ପିଏନ୍‌ବି ସହିତ ଚୁକ୍ତି ନବୀକରଣ କରିବେନି କୋହଲି!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରାଣ୍ଡ ଆମ୍ବାସଡର ଏବେ ଅଛନ୍ତି। ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି ବ୍ୟାଙ୍କ ସହିତ ଚୁକ୍ତି କରିଛନ୍ତି। ତେବେ ଏହି ଚୁକ୍ତିର ଅବଧି ଶେଷ ହେବା ପରେ ସେ ଏହାର ଆଉ ନବୀକରଣ ନକରିପାରନ୍ତି। କିନ୍ତୁ ଚୁକ୍ତି ଅବଧି ଶେଷ ହେବା ପୂର୍ବରୁ ଏହାକୁ ବାତିଲ କରାଯିବ ନାହିଁ ବୋଲି କୋହଲିଙ୍କ ବିଜ୍ଞାପନ ଏଜେନ୍ସି କହିଛି। କର୍ଣ୍ଣରଷ୍ଟୋନ୍‌ ସ୍ପୋର୍ଟ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ୍‌ର ସିଇଓ ବଣ୍ଟି ସଜଦେ ଏକ ଇ-ମେଲ୍‌ ମାଧ୍ୟମରେ କହିଛନ୍ତି, ଚୁକ୍ତିର ଅବଧି ବଢ଼ାଇବା ପାଇଁ ଏବେ କୌଣସି କଥାବାର୍ତା ବ୍ୟାଙ୍କ ସହ ହୋଇନାହିଁ। ତେବେ ନିରବ ମୋଦିଙ୍କ ଠକେଇ ଘଟଣାରେ ପିଏନ୍‌ବିକୁ ସଂପୂର୍ଣ୍ଣ ଭାବରେ ଦୋଷ ଦିଆଯାଇ ପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।

ବ୍ୟାଙ୍କ ସହିତ ବିରାଟଙ୍କ ଚୁକ୍ତି ଯଦି ବି ଚଳିତବର୍ଷ ଶେଷ ହୋଇଯାଏ ଆମେ ବ୍ୟାଙ୍କ ସହିତ ସଂପର୍କ ଛିନ୍ନ କରିବୁ ନାହିଁ ବୋଲି ଶ୍ରୀ ସଜଦେ କହିଛନ୍ତି। ତେବେ ବ୍ୟାଙ୍କ ସହିତ କୋହଲି ବ୍ରାଣ୍ଡ୍‌ ଆମ୍ବାସଡର ଚୁକ୍ତି ବାତିଲ କରିବେ ନାହିଁ ବୋଲି ପୂର୍ବରୁ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହାକୁ ବ୍ୟାଙ୍କ ଅସ୍ୱୀକାର କରିଥିଲା। ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି ମଧ୍ୟ କହିଥିଲା। ଉଲ୍ଲେଖଯୋଗ୍ୟ ଯେ, କୋହଲି ପିଏନ୍‌ବିର ବ୍ରାଣ୍ଡ୍‌ ଆମ୍ବାସଡର ୨୦୧୬ ସେପ୍ଟେମ୍ବରରେ ହୋଇଥିଲେ। ଗତବର୍ଷ କୋହଲି ଆଦର୍ଶଗତ କାରଣରୁ ପେପ୍‌ସିର ବ୍ରାଣ୍ଡ୍‌ ଆମ୍ବାସଡରରୁ ମଧ୍ୟ ଓହରି ଯାଇଥିଲେ। ବ୍ୟକ୍ତିଗତ ଭାବେ ବ୍ୟବହାର କରୁ ନଥିବା ଉତ୍ପାଦର ସେ ପ୍ରଚାର କରିବେ ନାହିଁ ବୋଲି କହିଥିଲେ। ଦାମୀ ଖେଳାଳୀ କୋହଲି ଏବେ ବି ୧୭ଟି ବ୍ରାଣ୍ଡ୍‌ର ଆମ୍ବାସଡର ରହିଛନ୍ତି। ଫୋର୍ବସ ମାଗାଜିନର ରିପୋର୍ଟ ଅନୁଯାୟୀ ୨୦୧୭ରେ କୋହଲିଙ୍କ ମୋଟ ଆୟ ୧୦୦ କୋଟି ଟଙ୍କାରୁ ଅଧିକ ରହିଥିଲା।

ସମ୍ବନ୍ଧିତ ଖବର