ଧନୀ ହେଉଛନ୍ତି ଅଧିକ ଧନୀ: ବର୍ଷକରେ ମୁକେଶଙ୍କ ସମ୍ପତ୍ତି ୬୭% ବଢ଼ିଛି, କ୍ରମାଗତ ଦଶ ବର୍ଷ ଧରି ଏକ ନମ୍ବର ଧନୀ

ନୂଆଦିଲ୍ଲୀ: ଭାରତରେ ଧନୀ ବ୍ୟକ୍ତିମାନେ ଅଧିକ ଧନୀ ହେବାରେ ଲାଗିଛନ୍ତି। ଏପରିକି ଦେଶରେ ଆର୍ଥିକ ଅଭିବୃଦ୍ଧିରେ ମନ୍ଥରତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଧନୀ ବ୍ୟକ୍ତିମାନଙ୍କ ଉପରେ ପଡ଼ିନାହିଁ। ସେମାନଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ଧନୀ ତାଲିକାର ଶୀର୍ଷ ୧୦୦ ସ୍ଥାନରେ ରହିଥିବା ବ୍ୟକ୍ତିଙ୍କ ସମ୍ପତ୍ତିରେ ୨୬ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ୨୦୧୭ ମସିହା ପାଇଁ ଶୀର୍ଷ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ମୋଟ ସମ୍ପତ୍ତି ୪୭୯ ବିଲିଅନ ଡଲାର ବା ୩୧ ଲକ୍ଷ କୋଟି ଟଙ୍କାରୁ ଊର୍ଧ୍ୱରେ ପହଞ୍ଚିଛି। ଧନୀ ତାଲିକାର ଶୀର୍ଷରେ କ୍ରମାଗତଭାବେ ୧୦ ବର୍ଷ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ରହିଛନ୍ତି। ତାଙ୍କ ନିଟ୍‌ ସମ୍ପତ୍ତି ୩୮ ବିଲିଅନ ଡଲାର ବା ୨.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଦ୍ୱିତୀୟ ସ୍ଥାନରେ ଓ୍ଵିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମ୍‌ଜୀ ରହିଥିଲେ ମଧ୍ୟ ସେ ମୁକେଶଙ୍କ ଠାରୁ ବହୁ ଦୂରରେ ରହିଛନ୍ତି। ତାଙ୍କର ନିଟ୍‌ ସମ୍ପତ୍ତି ୧୯ ବିଲିଅନ ଡଲାର ରହିଛି। ଗତବର୍ଷ ତୁଳନାରେ ସେ ଚଳିତବର୍ଷ ଧନୀ ତାଲିକାରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି। ଅନ୍ୟପକ୍ଷରେ ପୂର୍ବବର୍ଷ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିବା ସନ୍‌ ଫାର୍ମାର ଦିଲ୍ଲୀପ ସାଂଘଭି ଚଳିତବର୍ଷ ନବମ ସ୍ଥାନକୁ ଖସି ଯାଇଛନ୍ତି। ତାଙ୍କର ନିଟ୍‌ ସମ୍ପତ୍ତି ୧୨.୧ ବିଲିଅନ ଡଲାର ରହିଛି ବୋଲି ଫୋର୍ବସ
ମାଗାଜିନ୍‌ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁସବୁ ଅର୍ଥନୈତିକ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି ତାହା ଭାରତର ବୃହତ୍‌ ଧନୀମାନଙ୍କୁ ସେଭଳି କିଛି କ୍ଷତି ପହଞ୍ଚାଇ ପାରିନାହିଁ। ତେବେ ଚଳିତବର୍ଷ ସବୁଠୁ ଅଧିକ ଲାଭବାନ ହୋଇଛନ୍ତି ମୁକେଶ ଅମ୍ବାନି। ପୂର୍ବବର୍ଷର ସମ୍ପତ୍ତିରେ ମୁକେଶ ଅଧିକ ୧୫.