‌କୋଭିଡ୍ ସାମଗ୍ରୀରୁ ଜିଏସ୍‌ଟି ହ୍ରାସ, ବ୍ଲାକ୍ ଫଙ୍ଗସ୍‌ ଔଷଧ ଉପରୁ ଟିକସ ଛାଡ଼

ଟିକା ଟିକସ ୫%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀ ମୁକାବିଲାରେ ବ୍ୟବହାର ହେଉଥିବା ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ କରିବା ଲାଗି ଆଜି ଜିଏସ୍‌ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ମାତ୍ର ଟିକା ଉପରେ ଜିଏସ୍‌ଟି ୫%ରେ ଅପରିବର୍ତ୍ତିତ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୪୪ତମ ବୈଠକରେ ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ଲାଗି ବ୍ୟବହାର କରାଯାଉଥିବା ଔଷଧ ଉପରୁ ଟିକସ ଛାଡ଼ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ପରିବର୍ତ୍ତିତ ଟିକସ ହାର ରହିବ।
ବ୍ଲାକ୍ ଫଙ୍ଗସ୍‌ ଔଷଧ ଆମ୍ଫୋଟେରିସିନ୍ ବି ଉପରୁ ଟିକସ ଛାଡ଼ କରାଯାଇଛି। ଟେସିଲିଜୁମାବ୍‌ ଔଷଧ ଉପରୁ ମଧ୍ୟ ଟିକସ ଛାଡ଼ କରାଯାଇଛି। ପୂର୍ବରୁ ଏହି ଦୁଇ ଔଷଧ ଉପରେ ୫% ଟିକସ ଥିଲା। ସେହିପରି ହେପାରିନ୍ ଓ ରେମେ୍‌ଡେସିଭିର୍‌ ଉପରୁ ଟିକସକୁ ୧୨%ରୁ ହ୍ରାସ କରି ୫% କରାଯାଇଛି।

କୋଭିଡ୍‌ ଚିକିତ୍ସା ଲାଗି ବ୍ୟବହାର ହେଉଥିବା ଅନ୍ୟ ସବୁ ପ୍ରକାର ଔଷଧର ଟିକସକୁ ୫%କୁ ହ୍ରାସ କରାଯାଇଛି। ମେଡିକାଲ୍ ମାନର ଅକ୍ସିଜେନ୍, ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର, ଅକ୍ସିଜେନ୍ ଜେନେରେଟର, ଭେଣ୍ଟିଲେଟର, ଭେଣ୍ଟିଲେଟର ମାସ୍କ, କାନୁଲା, ହେଲ୍‌ମେଟ୍, ବିପାପ୍ ମେସିନ୍, ହାଇ ‌ଫ୍ଲୋ ନାଜାଲ୍ କାନୁଲା ଭଳି ମେଡିକାଲ୍ ଉପକରଣ ଉପରୁ ଟିକସକୁ ୧୨%ରୁ ହ୍ରାସ କରି ୫% କରାଯାଇଛି। କୋଭିଡ୍ ଟେଷ୍ଟିଂ କିଟ୍ ଏବଂ ଡି-ଡେମିର୍, ଆଇଏଲ୍-୬, ଫେରିଟିନ୍ ଓ ଏଲ୍‌ଡିଏଚ୍‌ ଭଳି ନିଦାନ କିଟ୍‌ ଉପରୁ ମଧ୍ୟ ଟିକସକୁ ୧୨%ରୁ ହ୍ରସ କରି ୫% କରାଯାଇଛି। କୋଭିଡ୍ ସମ୍ପର୍କିତ ଅନ୍ୟାନ୍ୟ ରିଲିଫ୍‌ ଉପକରଣ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି। ପଲ୍‌ସ ଅକ୍ସିମିଟର ଟିକସକୁ ୧୨%ରୁ ହ୍ରାସ କରି ୫% କରାଯାଇଛି। ହ୍ୟାଣ୍ଡ୍‌ ସାନିଟାଇଜର, ତାପମାତ୍ରା ମାପିବା ଯନ୍ତ୍ର, ଶବଦାହରେ ବ୍ୟବହାର ହେଉଛି ଗ୍ୟାସ୍/ବିଦ୍ୟୁତ ଓ ଅନ୍ୟାନ୍ୟ ଫର୍ଣ୍ଣାସ୍‌ ଉପରୁ ଟିକସକୁ ୧୮%ରୁ ୫%କୁ ହ୍ରାସ କରାଯାଇଛି। ଆମ୍ବୁଲାନ୍ସ ଉପରୁ ଟିକସ ୨୮%ରୁ ହ୍ରାସ ପାଇ୧୨% ହୋଇଛି।

