ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ପ୍ରଦାନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିବା କମ୍ପ୍ୟୁଟରୀକୃତ ପ୍ରାଥମିକ କୃଷି ସମିତିମାନଙ୍କୁ ସୁଧ ରିହାତି ମିଳିବ। ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଏହି ଦେଢ଼ ପ୍ରତିଶତ ସୁଧ ରିହାତି ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବେ।୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଏବାବଦରେ ୩୪ ହଜାର ୮୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ଅତିରିକ୍ତ ବଜେଟ୍ ବ୍ୟବସ୍ଥା କରାଯାଇଛି ।
ଏହି ନିଷ୍ପତ୍ତି ଦ୍ବାରା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଅଧିକ ଋଣ ଦେବାକୁ ସେମାନେ ସକ୍ଷମ ହୋଇପାରିବେ। ଏହାଦ୍ବାରା ଅଧିକରୁ ଅଧିକ ଚାଷୀ ଋଣର ଲାଭ ପାଇପାରିବେ। ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପଶୁପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ଆଦି ପାଇଁ ଚାଷୀମାନେ ସାଧାରଣତଃ ସ୍ବଳ୍ପ ମିଆଦୀ କୃଷି ଋଣ ନେଇଥାନ୍ତି। ଚାଷୀମାନେ ବାର୍ଷିକ ୪% ସୁଧ ହାରରେ ସ୍ୱଳ୍ପକାଳୀନ କୃଷି ଋଣ ନେବା ଜାରି ରଖିପାରିବେ ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିପାରିବେ।