ପ୍ରଥମ ଥର ପାଇଁ ୬୩ ହଜାର ପଏଣ୍ଟ ଟପିଲା ସେନସେକ୍ସ

ମୁମ୍ବାଇ : ଷ୍ଟକ ବଜାରରେ ଗତ କିଛି ଦିନ ହେଲା ଚାଲିଥିବା ଉତ୍ସାହ ଜାରି ରହିଛି । ବୁଧବାରଦିନ ସେନସେକ୍ସ ପ୍ରଥମ ଥର ପାଇଁ ୬୩ ହଜାର ପଏଣ୍ଟ ଉପରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ମଧ୍ୟ ବୃଦ୍ଧି ପାଇଛି ।

ସେନସେକ୍ସ ୪୧୭.୮୧ ପଏଣ୍ଟ ବୃଦ୍ଧି ସହ ୬୩,୦୯୯.୬୫ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫଟି ୧୪୦ ପଏଣ୍ଟ ବୃଦ୍ଧି ପାଇ ୧୮,୭୫୮ ପଏଣ୍ଟରେ ବନ୍ଦ ହୋଇଛି ।

ଆଜିର ଏହି ବୃଦ୍ଧି ଫଳରେ ନିବେଶକମାନଙ୍କର ପ୍ରାୟ ୨.୪୦ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । କାରଣ ଆଜି ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସେୟାରଗୁଡ଼ିକର ମଜାର ପୁଞ୍ଜି ବା ମାର୍କେଟ୍ କ୍ୟାପିଟାଲାଇଜେସନ ୨ ଲକ୍ଷ ୪୦ ହଜାର କୋଟି ବୃଦ୍ଧି ପାଇ ୨୮୮.୫୫ ଲକ୍ଷ କୋଟିରେ ପହଞ୍ଚିଛି ।

ବୁଧବାରଦିନ କେନ୍ଦ୍ର ସରକାର ୨ୟ ତିନିମାସ ( ଜୁଲାଇ-ସେପ୍ଟେମ୍ବର)ର ଜିଡିପି ଅଭିଭୃଦ୍ଧି ସଂପର୍କିତ ତଥ୍ୟ ଘୋଷଣା କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ବଜାରରେ ଏହି ଉତ୍ସାହ ଦେଖାଦେଇଛି ।

ଅନ୍ୟପକ୍ଷରେ ଷ୍ଟକ ବଜାରରେ ଏହି ଉତ୍ସାହ ପଛରେ ଏକ ବଡ଼ କାରଣ ରହିଛି । ତାହା ହେଉଛି ଅଶୋଧିତ ତୈଳ ଦରରେ ହ୍ରାସ । ଚୀନରେ ଲକଡାଉନ ଯୋଗୁଁ ତୈଳ ଚାହିଦା ହ୍ରାସ ପାଇଛି । ଏହି କାରଣରୁ ତୈଳ ମୂଲ୍ୟ କମିଛି । ବ୍ରେଣ୍ଟ୍ କ୍ରୁଡର ଜାନୁଆରି ମୂଲ୍ୟ ୮୮.୮୧ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର