ମାଗଣାରେ ବାଣ୍ଟିବାକୁ ଅନୁମତି ନ ମିଳିବାରୁ ପୋଡିଦିଆଗଲା ୨ କୋଟି ଟଙ୍କାର ୨୬ ଟନ ଆଇସକ୍ରିମ

ମୁମ୍ବାଇ: ମାଗଣାରେ ବାଣ୍ଟିବାକୁ ଅନୁମତି ନ ମିଳିବାରୁ ଶେଷରେ ପୋଡିଦିଆଗଲା ୨୬ ଟନ ଆଇସକ୍ରିମ | ଲକଡାଉନ୍ ମଧ୍ୟରେ ମୁମ୍ବାଇରୁ ଏଭଳି ଏକ ଖବର ଆସିଛି | ମିଳିଥିବା ସୂଚନା ମୁତାବକ ମୁମ୍ବାଇର ନାଚୂରାଲ୍ସ ଆଇସ୍କ୍ରିମ୍ ପକ୍ଷରୁ ଖରାଦିନକୁ ଦେଖି ମାର୍ଚ୍ଚ ମାସରେ ୪୫୦୦୦ ଛୋଟ ବାକ୍ସରେ ୨୬ ଟନ ଆଇସକ୍ରିମ ପ୍ରସ୍ତୁତ କରାଯାଇଥିଲା | କିନ୍ତୁ ମହାରାଷ୍ଟ୍ର ସରକାର ମାର୍ଚ୍ଚ ୨୦ ରୁ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ | ସେହିପରି କରୋନା ସଂକ୍ରମଣ ହେତୁ ଆଇସକ୍ରିମର ବ୍ୟବହାର ବହୁ ମାତ୍ରାରେ ହ୍ରାସ ପାଇଥିଲା। ନାଚୂରାଲ୍ସ ଆଇସ୍କ୍ରିମର ଉପାଧ୍ୟକ୍ଷ ହେମନ୍ତ ନାଇକ କହିଛନ୍ତି ଏହା ଏକ କ୍ଷୀର ଉତ୍ପାଦ ହୋଇଥିବାରୁ ଆଇସକ୍ରିମର କିଛି ନିର୍ଦ୍ଦିଷ୍ଟ ସମୟସୀମା ଥାଏ | ଯେତେବେଳେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଥିଲେ ଆମେ ଆଉ ବଜାରକୁ ଛାଡିପାରିନଥିଲୁ |

ଏହା ପରେ କମ୍ପାନୀ ଚେଷ୍ଟା କରିଥିଲା ଯେ ଏହି ଆଇସ୍କ୍ରିମ୍ ନଷ୍ଟ ହେବା ପୂର୍ବରୁ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯିବା ଉଚିତ୍ | କମ୍ପାନୀ ଏଥିପାଇଁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଏବଂ ପୁଲିସର ଅନୁମତି ମାଗିଥିଲା | କିନ୍ତୁ ପ୍ରଶାସନ କେବଳ ଜରୁରୀ ଦ୍ରବ୍ୟ ବଣ୍ଟନ ପାଇଁ ଅନୁମତି ଦେଉଥିଲା | ଯେହେତୁ ଆଇସ୍କ୍ରିମ୍ ଏକ ଜରୁରୀ ବସ୍ତୁ ଭାବରେ ବିବେଚନା କରାଯାଉ ନଥିଲା ଏହା ନଷ୍ଟ ହୋଇଯାଇଥିଲା | ତେବେ ଏତେ ମାତ୍ରାରେ ଆଇସକ୍ରିମ ନଷ୍ଟ ହୋଇଯାଇଥିବାରୁ ଏହାକୁ କେଉଁଠି ଫିଙ୍ଗାଯିବ ତାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା |

ତେଣୁ କମ୍ପାନୀ ସଞ୍ଜୀବନୀ ଏସ୩ ନାମକ ଏକ ବାୟୋଗ୍ୟାସ କମ୍ପାନୀ ସହ ଯୋଗାଯୋଗ କରିଥିଲା | ସଞ୍ଜୀବନୀ ଏସ୩ ଏହି ୨୬ ଟନ ଆଇସକ୍ରିମକୁ ନେଇ ବାୟୋଗ୍ୟାସ ପ୍ରସ୍ତୁତ କରିଥିଲା | ତେବେ ଲକଡାଉନ୍ ହେତୁ ଏହି ଗ୍ୟାସ୍ ମଧ୍ୟ କୌଣସି ସ୍ଥାନରେ ବ୍ୟବହୃତ ହୋଇପାରିଲା ନାହିଁ ଏବଂ ସେହିଭଳି ପୋଡି ଦିଆଯାଇଥିଲା | ନାଚୂରାଲ୍ସ ଆଇସ୍କ୍ରିମର ଉପାଧ୍ୟକ୍ଷ ହେମନ୍ତ ନାଇକ କହିଛନ୍ତି ଯେ ଏହି ଆଇସକ୍ରିମ୍ ନଷ୍ଟ ହେବା ଦ୍ୱାରା କମ୍ପାନୀ ପ୍ରାୟ ୨ କୋଟି ଟଙ୍କା କ୍ଷତି ସହିଛି।

ସମ୍ବନ୍ଧିତ ଖବର