ବିଗ୍ ଏଫ୍‌ଏମ୍‌କୁ ୧୨୦୦ କୋଟିରେ ବିକିବେ ଅନିଲ

ମୁମ୍ବାଇ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନିଲ ଅମ୍ବାନି ନିଜର ଏଫ୍‌ଏମ୍‌ ରେଡିଓ ଚ୍ୟାନେଲ୍ ‘ବିଗ୍ ଏଫ୍‌ଏମ୍‌’କୁ ୧୨୦୦ କୋଟି ଟଙ୍କାରେ ଜାଗରଣ ପ୍ରକାଶନକୁ ବିକ୍ରି ‌କରିବେ। ଟିଭି ଓ ରେଡିଓ ବ୍ୟବସାୟର ପରିଚାଳନା ପାଇଁ ରିଲାଏନ୍ସ ବ୍ରୋଡକାଷ୍ଟ୍‌ ନେଟ୍‌ୱର୍କ ଲିମିଟେଡ୍‌ ନାମରେ ଅନିଲ ଏକ କଂପାନି ସ୍ଥାପନ କରିଥିଲେ। ସେହି କଂପାନିର ଅଂଶଧନକୁ ଜାଗରଣ ପ୍ରକାଶନ କିଣିବ। ଏହି ସଂସ୍ଥା ଅନିଲଙ୍କ ବିଗ୍ ଏଫ୍‌ଏମ୍ ଓ ବିଗ୍ ମ୍ୟାଜିକ୍ ଟିଭି ଚ୍ୟାନେଲ୍‌ର ପରିଚାଳନା କରୁଛି। ଜାଗରଣ ପ୍ରକାଶନ ହେଉଛି ରେଡିଓ ସିଟିର ମାଲିକ। ସାରା ଦେଶରେ ରେଡିଓ ସିଟିର ୩୯ଟି ଷ୍ଟେସନ ରହିଛି। ଅନିଲଙ୍କ ବିଗ୍ ଏଫ୍‌ଏମ୍ ପାଖରେ ୫୯ଟି ରେଡିଓ ଷ୍ଟେସନ ରହିଛି। ବିଗ୍ ଏଫ୍‌ଏମ୍‌କୁ କିଣିଲେ ଜାଗରଣ ପ୍ରକାଶନ ଏହି କ୍ଷେତ୍ରରେ ନିଜର ସ୍ଥିତିକୁ ଅତ୍ୟନ୍ତ ମଜବୁତ କରିପାରିବ। ଦୁଇ ସଂସ୍ଥାର ମିଶ୍ରଣ ପରେ ରେଡିଓ ସିଟି ଦେଶର ସର୍ବବୃହତ ଘରୋଇ ଏଫ୍‌ଏମ୍‌ ରେଡିଓ ଚ୍ୟାନେଲ୍ ହୋଇଯିବ।

ପାଖାପାଖି ୧୨୦୦୦ କୋଟି ଟଙ୍କାର ଋଣ ପରିଶୋଧ କରିବାକୁ ଅନିଲ ସଂଘର୍ଷ କରୁଛନ୍ତି। ସେଥିପାଇଁ ବିଭିନ୍ନ ଉତ୍ସରୁ ପାଣ୍ଠି ଯୋଗାଡ଼ କରିବାରେ ଲାଗିଛନ୍ତି। ଯଦି ବିଗ୍ ଏଫ୍‌ଏମ୍‌ ବିକ୍ରି ହୋଇଯିବ ତେବେ ଅନିଲଙ୍କୁ ଏକ ବଡ଼ ଧରଣର ଆଶ୍ବସ୍ତି ମିଳିବ। କେବଳ ରେଡିଓ ଚ୍ୟାନେଲ୍ ନୁହେଁ ଅନିଲ ନିଜର ଅନ୍ୟ ଏକ କଂପାନି ରିଲାଏନ୍ସ କ୍ୟାପିଟାଲ୍‌ରେ ଥିବା ୩୨.୮% ଅଂଶଧନକୁ ଜାପାନର ନିପନ୍‌ ଲାଇଫ୍ ଏଏମ୍‌ସିକୁ ବିକ୍ରି କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର