ କୋଇଲା କଂପାନିର ମୁଖ୍ୟାଳୟ ତାଳଚେର ପରିବେର୍ତ୍ତ ବୁର୍ଲା ଜାଗୃତି ବିହାରରେ ସ୍ଥାପିତ ହୋଇଥିଲା। ଏମ୍‌ସିଏଲ୍‌ର ମୁଖ୍ୟାଳୟ ତାଳଚେରଠାରୁ ପ୍ରାୟ ୨ଶହ କିଲୋମିଟର ଦୂରରେ ଥିବାରୁ ବିଭିନ୍ନ କାମ ପାଇଁ ସେଠାକୁ ଯାଉଥିବା ତାଳଚେର ବାସିନ୍ଦା ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବିସ୍ଥାପିତ ଓ ଜମିହରା ପରିବାରଙ୍କୁ ବାରଂବାର ବୁର୍ଲା ଦୌଡ଼ି ନୟାନ୍ତ ହେବାକୁ ପଡ଼ୁଛି। ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ବି ପ୍ରଭାବିତ ହେଉଛି। ବ୍ୟାପକ ପରିବେଶ ପ୍ରଦୂଷଣ ହେଉଥିବା ବେଳେ ତାହାକୁ ସଠିକ୍ ନିୟନ୍ତ୍ରଣ ହୋଇପାରୁ ନାହିଁ। ଅନ୍ୟପକ୍ଷରେ କେବଳ ଶ୍ରମିକ, କର୍ମଚାରୀ ଅଥବା ସାଧାରଣ ଜନତା ଯେ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି ତାହା ନୁହେଁ, ଘୋର ପରିଚାଳନାଗତ ସମସ୍ୟା ତଥା ଉପଯୁକ୍ତ ତଦାରଖ ଅଭାବରୁ କୋଇଲାଖଣିଗୁଡ଼ିକ ଉତ୍ପାଦନ ତଥା ଉତ୍ପାଦିକତା ଅତିମାତ୍ରାରେ ପ୍ରଭାବିତ ହେଉଛି। ଦିନ ଦିନ ଧରି ଉତ୍ପାଦନ ଠପ୍‌ ହୋଇଯାଉଛି। ଏହାଦ୍ବାରା କଂପାନିକୁ ଢେର୍‌ ଆର୍ଥିକ କ୍ଷତିର ସାମନା କରିବାକୁ ତ ପଡୁଛି; ତା ସାଙ୍ଗକୁ ଏହାର କୋଇଲା ଉପରେ ନିର୍ଭରଶୀଳ ସଂଖ୍ୟାଧିକ ରାଷ୍ଟ୍ରାୟତ୍ତ ଓ ଘରୋଇ ଉଦ୍ୟୋଗଗୁଡ଼ିକ ଗୁରୁତରଭାବେ ପ୍ରଭାବିତ ହେଉଛନ୍ତି।

ଓଡ଼ିଶାରେ ଏକ କୋଇଲା କଂପାନି ସ୍ଥାପନ ପାଇଁ ରାଜ୍ୟର ୫୦ ଜଣ ବିଧାୟକ ଏକଦା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଗତ ୨୮ ଏପ୍ରିଲ ୧୯୮୮ ମସିହା‌ରେ କେନ୍ଦ୍ର ଶକ୍ତିମନ୍ତ୍ରୀ ବସନ୍ତ ସାଠେ ତତ୍କାଳୀନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସଙ୍କ ଏକ ପତ୍ରର ପ୍ରତ୍ୟୁତ୍ତରରେ ମହମ୍ମଦ ଫାଜଲଙ୍କ ଅଧ୍ୟକ୍ଷତାରେ ଗଠିତ ଶୀର୍ଷ କମିଟିର ମତକୁ ଉପସ୍ଥାପନ କରିଥିଲେ। ନୂଆ କୋଇଲା କଂପାନି ଗଠନ କରିବାକୁ ହେଲେ ସଂପୃକ୍ତ ଅଂଚଳରୁ ଅନ୍ୟୂନ ବାର୍ଷିକ ୨୦ ମିଲିୟନ ଟନ୍ କୋଇଲା ଉତ୍ପାଦନ ହେଉଥିବା କଥା ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ୧୯୮୭-୮୮ ଆର୍ଥିକ ବର୍ଷରେ ଓଡ଼ିଶାର କୋଇଲା ଖଣିଗୁଡ଼ିକରୁ ମାତ୍ର ୭.୦୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହେଉଥିଲା। ୧୯୮୮-୮୯ ଆର୍ଥିକ ବର୍ଷରେ ଏହା ୮.୯୬ ମିଲିୟନ୍ ଟନ୍ ଓ ୧୯୮୯-୯୦ ମସିହାରେ ଏହା ୧୨.୯୫ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହେବ ବୋଲି ଆଶାବ୍ୟକ୍ତ କରାଯାଇଥିଲା। କୋଇଲା କଂପାନି ଗଠନ ପାଇଁ ଥିବା ଯୋଗ୍ୟତାକୁ ଓଡ଼ିଶା ପୂରଣ କରୁନଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଧାୟକମାନଙ୍କ ଦାବି ପୂରଣ କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ସାଠେ ସେତେବେଳେ ଦେଇଥିବା ପତ୍ରରେ ଉଲ୍ଲେଖ କରିଥିଲେ। ଅବଶ୍ୟ କୋଇଲା ଉତ୍ପାଦନ ବୃଦ୍ଧି ପାଇବା ପରେ ୧୯୯୨ରେ ଓଡ଼ିଶାରେ ଏକମାତ୍ର କୋଇଲା କଂପାନି ଭାବେ ଏମ୍‌ସିଏଲ୍ ଜନ୍ମ ନେଇଥିଲା।

ଇତିମଧ୍ୟରେ ଏମ୍‌ସିଏଲ୍‌ର ଉତ୍ପାଦନ କ୍ଷମତା ବହୁଗୁଣ ବଢ଼ିଛି। ଏମ୍‌ସିଏଲ୍ ୨୦୧୫-୧୬ ଆର୍ଥିକ ବର୍ଷରେ ୧୩୭.୯୦ ମିଲିୟନ ଟନ୍, ୨୦୧୬-୧୭ରେ ୧୩୯.୨୦ ମିଲିୟନ ଟନ୍, ୨୦୧୭-୧୮ରେ ୧୪୩.୦୬ ମିଲିୟନ ଟନ୍ , ୨୦୧୮-୧୯ରେ ୧୪୪.୧୫ ମିଲିୟନ ଟନ୍, ୨୦୧୯-୨୦ରେ ୧୪୦.୩୬ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିଲା। ଚଳିତ ଆର୍ଥିକ ବର୍ଷର ଗତ ୯ ମାସ ମଧ୍ୟରେ ଏମ୍‌ସିଏଲ୍ ୧୦୧.୮୫୦ ମିଲିୟନ୍ ଟନ୍‌ କୋଇଲା ଉତ୍ପାଦନ କରିସାରିଲାଣି। ଏଥିରୁ କେବଳ ତାଳଚେର କୋଲ୍‌ଫିଲ୍ଡସ ୫୬.୨୯୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଇବ୍‌ କୋଲ୍‌ଫିଲ୍ଡସ ମାତ୍ର ୪୫.୫୬୧ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି। କେବଳ ସେତିକି ନୁହେଁ, ଏହି ଦୁଇ କୋଲ୍‌ଫିଲ୍ଡସଠାରୁ ବହୁତ କମ୍ ପରିମାଣର କୋଇଲା ଉତ୍ପାଦନ କରୁଥିବା କୋଇଲା କଂପାନି ବି ରହିଛନ୍ତି। ଉତ୍ପାଦନ ବୃଦ୍ଧି ସାଂଗକୁ ଏମ୍‌ସିଏଲ୍‌ ଉପରେ ପ୍ରଶାସିନକ କ୍ଷେତ୍ରରେ ବି ଅନେକ ଚାପ ରହୁଛି। କୋଇଲା କଂପାନି ମୁଖ୍ୟାଳୟ ବହୁ ଦୂରରେ ରହୁଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ, ପାରିପାର୍ଶ୍ବିକ ଉନ୍ନୟନ ସାଂଗକୁ ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ଅସୁବିଧା ହେଉଛି।

ସମ୍ବନ୍ଧିତ ଖବର