ନୂଆଦିଲ୍ଲୀ : ଦେଶରେ ଏବେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ଆସନ୍ତା ମାସ ଆରମ୍ଭରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତି କରୋନା ଟିକା ନେବା ପାଇଁ ଯୋଗ୍ୟ ହେବେ। ଦେଶର ମୋଟ ଜନସଂଖ୍ୟା ୧୩୩ କୋଟି ୨୬ ଲକ୍ଷ ବୋଲି ଧରାଗଲେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୪ କୋଟି ୧୯ ଲକ୍ଷ ଟିକା ନେବାକୁ ଯୋଗ୍ୟ ହେବେ। ଇଣ୍ଡିଆ ରେଟିଂସ୍ ଆଣ୍ଡ୍ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ହିସାବରୁ ଏହା ଜଣାଯାଇଛି ଯେ, ଏହି ଟିକାକରଣ ପାଇଁ ୬୭୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ କେନ୍ଦ୍ର ସରକାରଙ୍କୁ ୨୦୮୭୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରଗୁଡ଼ିକୁ ମୋଟ ୪୬୩୨୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
କେନ୍ଦ୍ର ସରକାରଙ୍କୁ ଟିକା ନିର୍ମାତାମାନେ ୫୦ ପ୍ରତିଶତ ଟିକା ଯୋଗାଇବେ। ଅବଶିଷ୍ଟ ୫୦ ପ୍ରତିଶତ ଟିକାକୁ କମ୍ପାନି ଗୁଡ଼ିକ ରାଜ୍ୟ ସରକାରଙ୍କୁ ଯୋଗାଇବା ସହିତ ଖୋଲା ବଜାରରେ ବିକ୍ରି କରିବେ। ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ମୋଟ ୨୧୪ ନିୟୁତ ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ ଟିକା କିଣିଛନ୍ତି। ଏବାବଦରେ ସରକାର ମୋଟ ୫୦୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତେଣୁ ଅବଶିଷ୍ଟ ୧୫୫.୪ କୋଟି ଡୋଜ୍ ଟିକା କିଣିବା ପାଇଁ ୬୨୧୦୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ତେବେ ଏହି ରାଶି ସେତେଟା ଅଧିକ ନୁହେଁ। କାରଣ ଦେଶର ମୋଟ ଜିଡିପିର ଏହା ୦.୩୬ ପ୍ରତିଶତ ବୋଲି ଇଣ୍ଡିଆ ରେଟିଂସ ଆକଳନ କରିଛି। ଯଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟିକା ଖର୍ଚ୍ଚକୁ ବାଣ୍ଟି ଦିଆଯାଏ ତା’ହେଲେ କେନ୍ଦ୍ର ବଜେଟ୍ ଉପରେ ଜିଡିପିର ୦.୨୪ ପ୍ରତିଶତ ପ୍ରଭାବ ଏବଂ ରାଜ୍ୟ ଗୁଡ଼ିକର ବଜେଟ ଉପରେ ସେମାନଙ୍କ ଜିଏସ୍ଡିପିର ୦.୨୪ ପ୍ରତିଶତ ପ୍ରଭାବ ପଡ଼ିବ। ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ପ୍ରଭାବ ବିହାର ଉପରେ ରହିବ। ବିହାର ଜିଏସଡିପିର ଏହା ୦.୬ ପ୍ରତିଶତ ରହିବାକୁ ଥିବାବେଳେ ଉତ୍ତର ପ୍ରଦେଶର ୦.୪୭ ପ୍ରତିଶତ ଏବଂ ଝାଡ଼ଖଣ୍ଡର ୦.୩୭ ପ୍ରତିଶତ, ମଣିପୁରର ୦.୩୬ ପ୍ରତିଶତ, ଆସାମର ୦.୩୫ ପ୍ରତିଶତ, ମଧ୍ୟପ୍ରଦେଶର ୦.୩୦ ପ୍ରତିଶତ ଏବଂ ଓଡ଼ିଶା ଜିଏସ୍ଡିପିର ୦.୩୦ ପ୍ରତିଶତ ରହିବ ବୋଲି ଇଣ୍ଡିଆ ରେଟିଂସ୍ ଏହାର ଆକଳନରେ ଦର୍ଶାଇଛି।