ବିକ୍ରି ହେବ ‘ହର୍ଲିକ୍ସ’

ନୂଆଦିଲ୍ଲୀ: ବ୍ରିଟେନ୍‌ର ଲୋକପ୍ରିୟ ଔଷଧ କଂପାନି ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍‌ (ଜିଏସ୍‌କେ) ଏହାର ଦୁଇ ଲୋକପ୍ରିୟ ବ୍ରାଣ୍ଡ୍‌ ହର୍ଲିକ୍ସ ଓ ବୁଷ୍ଟ୍‍କୁ ବିକ୍ରି କରିବା ଉପରେ ବିଚାର କରୁଛି। ଏହି ଦୁଇ ବ୍ରାଣ୍ଡ୍‌କୁ ଜିଏସ୍‌କେ ଅନ୍ୟ କଂପାନି ହାତକୁ ଟେକିଦେବ। ଏକ ନୂଆ ବ୍ୟବସାୟ ଡିଲ୍‌ ନିମନ୍ତେ ପାଣ୍ଠି ଯୋଗାଣ କରିବା ପାଇଁ ଜିଏସ୍‌କେ ଏଭଳି ପଦକ୍ଷେପ ନେବାକୁ ଯାଉଛି। ଜିଏସ୍‌କେ ବିଶ୍ୱର ବିଭିନ୍ନ ଦେଶରେ କାରବାର କରୁଛି। ଜିଏସ୍‌କେ କଞ୍ଜ୍ୟୁମର ହେଲଥକେୟାର (ଜିଏସ୍‌କେସିଏଚ୍‌) ନାମରେ ଏହା ଭାରତରେ ବ୍ୟବସାୟ କରୁଛି। ହର୍ଲିକ୍ସ ଓ ବୁଷ୍ଟ ଜରିଆରେ ଏହି ସଂସ୍ଥାର ୯୦% ଆୟ ହେଉଛି। ହର୍ଲିକ୍ସ ହେଉଛି ଏକ ୧୪୫ ବର୍ଷ ପୁରୁଣା ବ୍ରାଣ୍ଡ୍‌। କଞ୍ଜ୍ୟୁମର୍‌ ହେଲଥ୍‌କେୟାର କାରବାର ପାଇଁ ଜିଏସ୍‌କେ ପକ୍ଷରୁ ୨୦୧୪ରେ ନୋଭାର୍ଟିସ୍‌ ସହିତ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଥିଲା। ସେଥିରେ ନୋଭାର୍ଟିସ୍‌ର ଥିବା ଅଂଶଧନକୁ ଜିଏସ୍‌କେ କିଣିବାକୁ ଚାହୁଁଛି ଯଦ୍ୱାରା ଏହି ଯୌଥ ଉଦ୍ୟୋଗର ପୂର୍ଣ୍ଣ ନିୟନ୍ତ୍ରଣ ଜିଏସ୍‌କେ ହାତକୁ ଚାଲିଆସିବ। ତେବେ ନୋଭାର୍ଟିସ୍‌ର ସବୁ ସେୟାରକୁ କିଣିବାକୁ ହେଲେ ୧୩୦୦ କୋଟି ଡଲାର ଦରକାର। ଏତେ ପରିମାଣର ଅର୍ଥରାଶି ଯୋଗାଡ଼ କରିବା ଜିଏସ୍‌କେ ପାଇଁ ସହଜ ନୁହେଁ। ତେଣୁ ଏହା ହର୍ଲିକ୍ସ ଓ ବୁଷ୍ଟ୍‍ ବ୍ରାଣ୍ଡ୍‌କୁ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବା ଉପରେ ବିଚାର କରୁଛି। ଆବଶ୍ୟକ ହେଲେ ଜିଏସ୍‌କେ ଏହାର ଭାରତରେ ଥିବା ସଂସ୍ଥାକୁ ସମ୍ପୂର୍ଣ୍ଣ ବିକ୍ରି କରିଦେଇପାରେ। ଭାରତୀୟ ସଂସ୍ଥାରେ ଜିଏସ୍‌କେର ୭୨.୫% ଅଂଶଧନ ରହିଛି। ଜିଏସ୍‌କେର ଭାରତୀୟ ସଂସ୍ଥା ୨୦୧୬-୧୭ରେ ୪୪୨୧ କୋଟି ଟଙ୍କାର କାରବାର କରିଥିଲା। ଏହି ସଂସ୍ଥା ପାଇଁ ଏଠାରେ ୩୩୦୦ ଲୋକ କାମ କରୁଛନ୍ତି। ହର୍ଲିକ୍ସ ଭାରତର ଏକ ବହୁତ ପରିଚିତ ବ୍ରାଣ୍ଡ୍‌। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହା ବେଶ ଲୋକପ୍ରିୟ। ହର୍ଲିକ୍ସ ଓ ବୁଷ୍ଟ୍‍ ବ୍ରାଣ୍ଡ୍‌କୁ ବିକ୍ରି କରିବା ଉପରେ କଂପାନି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଏହା କେବଳ ବିକ୍ରି ସମ୍ଭାବନା ଆକଳନ କରୁଛି। ୨୦୧୮ ଶେଷ ଆଡକୁ ହର୍ଲିକ୍ସ ବିକ୍ରି ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏହି ବିକ୍ରି ପାଇଁ ଭାରତ ସରକାରଙ୍କଠାରୁ ଆରମ୍ଭ କରି ଆହୁରି ବହୁତ ନିୟାମକ ସଂସ୍ଥାର ମଞ୍ଜୁରି ଦରକାର ପଡ଼ିବ। ସବୁ କିଛି ଠିକ୍‌୍‌ଠାକ୍‌ ରହିଲେ ହର୍ଲିକ୍ସ ବ୍ରାଣ୍ଡ୍‌ ବିକ୍ରି ହେବ। କଂପାନି ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ, ହର୍ଲିକ୍ସ ସତରେ ବିକ୍ରି ହେବ ନା ନାହିଁ ଏବେଠାରୁ ତାହାର କୌଣସି ଗ୍ୟାରେଣ୍ଟି ଦେଇନାହିଁ। ଜିଏସ୍‌କେ ଭାରତରେ ସେନ୍‌ସୋଡାଇନ୍‌ ଟୁଥ୍‌ପେଷ୍ଟ୍‍, ଭୋଲ୍‌ଟାରିନ୍‌ ମସଲ୍‌ ଜେଲ୍‌, ଫୁଡୁଲ୍‌ସ, ଆକ୍ଟିବେସ୍‌, ଭାଇଭା ଓ ମାଲ୍‌ଟୋଭା ଆଦି ବ୍ରାଣ୍ଡ୍‌ର ଉତ୍ପାଦ ବିକ୍ରି କରୁଛି।

ଉଲ୍ଲେଖଯୋଗ୍ୟ, ବଜାରକୁ ବିଭିନ୍ନ ପ୍ରକାର ଜୁସ୍‌ ଓ ଓଟସ୍‌ ଉତ୍ପାଦ ଆସିବା ପରେ ହର୍ଲିକ୍ସ ଓ ବୁଷ୍ଟ୍‍ର ଲୋକପ୍ରିୟତା ପ୍ରଭାବିତ ହୋଇଛି। ଏଥିପାଇଁ ଆହୁରି ଅନେକ ପ୍ରକାର କାରଣ ମଧ୍ୟ ରହିଛି। ଜିଏସ୍‌କେ ଆଗାମୀ ଦିନରେ କ୍ରୋସିନ୍‌, ଆୟୋଡେକ୍ସ ଓ ଇନୋ ଭଳି ଉତ୍ପାଦ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ଚାହୁଁଛି। ଏହା ହର୍ଲିକ୍ସ ଭଳି ନ୍ୟୁଟ୍ରିସନ୍‌ ଉତ୍ପାଦକୁ ଆଉ ଏତେ ଗୁରୁତ୍ୱ ଦେବାକୁ ଚାହୁଁନାହିଁ। ହର୍ଲିକ୍ସ ପାଇଁ ସବୁଠୁ ବଡ଼ ବଜାର ହେଉଛି ଭାରତ, ଶ୍ରୀଲଙ୍କା ଓ ବାଲାଂଦେଶ।

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତ ଆସିଥିଲା
୧୮୭୩ ମସିହାରେ ବ୍ରିଟେନ୍‌ରେ ଜନ୍ମ ଗ୍ରହଣ କରିଥିବା ଦୁଇ ଭାଇ ଓ୍ଵିଲିୟମ୍‌ ଓ ଜେମ୍‌ସ ହର୍ଲିକ୍ସଙ୍କ ଦ୍ୱାରା ହର୍ଲିକ୍ସକୁ ବିକଶିତ କରାଯାଇଥିଲା। କିଛି ବର୍ଷ ପରେ ସେମାନେ ଆମେରିକା ଚାଲିଯାଇଥିଲେ ଓ ସେଠାରେ କାରଖାନା ସ୍ଥାପନ କରି ହର୍ଲିକ୍ସ ଉତ୍ପାଦନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହର୍ଲିକ୍ସ ଭାରତକୁ ଆସିଥିଲା। ବ୍ରିଟିସ୍‌ ସେନା ଏହାକୁ ଭାରତ ଆଣିଥିଲା ବୋଲି କୁହାଯାଉଛି। କିଛି ଦିନ ଭିତରେ ଏହା ଭାରତୀୟଙ୍କ ଦ୍ୱାରା ଆଦୃତ ହୋଇଥିଲା। ପଞ୍ଜାବ, ବେଙ୍ଗଲ ଓ ମାଡ୍ରାସ୍‌ର ଲୋକମାନେ ପ୍ରଥମେ ଏହାକୁ ବ୍ୟବହାର କରିଥିଲେ। ୧୯୪୦ ଓ ୧୯୫୦ ବେଳକୁ ଏହା ଏକ ପାରିବାରିକ ପାନୀୟ ଉତ୍ପାଦରେ ପରିଣତ ହୋଇଥିଲା। କିଛି ବର୍ଷ ପରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ହର୍ଲିକ୍ସ ଥିବା ଘରକୁ ଧନୀ ଘର ବୋଲି ବିଚାର କରାଯାଉଥିଲା। ନିଜକୁ ସମ୍ଭ୍ରାନ୍ତ ବୋଲି ଦେଖେଇ ହେବାକୁ ଚାହୁଁଥିବା ଲୋକମାନେ ହର୍ଲିକ୍ସ କିଣୁଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ହର୍ଲିକ୍ସକୁ ବ୍ରିଟେନ୍‌ରୁ ଆମଦାନି କରାଯାଉଥିଲା ଓ ଏଠାରେ ପ୍ୟାକେଟ୍‌ ପ୍ରସ୍ତୁତ କରି ତାହାକୁ ବିକ୍ରି କରାଯାଉଥିଲା। ୧୯୫୮ ମସିହାରେ ପଞ୍ଜାବରେ ଏକ କାରଖାନା ସ୍ଥାପନ କରି ହର୍ଲିକ୍ସର ସ୍ଥାନୀୟ ଉତ୍ପାଦନ ଆରମ୍ଭ କରାଯାଇଥିଲା। ଚକୋଲେଟ୍‌, କେସର ବାଦାମ ଭଳି ବିଭିନ୍ନ ସ୍ୱାଦରେ ଏହାକୁ ବଜାରରେ ବିକ୍ରି କରାଯାଉଛି। ଏହି ବ୍ରାଣ୍ଡ୍‌ର ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ଏହାର ମୂଳ କଂପାନି ହର୍ଲିକ୍ସ ନାମରେ ବିସ୍କୁଟ୍‌ ମଧ୍ୟ ବଜାରକୁ ଆଣିଥିଲା। ନିଜର ୧୪୫ ବର୍ଷ ଯାତ୍ରାରେ ହର୍ଲିକ୍ସ ଅନେକ ମାଲିକ ବଦଳାଇଛି। ବିଚମ୍‌ ନାମକ ଏକ କଂପାନି ଏହାକୁ କିଣିଥିଲା। ୧୯୬୯ରେ ସ୍ମିଥ୍‌କ୍ଲାଇନ୍‌ ସହିତ ବିଚମ୍‌ର ମିଶ୍ରଣ ହୋଇଥିଲା। ଏହି ମିଶ୍ରଣରୁ ଯେଉଁ ନୂଆ କଂପାନି ସୃଷ୍ଟି ହୋଇଥିଲା ତାହା ୧୯୮୯ରେ ଗ୍ଲାକ୍ସୋ ସହିତ ମିଶିଯାଇଥିଲା। ଏହା ପରେ ସୃଷ୍ଟି ହୋଇଥିବା ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍‌ (ଜିଏସ୍‌କେ)। ସେହିଦିନଠାରୁ ଜିଏସ୍‌କେ ମାଲିକାନାରେ ହର୍ଲିକ୍ସ ରହିଛି।

କିଣିବା ଦୌଡ଼ରେ ନେସ୍‌ଲେ, ୟୁନିଲିଭର!

ହର୍ଲିକ୍ସ ବିକ୍ରି ହେବା ଖବର ପ୍ରଚାରିତ ହେବା ସହିତ ଏହାକୁ କିଣିବା ପାଇଁ ବିଭିନ୍ନ କଂପାନି ମଧ୍ୟ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି। ବିଶ୍ୱର ତିନିଟି ବଡ଼ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ କଂପାନି ନେସ୍‌ଲେ, ୟୁନିଲିଭର୍‌ ଓ କ୍ରାଫ୍ଟ ହେଇଞ୍ଜ୍‌ ଏହି ବ୍ରାଣ୍ଡ୍‌କୁ କିଣିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି। ହର୍ଲିକ୍ସକୁ କିଣିବା ପାଇଁ ଅତୀତରେ ନେସ୍‌ଲେ ପ୍ରୟାସ କରିଥିଲା ଓ ଏହାର ଅଭିପ୍ରାୟ ଜିଏସ୍‌କେକୁ ମଧ୍ୟ ଜଣାଇଥିଲା। କୋକାକୋଲା, ପେପ୍‌ସି, ସନ୍‌ଟୋରି, ମଣ୍ଡୋଲେଜ୍‌ ଇଣ୍ଟରନ୍ୟାସନାଲ୍‌ ଓ ଜେଏବି ଭଳି ବିଶ୍ୱ ସ୍ତରୀୟ କଂପାନି ମଧ୍ୟ ହର୍ଲିକ୍ସ କିଣିବା ପାଇଁ ଆଗ୍ରହ ଦେଖାଇ ପାରନ୍ତି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। କେଉଁ ସଂସ୍ଥା ହାତକୁ ହର୍ଲିକ୍ସ ଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର