ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବ୍ୟାଙ୍କ କାରବାର ସ୍ୱାଭାବିକ ରହିବ

ନୂଆଦିଲ୍ଲୀ: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦେଶରେ ବ୍ୟାଙ୍କ ଗୁଡ଼ିକ ୬ଦିନ ପାଇଁ ବନ୍ଦ ରହିବ ବୋଲି ସାମାଜିକ ଗଣମାଧ୍ୟମରେ ଯେଉଁ ପ୍ରଚାର ଚାଲିଛି ତାହାକୁ ଗୁଜବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଗୁଜବ ଯୋଗୁଁ ସାଧାରଣ ଲୋକମାନେ ଆଶଙ୍କା ଭିତରକୁ ଠେଲି ହୋଇଯିବା ପରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରଥମ ସପ୍ତାହରେ ବ୍ୟାଙ୍କ ଖୋଲା ରହିବ ଏବଂ ବ୍ୟାଙ୍କିଙ୍ଗ୍‌ ସେବାରେ କୌଣସି ବ୍ୟାଘାତ ପହଞ୍ଚିବ ନାହିଁ ବୋଲି କୁହାଯାଇଛି। ସେପ୍ଟେମ୍ବର ୨ ତାରିଖରେ ରବିବାର ପାଇଁ ଏବଂ ୮ ତାରିଖରେ ଦ୍ୱିତୀୟ ଶନିବାର ପାଇଁ ଏହି ସପ୍ତାହରେ ବ୍ୟାଙ୍କ ବନ୍ଦ ରହିବ ବୋଲି କୁହାଯାଇଛି। ୩ ତାରିଖ ସର୍ବ ଭାରତୀୟସ୍ତରରେ ଛୁଟି ରହିବ ନାହିଁ। ନେଗୋସିଏବଲ୍‌ ଇନ୍‌ଷ୍ଟମେଣ୍ଟସ ଆକ୍ଟ ୧୮୮୧ ଅନୁଯାୟୀ ଦେଶର କେତେକ ରାଜ୍ୟରେ ଏହି ଦିନ ବ୍ୟାଙ୍କ ଛୁଟି ହେବ। ତେଣୁ ଏସବୁ ଦିନରେ ଏଟିଏମ୍‌ ପୂର୍ବଭଳି କାର୍ଯ୍ୟ କରିବ ଏବଂ ଅନଲାଇନ୍‌ ବ୍ୟାଙ୍କିଙ୍ଗ୍‌ କାରବାର ମଧ୍ୟ ସ୍ୱାଭାବିକ ରହିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପେନ୍‌ସନ୍‌ ଦାବି ନେଇ ସେପ୍ଟେମ୍ବର ୪ ଓ ୫ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କର କର୍ମଚାରୀମାନେ ସମୂହ ଛୁଟିରେ ଯିବେ। ପେନ୍‌ସନ୍‌ ବାହାରେ ଥିବା କର୍ମଚାରୀଙ୍କ ପାଇଁ ଆଉ ଏକ ପେନ୍‌ସନ୍‌ ବିକଳ୍ପ ପ୍ରଦାନ କରିବା ଓ ୨୦୧୨ ପରେ ଯୋଗ ଦେଇଥିବା କର୍ମଚାରୀଙ୍କ ପାଇଁ ସେମାନେ ଅତିରିକ୍ତ ପେନ୍‌ସନ୍‌ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର