୫ଜି ପାଇଁ ୧.୪୯ ଲକ୍ଷ କୋଟିର ବିଡ୍ ଆସିଛି: ମନ୍ତ୍ରୀ

ନୂଆଦିଲ୍ଲୀ/ ଭୁବନେଶ୍ବର: ମନ୍ଥର ଆରମ୍ଭ ସତ୍ତ୍ବେ ୫ଜି ସ୍ପେକ୍ଟ୍ରମ୍ ନିଲାମ ତୃତୀୟ ଦିନ ପର୍ଯ୍ୟନ୍ତ ଯାଇଛି। ଆଜି ଦ୍ବିତୀୟ ଦିନ ଶେଷ ସୁଦ୍ଧା ନିଲାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେଣୁ ତୃତୀୟ ଦିନରେ ମଧ୍ୟ ନିଲାମ ଜାରି ରହିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ଟେଲିକମ୍ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ନିଲାମର ନବମ ରାଉଣ୍ଡ ଶେଷ ସୁଦ୍ଧା ସରକାର ୧.୪୯ ଲକ୍ଷ କୋଟି ଟଙ୍କାର ବିଡ୍‌ ହାସଲ କରିଛନ୍ତି। ସ୍ପେକ୍ଟ୍ରମ୍ ପାଇବାକୁ କଂପାନିଗୁଡ଼ିକ ଭଲ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରିଲାଏନ୍ସ ଜିଓ, ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଓ ଆଦାନି ଡାଟା ନେଟ୍‌ୱର୍କ ବିଡ୍ ଦାଖଲ କରିଛନ୍ତି। ନିଲାମରେ ଦେଶର ଦୁଇ ପ୍ରମୁଖ ଧନୀ ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ଜାରି ରହିଛି। ବ୍ୟୟବହୁଳ ୭୦୦ ମେଗାହର୍ଚ ସ୍ପେକ୍ଟ୍ରମ୍ ପାଇବାକୁ କଂପାନିଗୁଡ଼ିକ ଅଧିକ ଆଗ୍ରହ ଦେଖାଇଛନ୍ତି।

ଟେଲିକମ୍ ବିଭାଗ ତଥ୍ୟ ଅନୁସାରେ ନିଲାମ ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ପାଇଁ ୨୬ ଗିଗାହର୍ଚ, ୭୦୦ ମେଗାହର୍ଚ ଓ ୩୩୦୦ ଗିଗାହର୍ଚରେ ବିଡିଂ ଦାଖଲ ହୋଇଛି। କେଉଁ କଂପାନି କେତେ ସ୍ପେକ୍ଟ୍ରମ୍ ପାଇବାକୁ ଉଦ୍ୟମ କରୁଛି ତାହାର ଚିତ୍ର ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଶେଷଜ୍ଞମାନଙ୍କ ମତରେ ଜିଓ ୮୦,୧୦୦ କୋଟି ଟଙ୍କାର ସେକ୍ଟ୍ରମ୍ କିଣିବ। ଭାରତୀ ଏୟାରଟେଲ୍‌ ୪୫ ହଜାର କୋଟି ଟଙ୍କା ବ୍ୟୟ କରିବ। ଭୋଡାଫୋନ୍ ଆଇଡିଆ ୧୮,୪୦୦ କୋଟି ଟଙ୍କା ବ୍ୟୟ କରିବ। ଆଦାନି ଡାଟା ନେଟ୍‌ୱର୍କର ବ୍ୟୟ ୯୦୦ କୋଟି ଟଙ୍କା ଭିତରେ ରହିବ।

ସମ୍ବନ୍ଧିତ ଖବର