ସବୁଠୁ ଲମ୍ବା ମାନ୍ଦାବସ୍ଥା, ୧୮ ମାସରୁ ଅଧିକ ସମୟ ରହିଲାଣି

ନୂଆଦିଲ୍ଲୀ: ଏବେ ଦେଶରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହା ଦୀର୍ଘ ସମୟ ପାଇଁ ରହିଛି। ପୂର୍ବର ମାନ୍ଦାବସ୍ଥାଗୁଡ଼ିକ ଏତେ ଲମ୍ବା ସମୟ ରହିନଥିଲା। ବିଶ୍ବ ସ୍ତରୀୟ ବ୍ରୋକିଂ ସଂସ୍ଥା ଗୋଲ୍‌ଡମ୍ୟାନ୍ ସ୍ୟାଚ୍ସ ଏହାର ରିପୋର୍ଟରେ ଏକଥା ଜଣାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଗ୍ରାହକମାନେ ଜିନିଷପତ୍ର କିଣାକିଣି କମାଇ ଦେଇଥିବାରୁ ଭାରତରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହା ଦ୍ବାରା ଗାଡ଼ି ବଜାର ଅଧିକ ପ୍ରଭାବିତ ହୋଇଛି। ୨୦୦୬ ପରେ ଦେଶରେ ଏତେ ଲମ୍ବା ମାନ୍ଦାବସ୍ଥା ଦେଖିବାକୁ ମିଳିନଥିଲା। ଏହା ପୂର୍ବରୁ ଦେଶରେ ଚାରିଟି ପର୍ଯ୍ୟାୟରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା। ୨୦୦୮ ବିଶ୍ବସ୍ତରୀୟ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ପଡ଼ିଥିଲା। ତାହା ୨୦୦୮ ଜୁନ୍‌ରୁ ୨୦୦୯ ଜାନୁଆରି ପର୍ଯ୍ୟନ୍ତ ଆଠ ମାସ ପାଇଁ ରହିଥିଲା। ଏହା ପରେ ୨୦୧୧ ଫେବ୍ରୁଆରିରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପୁଣି ୯ ମାସର ଏକ ମାନ୍ଦାବସ୍ଥା ଦେଇ ଭାରତ ଗତି କରିଥିଲା। ପୁଣି ୨୦୧୨ ଫେବ୍ରୁଆରିରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୮ ମାସ ପାଇଁ ଆଉ ଏକ ମାନ୍ଦାବସ୍ଥା ଦେଖାଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମୁଦ୍ରୀକରଣ ଘୋଷଣା ଯୋଗୁ ୨୦୧୬ ଅକ୍ଟୋବରରୁ ୨୦୧୭ ଜାନୁଆରି ପର୍ଯ୍ୟନ୍ତ ଚାରି ମାସ ପାଇଁ ମାନ୍ଦାବସ୍ଥା ଦେଖାଦେଇଥିଲା। ଏହା ପରେ ସ୍ଥିତି ସୁଧୁରି ଯାଇଥିଲା। ଏବେ ଯେଉଁ ମାନ୍ଦାବସ୍ଥା ଲାଗି ରହିଛି ତାହା ୨୦୧୮ ଜାନୁଆରିରୁ ଆରମ୍ଭ ହୋଇଛି ବୋଲି ଗୋଲ୍‌ଡମ୍ୟାନ୍ ସ୍ୟାଚ୍ସ କହିଛି। ଏହାର ଅବଧି ୧୮ ମାସରୁ ଅଧିକ ହୋଇଗଲାଣି। ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଏହି ମାନ୍ଦାବସ୍ଥା ଦୂର ହୋଇଯିବ ବୋଲି ଗୋଲ୍‌ଡମ୍ୟାନ୍ ସ୍ୟାଚ୍ସ ଆକଳନ କରିଛି।

ମାନ୍ଦାବସ୍ଥା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜର ମତ ଦେଇଛି। ଏହା ଜଣାଇଛି ଯେ, ମାନ୍ଦାବସ୍ଥା ଯେତେ ବଡ଼ କୁହାଯାଉଛି ତାହା ସେତେ ବଡ଼ ନୁହେଁ। ମାନୁଫାକ୍‌ଚରିଂ, ହୋଟେଲ, କାରବାର, ପରିବହନ, ଯୋଗାଯୋଗ, ପ୍ରସାରଣ, ନିର୍ମାଣ ଏବଂ କୃଷି କ୍ଷେତ୍ରରେ ମାନ୍ଦାବସ୍ଥାର ପ୍ରଭାବ ରହିଛି। ଜମି, ଶ୍ରମ ଓ କୃଷି ମାର୍କେଟିଂ ଭଳି କେତେକ କ୍ଷେତ୍ରରେ ସମସ୍ୟା ରହିଛି ଯାହାକୁ ସମାଧାନ କରାଯିବା ଦରକାର। ଏହା ବ୍ୟତୀତ ଭିତ୍ତିଭୂମିରେ ପୁଞ୍ଜିନିବେଶ ବଢ଼ାଇଲେ ଏବଂ ଆଉ କିଛି ସଂସ୍କାରମୂଳକ ପଦକ୍ଷେପ ନେଲେ ଏହି ମାନ୍ଦାବସ୍ଥା ଆପେ ଦୂର ହୋଇଯିବ। ପୂର୍ବବର୍ଷ ଭଲ ଅମଳ ହୋଇନାହିଁ ଏବଂ ଯାହା ଫସଲ ଅମଳ ହୋଇଥିଲା ତାହା ଭଲ ଦାମ୍‌ରେ ବିକ୍ରି ନହେବାରୁ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଆୟ କମିଛି। ସେଥିପାଇଁ ସେମାନେ ବିଭିନ୍ନ ଜିନିଷ କିଣିବା କମାଇ ଦେଇଛନ୍ତି। ସେଥିପାଇଁ ଗ୍ରାମାଞ୍ଚଳରେ ମାନ୍ଦାବସ୍ଥା ଦେଖାଦେଇଛି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗାଡ଼ି ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ଯୋଗୁ ଭାରତରେ ଅଧିକ ଗାଡ଼ି ବିକ୍ରି ହେଉନି।

ସମ୍ବନ୍ଧିତ ଖବର