ନୂଆଦିଲ୍ଲୀ: ଗତବର୍ଷଠାରୁ ବିଶ୍ବସ୍ତରୀୟ କଂପାନି ଗୁଗୁଲ୍, ମେଟା, ଟ୍ବିଟର ଆଦି ହଜାର ହଜାର କର୍ମଚାରୀଙ୍କୁ ଛଟେଇ ଜାରି ରଖିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବ। ଆସନ୍ତା ୫ ବର୍ଷରେ ପ୍ରାୟ ୧.୪ କୋଟି ଚାକିରି ଉଭାନ ହୋଇଯିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ଅର୍ଥନୀତିରେ ମାନ୍ଦାବସ୍ଥା ଓ କଂପାନିଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଭଳି ନୂଆ ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଶ୍ରମ ବଜାରରେ ପରିବର୍ତ୍ତନ ହେବ। ଏହାର ପ୍ରଭାବରେ କିଛି ପୁରୁଣା ଚାକିରି ସମ୍ପୂର୍ଣ୍ଣ ଉଭାନ ହୋଇଯିବ ଓ ଆଉ କିଛି ନୂଆ ଚାକିରି ସୃଷ୍ଟି ହେବ। ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍‌) ପକ୍ଷରୁ ୮୦୦ରୁ ଅଧିକ କଂପାନିକୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୨୦୨୭ ସୁଦ୍ଧା ୮.୩ କୋଟି ଚାକିରି ଚାଲିଯିବ ଓ ୬.୯ କୋଟି ନୂଆ ଚାକିରି ସୃଷ୍ଟି ହେବ। ତେଣୁ ମୋଟ ଉପରେ ବିଚାର କଲେ ୧.୪ କୋଟି ଚାକିରି ସମ୍ପୂର୍ଣ୍ଣ ଉଭାନ ହୋଇଯିବ ଯାହା ବର୍ତ୍ତମାନ ଶ୍ରମ ଶକ୍ତିର ଦୁଇ ପ୍ରତିଶତ ସହ ସମାନ। ଏହି ରିପୋର୍ଟରେ କୁହାଯାଇଛି ଯେ କିରାଣି, ବ୍ୟାଙ୍କ ଟେଲର, କ୍ୟାସିୟର, ଡାଟା ଏଣ୍ଟ୍ରି କିରାଣି ଭଳି ଚାକିରି ଦ୍ରୁତ ଗତିରେ ହ୍ରାସ ପାଇବ। ଏହି ସମୟରେ ଡାଟା ଆନାଲିଷ୍ଟ୍‌, ଡାଟା ସାଇଣ୍ଟିଷ୍ଟ୍‌, ବିଗ୍ ଡାଟା ସ୍ପେସିଆଲିଷ୍ଟ୍‌, ଏଆଇ ଓ ମେସିନ୍ ଲର୍ଣ୍ଣିଂ ସ୍ପେସିଆଲିଷ୍ଟ୍‌ଙ୍କ ଚାହିଦା ବଢ଼ିବ।

Advertisment

୭,୮୦୦ ଚାକିରି ନେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ବେଙ୍ଗାଲୁରୁ: ଆଇବିଏମ୍‌ ନୂଆ ନିଯୁକ୍ତିକୁ ସାମୟିକ ସମୟ ଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ବ୍ୟବହାର କରିବ ଯାହା ପ୍ରାୟ ୭,୮୦୦ ଚାକିରିକୁ ପ୍ରଭାବିତ କରିବା ଆଶଙ୍କା ରହିଛି। କଂପାନିର ସିଇଓ ଅରବିନ୍ଦ କ୍ରିଷ୍ଣା କହିଛନ୍ତି ଯେ ଗ୍ରାହକଙ୍କୁ ସାମ୍ନା କରିବାକୁ ପଡ଼ୁନଥିବା କିଛି କାର୍ଯ୍ୟକୁ କଂପାନି ଏଆଇ ପ୍ରଯୁକ୍ତି ଜରିଆରେ ସ୍ବୟଂଚାଳିତ କରାଯିବ। ଏବେ ଏହି କାମ କରୁଥିବା କର୍ମଚାରୀ ଚାକିରି ହରାଇବା ଆଶଙ୍କା ରହିଛି।