୩ ବିଲିଅନ ଡଲାର ବା ୬୭ ପ୍ରତିଶତ ସମ୍ପତ୍ତି ଯୋଡ଼ିଛନ୍ତି। ଏଥିଯୋଗୁଁ ମୁକେଶ ଏସିଆର ୫ ଜଣ ବୃହତ୍‌ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇପାରିଛନ୍ତି। ମୁକେଶଙ୍କ ସାନ ଭାଇ ଅନିଲ ଚଳିତ ବର୍ଷ ଧନୀ ତାଲିକାର ୪୫ତମ ସ୍ଥାନରେ ରହିଛନ୍ତି। ତାଙ୍କର ନିଟ୍‌ ସମ୍ପତ୍ତି ୩.୧୫ ବିଲିଅନ ଡଲାର ରହିଛି। ୨୦୧୬ରେ ଅନିଲଙ୍କ ସମ୍ପତ୍ତି ୩.୪ ବିଲିଅନ ଡଲାର ରହିଥିଲା। ଫଳରେ ଗତବର୍ଷ ସେ ୩୨ତମ ଏବଂ ତା ପୂର୍ବବର୍ଷ ୨୯ତମ ସ୍ଥାନରେ ରହିଥିଲେ।
ଯୋଗଗୁରୁ ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଆଚାର୍ଯ୍ୟ ବାଲକୃଷ୍ଣ ଚଳିତବର୍ଷ ଧନୀ ତାଲିକାରେ ବହୁ ଉପରକୁ ଉଠି ଯାଇଛନ୍ତି। ପୂର୍ବବର୍ଷ ସେ ୪୮ତମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ୧୯ତମ ସ୍ଥାନକୁ ଉଠିଛନ୍ତି। ତାଙ୍କ ନିଟ୍‌ ସମ୍ପତ୍ତି ୬.୫୫ ବିଲିଅନ ଡଲାର ବା ୪୩,୦୦୦ କୋଟି ଟଙ୍କା ରହିଛି।
ମାଗାଜିନ ପକ୍ଷରୁ ଏହା କୁହାଯାଇଛି ଯେ, ଗତବର୍ଷ ନଭେମ୍ବରରେ ବିମୁଦ୍ରାକରଣ ଏବଂ ଚଳିତବର୍ଷ ଜୁଲାଇରେ ଜିଏସ୍‌ଟି ଲାଗୁ ହେବାର ପ୍ରତିକୂଳ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ବିମୁଦ୍ରାକରଣ ଯୋଗୁଁ ଚଳିତ ଆର୍ଥିକବର୍ଷର ପ୍ରଥମ ତିନି ମାସରେ ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ ଖସିଆସିଛି। ଏହାସତ୍ତ୍ୱେ ଭାରତର ଷ୍ଟକ ମାର୍କେଟ ଉପରକୁ ଉଠିବାରେ ଲାଗିଛି ଏବଂ ଦେଶର ଶୀର୍ଷ ୧୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ଚଳିତବର୍ଷ ଧନୀ ତାଲିକାର ଷଷ୍ଠ ସ୍ଥାନରେ ଆଦି ଗୋଦ୍‌ରେଜ୍‌ (୧୪.୨ ବିଲିଅନ ଡଲାର), ସପ୍ତମ ସ୍ଥାନରେ ଶିବ ନାଦର(୧୩.୬ ବିଲିଅନ୍‌ ଡଲାର), ଅଷ୍ଟମ ସ୍ଥାନରେ କୁମାର ମଙ୍ଗଳମ୍‌ (୧୨.୬ ବିଲିଅନ୍‌ ଡଲାର) ଏବଂ ଦଶମ ସ୍ଥାନରେ ଗୌତମ ଆଦାନି (୧୧ ବିଲିଅନ ଡଲାର) ରହିଛନ୍ତି।
