ବନ୍ଦ ହେବ ୨୫% କ୍ଷୁଦ୍ର ଶିଳ୍ପସଂସ୍ଥା, ଉଭାନ ହୋଇଯିବ ୧ କୋଟି ୨୦ ଲକ୍ଷ ଚାକିରି

ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି ଦେଶରେ ଘୋଷଣା କରାଯାଇଥିବା ୨୧ ଦିନିଆ ଲକ୍ ଡାଉନ୍ କ୍ଷୁଦ୍ର ଶିଳ୍ପ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲିଯାଇଛି। ଯଦି ଲକ୍ ଡାଉନ୍ (ତାଲା ବନ୍ଦ) ଅବଧି ଆହୁରି ବଢ଼ିବ ତେବେ ଦେଶର ୨୫ ପ୍ରତିଶତରୁ ଅଧିକ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ୯୦%ରୁ ଅଧିକ ଚାକିରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ରହିଛି। ଯଦି କିଛି ସଂସ୍ଥା ବନ୍ଦ ହେବ ତେବେ ସେଥିରେ ଚାକିରି କରୁଥିବା ଲୋକମାନେ ମଧ୍ୟ ଜୀବିକା ହରାଇବେ। ତାଲା ବନ୍ଦ ଅବଧି ବଢ଼ିଲେ ଦେଶରୁ ୧ କୋଟି ୨୦ ଲକ୍ଷ ଚାକିରି ଉଭାନ ହୋଇଯିବାର ଆଶଙ୍କା ରହିଛି।

ଦେଶରେ ଏବେ ୬୯ ନିୟୁତରୁ ଅଧିକ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ରହିଛି। ଚାରିରୁ ଆଠ ସପ୍ତାହ ପର୍ଯ୍ୟନ୍ତ ଯଦି ତାଲା ବନ୍ଦ ରହିବ ତେବେ ପ୍ରାୟ ଏକ ଚତୁର୍ଥାଂଶ ସଂସ୍ଥା ବନ୍ଦ ହୋଇଯିବ ବୋଲି ଗ୍ଲୋବାଲ୍ ଆଲାଏନ୍ସ ଫର ମାସ୍ ଏଟଂରପ୍ରେନ୍ୟୁଅର୍‌ସିପ୍‌ (ଗେମ୍)ର ଅଧ୍ୟକ୍ଷ ରବି ଭେଙ୍କଟେଶନ କହିଛନ୍ତି। ସର୍ବଭାରତୀୟ ମାନୁଫାକଚର୍ସ ଆସୋସିଏସନର ତଥ୍ୟକୁ ଆଧାର କରି ସେ କହିଛନ୍ତି ଯେ ୧୯-୪୩ ପ୍ରତିଶତ ପର୍ଯ୍ୟନ୍ତ ସଂସ୍ଥା ବନ୍ଦ ହୋଇଯିବାର ଆଶଙ୍କା ରହିଛି। ପୂର୍ବରୁ ଇନଫୋସିସ୍‌ର ସହ ଅଧ୍ୟକ୍ଷ ଓ ବ୍ୟାଙ୍କ ଅଫ୍ ବରୋଦାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଭେଙ୍କଟେଶନ କହିଛନ୍ତି ଯେ କ୍ଷୁଦ୍ର ଶିଳ୍ପରେ ସ୍ଥିରତା ଫେରାଇ ଆଣିବା ଲାଗି ତାଙ୍କ ସଂସ୍ଥା ୧୦୦ ନିୟୁତ ଡଲାରର ଏକ ପାଣ୍ଠି ସ୍ଥାପନ କରିବାକୁ ଯାଉଛି। ଆସନ୍ତା ଦୁଇ ସପ୍ତାହ ଭିତରେ ଏହି ପାଣ୍ଠି ଗଠନ ହୋଇଯିବ। ସେଥିରେ ଥିବା ଟଙ୍କାକୁ କ୍ଷୁଦ୍ର ଶିଳ୍ପଗୁଡ଼ିକୁ କମ୍ ସୁଧରେ ଋଣ ପ୍ରଦାନ କରିବା ବାବଦରେ ଖର୍ଚ୍ଚ କରାଯିବ। ଏହି ଋଣ ଉପରେ ତିନି ମାସର ମୋରାଟୋରିଅମ୍ ପ୍ରଦାନ କରାଯିବ। ଅର୍ଥାତ ଯେଉଁମାନେ ଋଣ ନେବେ ସେମାନ ଠାରୁ ତିନି ମାସ ପରେ ସୁଧ ଆଦାୟ କରାଯିବ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକୁ ସଙ୍କଟରୁ ଉଦ୍ଧାର କରିବା ଲାଗି ଗେମ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। ଭେଙ୍କଟେଶନଙ୍କ କହିବାନୁଯାୟୀ, କ୍ଷୁଦ୍ର ଶିଳ୍ପ ବର୍ତ୍ତମାନ ସାମ୍ନା କରୁଥିବା ସବୁଠୁ ବଡ଼ ସମସ୍ୟ ହେଉଛି ପାଣ୍ଠିର ଅଭାବ। ଏହା ବ୍ୟତୀତ ପଚିଶଢ଼ି ଯାଉଥିବା ସାମଗ୍ରୀକୁ ନେଇ କାରବାର କରୁଥିବା ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହିବେ। ଅଧିକାଂଶ ଶ୍ରମିକ ସେମାନଙ୍କ ଘରକୁ ବାହୁଡ଼ି ଯାଇଥିବାରୁ ଶ୍ରମ ଶକ୍ତିକୁ ନେଇ ମଧ୍ୟ କ୍ଷୁଦ୍ର ଶିଳ୍ପଗୁଡ଼ିକ ସମସ୍ୟା ସାମ୍ନା କରୁଛନ୍ତି।

ସମ୍ବନ୍ଧିତ ଖବର