ବନ୍ଦ ହୋଇଯିବ ଲକ୍ଷେ ୧୩ ହଜାର ଏଟିଏମ୍!

ବିମୁଦ୍ରୀକରଣ କଷ୍ଟରୁ ମୁକ୍ତି ନାହିଁ, ଖର୍ଚ ବହନ କରିବା କଷ୍ଟକର ହେଲାଣି

ମୁମ୍ବାଇ: ଆସନ୍ତା ବର୍ଷ ସୁଦ୍ଧା ଦେଶରେ ଥିବା ଅଧା ଏଟିଏମ୍ ବନ୍ଦ ହୋଇଯାଇପାରେ। ଏଟିଏମ୍‌ର ଦେଖାଣୁଣା କରୁଥିବା ସଂସ୍ଥାଗୁଡ଼ିକ ଏହା କହିଛନ୍ତି। ଏଟିଏମ୍‌ ପରିଚଳାନା କରିବା ବ୍ୟୟବହୁଳ ବ୍ୟାପାର ହୋଇଗଲାଣି। ସପ୍ଟଓୟାର ଓ ହାର୍ଡଓୟାର୍‌ ଅପ୍‌ଡେଟ୍ କରିବା, ନଗଦ ପରିଚାଳନାକୁ ନେଇ ଧାର୍ଯ୍ୟ କରାଯାଇଥିବା ନୂଆ ମାନଦଣ୍ଡ ଅନୁସାରେ କାମ କରିବା ଓ କ୍ୟାସେଟ୍‌ ସ୍ବାପିଂ ଭଳି ନିୟମ ଯୋଗୁ ଏହି ସଂସ୍ଥାଗୁଡ଼ିକର ଖର୍ଚ ବହୁତ ବଢ଼ିଯାଇଛି। କେବଳ କ୍ୟାସେଟ୍ ସ୍ବାପିଂ ଯୋଗୁ ସେମାନଙ୍କ ଖର୍ଚ ୩୦୦୦ କୋଟି ଟଙ୍କା ବଢ଼ିଯାଇଛି। ଏଭଳି ଖର୍ଚରେ ଏଟିଏମ୍‌ଗୁଡ଼ିକୁ ଦୀର୍ଘ ଦିନ ଚାଲୁ ରଖିବା ସମ୍ଭବପର ନୁହେଁ ବୋଲି ଏଟିଏମ୍ ଶିଳ୍ପର ମହାସଂଘ ‘ସିଏଟିଏମ୍‌ଆଇ’ ପକ୍ଷରୁ କୁହାଯାଇଛି। ଦେଶରେ ୨.୩୮ ଲକ୍ଷ ଏଟିଏମ୍ ରହିଛି। ସେଥି ମଧ୍ୟରୁ ୧.୧୩ ଲକ୍ଷ ଏଟିଏମ୍ ବନ୍ଦ କରିବାକୁ ଆମେ ବାଧ୍ୟ ହେବୁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସହରାଞ୍ଚଳ ବାହାରେ ଥିବା ଏଟିଏମ୍‌ଗୁଡ଼ିକ ବନ୍ଦ ହୋଇଯିବାର ଆଶଙ୍କା ଅଧିକ ରହିଛି। ଯଦି ସେଭଳି ହେବ ତେବେ ଦେଶରେ ଆର୍ଥିକ ଅନ୍ତଭୁର୍କ୍ତୀକରଣ ଅଭିଯାନ ଗୁରୁତର ଭାବେ ପ୍ରଭାବିତ ହେବ। ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବିମୁଦ୍ରୀକରଣ ଯୋଗୁ‌ ଯେଉଁ ଝଟ୍‌କା ଲାଗିଥିଲା ତାହା ଏପର୍ଯ୍ୟନ୍ତ ଦୂର ହୋଇନଥିବା ବେଳେ ନୂଆ ନିୟମ ନାମରେ ଅଧିକ ବୋଝ ଲଦିଦିଆଯାଇଛି। ସେହି ସବୁ ନିୟମ ପାଳନ କରିବା ପାଇଁ ବିପୁଳ ପରିମାଣର ଖର୍ଚ କରିବାକୁ ପଡ଼ୁଛି। ଏଟିଏମ୍‌ର ଦେଖାଶୁଣା କରୁଥିବା ସଂସ୍ଥାଗୁଡ଼ିକ ପାଖରେ ଏତେ ଟଙ୍କା ଯୋଗାଡ଼ କରିବାର କୌଣସି ମାଧ୍ୟମ ନାହିଁ। ତେଣୁ, ଅନ୍ୟ କୌଣସି ଉପାୟ ନପାଇ ସେମାନେ ଏଟିଏମ୍‌ଗୁଡ଼ିକୁ ବନ୍ଦ କରିବାକୁ ବାଧ୍ୟ ହେବେ। ଏହି ଅତିରିକ୍ତ ଖର୍ଚ୍ଚର କିଛି ଭାଗ ଯଦି ବ୍ୟାଙ୍କଗୁଡ଼ିକ ଭରଣା କରିବାକୁ ରାଜି ହେବେ ତେବେ ସ୍ଥିତି ବଦଳି ପାରିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଦେଶରେ ବ୍ୟାଙ୍କଗୁଡ଼ିକର ଏଟିଏମ୍ ବ୍ୟତୀତ ତୃତୀୟ ପକ୍ଷ ସଂସ୍ଥା ଦ୍ବାରା ହ୍ବାଇଟ୍‌ ଲେବଲ୍ ଓ ବ୍ରାଉନ୍ ଲେବଲ୍ ଏଟିଏମ୍ ମଧ୍ୟ ସ୍ଥାପନ କରାଯାଇଛି।

ସମ୍ବନ୍ଧିତ ଖବର