କେବଳ କୋଭିଡ୍ ମୁକାବିଲା ଲାଗି ଦରକାର ହେଉଥିବା ସାମଗ୍ରୀର ଟିକସ ହାର ନିର୍ଧାରଣ କରିବା ଲାଗି ଆଜି ଜିଏସ୍‌ଟି ପରିଷଦର ବୈଠକ ବସିଥିଲା। ଏହା ପୂର୍ବରୁ ମେ’ ୨୮ରେ ଅନୁଷ୍ଠିତ ହୋଇଥିବା ପରିଷଦର ୪୩ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇପାରିନଥିଲା। ଟିକସ ହାର ନିର୍ଧାରଣ କରିବା ଲାଗି ମେଘାଳୟ ଉପମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମାଙ୍କ ନେତୃତ୍ବରେ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ସେହି ମନ୍ତ୍ରୀ ଗୋଷ୍ଠୀର ସୁପାରିସ ଆଧାରରେ ଆଜି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଟିକା ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରମଣ ଆଜି କହିଛନ୍ତି ଯେ ଯେତେବେଳେ କେନ୍ଦ୍ର ସରକର ଟିକା କିଣି ଲୋକମାନଙ୍କ ପାଇଁ ମାଗଣାରେ ଯୋଗାଇ ଦେଉଛନ୍ତି ସେହି ସମୟରେ ଏହା ଉପରେ ଲଗାଯାଇଥିବା ଜିଏସ୍‌ଟି ସାଧାରଣ ଲୋକଙ୍କୁ କୌଣସି ପ୍ରକାରରେ ପ୍ରଭାବିତ କରିବ ନାହିଁ। ମନ୍ତ୍ରୀ ଗୋଷ୍ଠୀର ସୁପାରିସ ଅନୁସାରେ କୋଭିଡ୍‌ ମୁକାବିଲାରେ ବ୍ୟବହାର ହେଉଥିବା ‌ଅନେକ ସାମଗ୍ରୀର ଟିକସ ହାରକୁ ୧୨%ରୁ ୫%କୁ ଓ ୧୮%ରୁ ୧୨%କୁ ହ୍ରାସ କରାଯାଇଛି।

ଟିକସ ଆୟର ୭୦% ରାଜ୍ୟଗୁଡ଼ିକୁ ଦିଆଯିବ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ୭୫% ଟିକା କିଣିବେ ଓ ତାହାର ଜିଏସ୍‌ଟି ନିଜେ ଭରଣା କରିବେ। କୋଭିଡ୍‌ ମୁକାବିଲା ଲାଗି ବ୍ୟବହାର ହେଉଥିବା ସାମଗ୍ରୀ ଉପରୁ କିନ୍ତୁ ଯେଉଁ ରାଜସ୍ବ ଆୟ ହେବ ତାହାର ୭୦% ଅର୍ଥକୁ ରାଜ୍ୟଗୁଡ଼ିକ ମଧ୍ୟରେ ବାଣ୍ଟି ଦିଆଯିବ। ଆଜି ଜିଏସ୍‌ଟି ପରିଷଦ ବୈଠକ ଶେଷ ହେବା ପରେ ଛତିଶଗଡ଼ର ଅର୍ଥମନ୍ତ୍ରୀ ଟି ଏସ୍‌ ଦେଓ ଅସନ୍ତୋଷ ଜାହିର କରି କହିଛନ୍ତି ଯେ କିଛି ରାଜ୍ୟ କୋଭିଡ୍ ରିଲିଫ୍‌ ସାମଗ୍ରୀ ଉପରୁ ଟିକସକୁ ଶୂନ କରିବା ଲାଗି ଦାବି କରିଥିଲେ। ସେମାନଙ୍କ ପ୍ରସ୍ତାବକୁ ବିଚାରକୁ ନିଆଯାଇନାହିଁ। କ୍ଷତିପୂରଣ ରାଶି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କିଛି ରାଜ୍ୟ ଚାହିଥିଲେ। ମାତ୍ର ଏହା ଉପରେ ସ୍ବତନ୍ତ୍ର ବୈଠକ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ରାଜ୍ୟଗୁଡ଼ିକ ଲାଗି ଋଣର ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ ୫% ପର୍ଯ୍ୟନ୍ତ ବଢ଼ାଇବାକୁ ମଧ୍ୟ କିଛି ରାଜ୍ୟ ଦାବି କରିଛନ୍ତି।ଆଜି ଜିଏସ୍‌ଟି ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ବିଶେଷଜ୍ଞ ମହଲ ସ୍ବାଗତ କରିଛନ୍ତି। ସାର୍ଦୁଲ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ୍‌ କୋର ପାର୍ଟନର ରଜତ ବୋଷଙ୍କ ମତରେ କୋଭିଡ୍‌ ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବୋଧହୁଏ ସେପ୍ଟେମ୍ବର ପରେ ସ୍ଥିତିକୁ ସମୀକ୍ଷା କରିବା ପରେ ସରକାର ଏହି ଟିକସକୁ ଆଉ କିଛି ମାସ ବଢ଼ାଇପାରନ୍ତି। କୋଭିଡ୍ ସାମଗ୍ରୀ ଉପରୁ ଯେଉଁ ଆୟ ହେବ ତାହାର ୭୦ ପ୍ରତିଶତ ରାଜ୍ୟଗୁଡ଼ିକ ସହ ବାଣ୍ଟିବା ଦ୍ବାରା ସେମାନଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର