ବ୍ୟାଙ୍କ ଠକେଇ ପରେ ଚେତା ପଶିଲା, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ପାଇଁ ନିୟମ କଡ଼ାକଡ଼ି ହେବ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ସମେତ ଅନେକଗୁଡ଼ିଏ ବ୍ୟାଙ୍କ ଠକେଇ ପଦାକୁ ଆସିବା ପରେ ଏହାକୁ ରୋକିବା ଲାଗି ସରକାରଙ୍କ ଚେତା ପଶିଛି। ତାଲିକାଭୁକ୍ତ କମ୍ପାନି ଗୁଡ଼ିକୁ ଆର୍ଥିକ ହିସାବକୁ ଅଡିଟ୍‌ କରୁଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ୍‌, ମୂଲ୍ୟାୟନକାରୀ ଏବଂ ଅନୁଧ୍ୟାନକାରୀ ଏଜେନ୍ସି ଗୁଡ଼ିକ ପାଇଁ ଆଗାମୀ ଦିନରେ ନିୟମ କଡ଼ାକଡ଼ି ହେବ। କମ୍ପାନି ଗୁଡ଼ିକ ନିଯୁକ୍ତ କରୁଥିବା ଅଡିଟରଙ୍କ ପାଇଁ ନିୟମକୁ କଡ଼ାକଡ଼ି କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଛି। ଉଲ୍ଲେଖଯୋଗ୍ୟ ଯେ, କର୍ପୋରେଟ ଗଭର୍ଣ୍ଣାନ୍ସ ମାନରେ ଉନ୍ନତି ଆଣିବା ଲାଗି ଗଠିତ କୋଟାକ କମିଟି ଗତବର୍ଷ ଏହାର ସୁପାରିସ ପ୍ରଦାନ କରିଥିଲା। ଏଥିରେ ଅଡିଟର ଓ ତୃତୀୟ ପକ୍ଷ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେବିକୁ ସ୍ପଷ୍ଟ କ୍ଷମତା ଦେବାକୁ କମିଟି ସୁପାରିସ କରିଥିଲା। ଅଡିଟରେ ତ୍ରୁଟି ଯୋଗୁ କମ୍ପାନି ଗୁଡ଼ିକରେ ଅନେକ ଠକେଇ ହେଉଛି ଯାହାକି ନଜରକୁ ଆସୁନାହିଁ। ଅଡିଟ କରୁଥିବା ସଂସ୍ଥା ଗୁଡ଼ିକ ଉପରେ ସେବିର କୌଣସି ପ୍ରତ୍ୟକ୍ଷ ନିୟନ୍ତ୍ରଣ ମଧ୍ୟ ରହୁନାହିଁ। ଅଡିଟ୍‌ବେଳେ ନିୟମ ଉଲ୍ଲଂଘନ କରୁଥିବା କିମ୍ବା ମିଥ୍ୟା ପ୍ରମାଣପତ୍ର ପ୍ରଦାନ କରୁଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ ତଦନ୍ତ କରି ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ କମ୍ପାନି ବୋର୍ଡର ନିର୍ଦ୍ଦେଶକମଣ୍ଡଳୀକୁ କ୍ଷମତା ଦେବା ଲାଗି ସେବି ପ୍ରସ୍ତାବ ଦେଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଠକେଇ ମାମଲା ପଦାକୁ ଆସିବା ପରେ ସେବି ଏଭଳି ତତ୍ପରତା ପ୍ରକାଶ କରିଛି। ସେବି ପକ୍ଷରୁ ଏ ନେଇ ଜାରି ଚିଠା ପ୍ରସ୍ତାବ ଉପରେ ମତାମତ ଦାଖଲ ପାଇଁ ୩୦ ଦିନର ସମୟ ଦିଆଯାଇଛି।

ସମ୍ବନ୍ଧିତ ଖବର