ପୁଣି ଦେଶ ନଗଦ ମୁହାଁ

ବିମୁଦ୍ରୀକରଣ ପୂର୍ବରୁ ଥିଲା ୧୭.୯୭ ଲକ୍ଷ କୋଟି, ଏବେ ବଜାରରେ ଅଛି ୨୦.୬୫ ଲକ୍ଷ କୋଟି

ମୁମ୍ବାଇ,: ଦେଶରେ ନଗଦ ଅର୍ଥର ପ୍ରବାହ ବଢ଼ିଚାଲିଛି। ଦେଶରେ ନଗଦ ଅର୍ଥ ପ୍ରବାହ ରାଶି ଏବେ ୨୦.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ଫଳରେ ସରକାର ବିମୁଦ୍ରୀକରଣକୁ କାର୍ଯ୍ୟକାରୀ କରି ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେଇଥିଲେ ମଧ୍ୟ ସରକାରଙ୍କ ଏହି ଲକ୍ଷ୍ୟ ସେତେଟା ପୂରଣ ହୋଇପାରି ନାହିଁ। ବିମୁଦ୍ରୀକରଣ ପୂର୍ବରୁ ଦେଶରେ ମୋଟ ୧୭.୯୭ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ କାରବାର ହେଉଥିଲା। କିନ୍ତୁ ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ କରିଦେବାପରେ ଏହାର ମାତ୍ରା କମିଯାଇଥିଲା। ତେବେ ବିମୁଦ୍ରୀକରଣ ଯୋଗୁ ଅସଙ୍ଗଠିତ କ୍ଷେତ୍ରର ଅର୍ଥନୀତି ଯେଭଳି କ୍ଷତି ସହିଥିଲା ଅର୍ଥନୀତିରେ ମୁଦ୍ରା ପ୍ରବାହ ପରିମାଣ ବଢ଼ିବା ଦ୍ବାରା ଏହି କ୍ଷେତ୍ରର ସ୍ଥିତିରେ ସୁଧାର ଆସିଛି ବୋଲି ଏଚଏସବିସି ରିପୋର୍ଟରେ କୁହାଯାଇଛି।
ଅର୍ଥନୀତିରେ ନଗଦ ଅର୍ଥ ବ୍ୟବହାର ବୃଦ୍ଧି ପାଇବା ଦ୍ବାରା ଅସଙ୍ଗଠିତ କ୍ଷେତ୍ରର ସ୍ଥିତି ସୁଧୁରୁବାକୁ ଦର୍ଶାଉଛି ବୋଲି ଏଚଏସବିସି ଭାରତର ମୁଖ୍ୟ ଅର୍ଥନୀତିଜ୍ଞ ପି. ଭଣ୍ଡାରି କହିଛନ୍ତି। ଅର୍ଥନୀତିରେ ନଗଦ ଅର୍ଥ ପ୍ରବାହ ଏବେ ଅଧିକ ରହିଥିଲେ ବିମୁଦ୍ରୀକରଣ ପୂର୍ବରୁ ଜିଡିପି ତୁଳନାରେ ନଗଦ ଅର୍ଥର ଅନୁପାତ ଯାହା ଥିଲା ଏବେ ସେହି ଅନୁପାତ କମ୍ ରହିଛି। ବିମୁଦ୍ରୀକରଣ ପୂର୍ବରୁ ନଗଦ ଅର୍ଥ ଏବଂ ଡିଜିପିର ଅନୁପାତ ୧୧.୯ ପ୍ରତିଶତ ରହିଥିଲା ବୋଲି ସରକାରୀ ଅଧିକାରୀମାନେ ଦାବି କରୁଛନ୍ତି। ୨୦୧୭ ମାର୍ଚ୍ଚରେ ଏହି ଅନୁପାତ ୮.୮ ପ୍ରତିଶତକୁ କମିଥିଲା। ପରେ ୨୦୧୮ ମାର୍ଚ୍ଚରେ ଏହା ୧୦.୯ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୨୦୧୯ ମାର୍ଚ୍ଚରେ ଏହା ୧୧.୪ ପ୍ରତିଶତ ଛୁଇଁବ ବୋଲି ଆକଳନ କରାଯାଉଛି। ୨୦୨୦ ମାର୍ଚ୍ଚ ବେଳକୁ ଏହି ଅନୁପାତ ୧୧.୬ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଭଣ୍ଡାରି ଆକଳନ କରିଛନ୍ତି। ଜିଏସଟି ଜନିତ ସମସ୍ୟା ଆଗାମୀ ଦିନରେ ଦୂର ହୋଇଯିବ ବୋଲି ଆଶା ରଖାଯାଇଛି। ଏତଦବ୍ୟତୀତ ଗ୍ରାମାଞ୍ଚଳର ଚାହିଦା ଯଦି ବୃଦ୍ଧି ଘଟେ ତାହେଲେ ଅର୍ଥନୀତିରେ ନଗଦ ଅର୍ଥ ପ୍ରବାହ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ତେବେ ଅର୍ଥନୀତିରେ ଅଧିକ ନଗଦ ଅର୍ଥ ଉପଲବ୍ଧ ‌ହେବା ଦ୍ବାରା ଏହାର ବ୍ୟବହାର ବୃଦ୍ଧି ପାଇଛି କି ନାହିଁ ତାହା ଏକ ବିତର୍କର ବିଷୟ ବୋଲି ଏସବିଆଇ ଗ୍ରୁପର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତି ଘୋ‌ଷ କହିଛନ୍ତି।

ସମ୍ବନ୍ଧିତ ଖବର