ଚଳିତବର୍ଷ ଧନୀ ତାଲିକାର ତୃତୀୟ ସ୍ଥାନରେ ହିନ୍ଦୁଜା ଭ୍ରାତା ରହିଛନ୍ତି। ସେମାନଙ୍କ ସମ୍ପତ୍ତି ୧୮.୪ ବିଲିଅନ ଡଲାର ରହିଛି। ଚତୁର୍ଥ ସ୍ଥାନରେ ଷ୍ଟିଲ୍‌ ଟାଇକୁନ୍‌ ଲକ୍ଷ୍ମୀ ମିତ୍ତଲ ରହିଛନ୍ତି। ତାଙ୍କ ସମ୍ପତ୍ତି ୧୬.୫ ବିଲିଅନ ଡଲାର ରହିଛି। ୧୬ ବିଲିଅନ ଡଲାରର ସମ୍ପତ୍ତି ସହିତ ପଞ୍ଚମ ସ୍ଥାନରେ ପାଲୋଞ୍ଜି ମିସ୍ତ୍ରୀ ରହିଛନ୍ତି। ଚଳିତବର୍ଷ ଧନୀ ତାଲିକାରେ ନୂତନଭାବେ ନୁସ୍‌ଲି ଓ୍ଵାଡ଼ିଆ ପ୍ରବେଶ କରିଛନ୍ତି। ୫.୬ ବିଲିଅନ ଡଲାର ସମ୍ପତ୍ତି ସହିତ ସେ ୨୫ତମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଶୀର୍ଷ ୧୦୦ ଧନୀ ତାଲିକା ମଧ୍ୟରେ ନୂତନ ଭାବେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଇ-ଗଭର୍ଣ୍ଣାନ୍ସ ସେବା ପ୍ରଦାନକାରୀ କମ୍ପାନି ଭର୍‌କାଞ୍ଜିର ଦୀନେଶ ନନ୍ଦଓ୍ଵାନା, ପେଟିଏମ୍‌ର ବିଜୟ ଶେଖର ଶର୍ମା ଏବଂ ୟେସ୍‌ ବ୍ୟାଙ୍କର ରାଣା କପୁର ସ୍ଥାନ ପାଇଛନ୍ତି। ସେମାନେ ଯଥାକ୍ରମେ ୮୮, ୯୯ ଏବଂ ୧୦୦ତମ ସ୍ଥାନ ହାସଲ କରିଛନ୍ତି। ଚଳିତବର୍ଷ ଶୀର୍ଷ ୧୦୦ ଧନୀ ତାଲିକାରେ ସ୍ଥାନ ପାଇବା ପାଇଁ ସର୍ବନିମ୍ନ ସମ୍ପତ୍ତି ୧.୪୬ ବିଲିଅନ ଡଲାର ରହିଛି। ଗତବର୍ଷ ଏହା ୧.୨୫ ବିଲିଅନ ଡଲାର ରହିଥିଲା।

ଧନୀଙ୍କ ଉତ୍ତରାଧିକାରୀ ଗଣିବେ ଟିକସ

ମୁମ୍ବାଇ: ଧନୀଙ୍କ ଉତ୍ତରାଧିକାରୀମାନେ ଆଗାମୀ ଦିନରେ ଟିକସ ଗଣିବା ସମ୍ଭାବନା ଦେଖାଦେଇଛି। ପୂର୍ବରୁ ଲାଗୁ ହୋଇଥିବା ଉତ୍ତରାଧିକାରୀ ଟିକସ ବ୍ୟବସ୍ଥାକୁ ସରକାର ପୁଣି ଥରେ କାର୍ଯ୍ୟକାରୀ କରିବା ଯୋଜନା ରହିଥିବା ଏକ ସୂତ୍ରରୁ ଜଣାଯାଇଛି। ଉତ୍ତରାଧିକାର ଟିକସ ଲାଗୁ ସମ୍ପର୍କରେ ସରକାର ବିଭିନ୍ନ ମହଲରୁ ମତାମତ ଲୋଡ଼ିଛନ୍ତି। ଏହି ଟିକସର ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିପାରେ। ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଆୟ ଥିବା ପରିବାର କ୍ଷେତ୍ରରେ ଏହା ଲାଗୁ ହୋଇପାରେ। ଟିକସ କ୍ଷେତ୍ରର ଓକିଲ ଏବଂ ବିଶେଷଜ୍ଞଙ୍କ ସହିତ ସରକାର ଏବେ ଆଲୋଚନା ଚଳାଇଛନ୍ତି। ଆସନ୍ତାବର୍ଷ ବଜେଟରେ ଏ ନେଇ ପ୍ରସ୍ତାବ ଅଣାଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଅନେକ ପରିବାର ଏପ୍ରକାର ଟିକସରୁ ବର୍ତ୍ତିବା ଲାଗି ପାରିବାରିକ ଟ୍ରଷ୍ଟ ଗଠନ କରିବାରେ ଲାଗିଛନ୍ତି ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତରେ ୧୯୫୩ ମସିହାରୁ ଏହି ଟିକସ ଲାଗୁ ହୋଇଥିବାବେଳେ ୧୯୮୬ ମସିହାରୁ ଏହାକୁ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର