୧ ଡଲାର ଏବେ ୭୦ ଟଙ୍କା ୭୪ ପଇସା ନିମ୍ନମୁଖୀ ହୋଇଚାଲିଛି ଟଙ୍କା

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇଚାଲିଛି। ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୫ ପଇସା ହ୍ରାସ ଘଟି ରେକର୍ଡ ୭୦ ଟଙ୍କା ୭୪ ପଇସା ସ୍ତରକୁ ଖସିଯାଇଛି। କ୍ରମାଗତଭାବେ ଦୁଇଦିନ ହେଲା ଟଙ୍କା ମୂଲ୍ୟ ଦୁର୍ବଳ ହୋଇ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ମାସ ଶେଷ ଯୋଗୁଁ ଆମଦାନିକାାରୀଙ୍କ ମଧ୍ୟରେ ଡଲାର ଚାହିଦା ବୃଦ୍ଧି ପାଇବା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବାର ପ୍ରଭାବରେ ଭାରତୀୟ ମୁଦ୍ରା ଅଧିକ ଦୁର୍ବଳ ହୋଇଛି। ବୈଦେଶିକ ମୁଦ୍ରା ବିନିମୟ ବଜାରରେ ବୁଧବାର ୧ ଡଲାରର ମୂଲ୍ୟ ୭୦ ଟଙ୍କା ୫୯ ପଇସାରେ ବନ୍ଦ ହୋଇଥିଲା। ତେବେ ଆଜିର କାରବାର ଗତକାଲିର ଶେଷ କାରବାର ତୁଳନାରେ କମ୍‌ରେ ଅର୍ଥାତ୍‌ ୭୦ ଟଙ୍କା ୬୪ ପଇସାରେ ଆରମ୍ଭ ହୋଇଥିଲା। ଗତକାଲି ଡଲାର ତୁଳନାରେ ଭାରତୀୟ ମୁଦ୍ରା ରେକର୍ଡ ୭୦ ଟଙ୍କା ୫୯ ପଇସାକୁ ଖସିଯିବା ପରେ ସରକାର କହିଥିଲେ ମୁଦ୍ରା ମୂଲ୍ୟ ଡଲାର ତୁଳନାରେ ୬୮ରୁ ୭୦ ଟଙ୍କା ମଧ୍ୟରେ ରହିବା ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର