କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି, ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଥମ ଦିନରେ ୧୦୦୦ କୋଟି ମଞ୍ଜୁର, କୃଷକଙ୍କ ଆୟ ବଢ଼ିବ, ଫସଲ ନଷ୍ଟ କମିବ

ନୂଆଦିଲ୍ଲୀ: କୃଷକମାନେ ଯେଭଳି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଅଧିକ ମୂଲ୍ୟ ପାଇପାରିବେ ତାହାକୁ ଲକ୍ଷ୍ୟରେ ରଖି କେନ୍ଦ୍ର ସରକାର କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ନାମରେ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା ଆରମ୍ଭ କରିଛନ୍ତି। ୧ ଲକ୍ଷ କୋଟି ଟଙ୍କାର ଏହି ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିଛନ୍ତି। ଏହି ଅର୍ଥରେ କୃଷକଙ୍କ ଘର ନିକଟରେ ବିଭିନ୍ନ ପ୍ରକାର କୃଷି ସଂପର୍କିତ ଭିତ୍ତିଭୂମି ନିର୍ମାଣ କରାଯାଇ ପାରିବ। ଫଳରେ ଆମ ଦେଶର କୃଷକଙ୍କ ଆୟ ବଢ଼ିବ ଏବଂ ସେମାନେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରତିଯୋଗିତା କରିପାରିବେ ବୋଲି ଆଶା ରଖାଯାଇଛି।

ଉକ୍ତ କୃଷି ଭିତ୍ତିଭୂମି ବିକାଶ ପାଣ୍ଠିରେ କୃଷକମାନଙ୍କ ଫସଲ ସଂରକ୍ଷଣ ପାଇଁ ଗୋଦାମ ଘରଠାରୁ ଆରମ୍ଭ କରି ଶୀତଳ ଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଆଦି ତିଆରି କରାଯିବ। ଫଳରେ ବଜାରରେ ଯେତେବେଳେ କୃଷକମାନେ ସେମାନଙ୍କ ଉତ୍ପାଦର ସର୍ବାଧିକ ମୂଲ୍ୟ ପାଇବେ ସେ ସମୟ ପର୍ଯ୍ୟନ୍ତ ସେମାନଙ୍କ ଉତ୍ପାଦକୁ ସାଇତି ରଖିବା ଏବଂ ମୂଲ୍ୟଯୋଗ କରିବା ସୁଯୋଗ ପାଇପାରିବେ। ଏଥିସହିତ ଦେଶରେ ଅମଳ ବେଳେ ଓ ଅମଳ ପରେ ଖାଦ୍ୟଶସ୍ୟ ନଷ୍ଟର ମାତ୍ରା ବି ହ୍ରାସ ପାଇବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ‌ଏହି ଯୋଜନାର ଆରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଫସଲର ଅମଳ ପରବର୍ତ୍ତୀ ପରିଚାଳନାରେ ନିବେଶର ବିପୁଳ ସୁଯୋଗ ରହିଛି। ସରକାରଙ୍କ ଏହି ଯୋଜନା ଷ୍ଟାର୍ଟ ଅପ୍ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଆଣିଛି। ସେମାନେ ଏହାର ଲାଭ ଉଠାଇ ପାରିବେ। କୃଷକଙ୍କୁ ଲାଭ ପହଞ୍ଚାଇବା ଭଳି ପରିବେଶ ଷ୍ଟାର୍ଟ ଅପ୍ ଉଦ୍ୟୋଗୀମାନେ ନିର୍ମାଣ କରି ‌ଦେଶର କୋଣ ଅନୁକୋଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ।

ଗତ ମେ ମାସରେ ସରକାର ‌ଘୋଷଣା କରିଥିବା ଅର୍ଥନୈତିକ ପ୍ରୋତ୍ସାହନ ପ୍ୟାକେଜର ଏକ ଅଂଶବିଶେଷ ହେଉଛି ଏହି ପାଣ୍ଠି। ଏଥିରେ ଉଦ୍ୟୋଗୀମାନଙ୍କୁ ମଧ୍ୟମରୁ ଦୀର୍ଘ ମିଆଦୀ ଋଣ ସୁବିଧା ମିଳିବ। ସୁଧ ରିହାତି ସହିତ ଋଣ ଉପରେ ଗ୍ୟାରେଣ୍ଟି ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି। ଉକ୍ତ ୧୦ ବର୍ଷିଆ ଯୋଜନାରେ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ପାଣ୍ଠି ଯୋଗାଇଦେବେ। ବାର୍ଷିକ ୩ ପ୍ରତିଶତ ସୁଧ ରିହାତି‌ ଏହି ଯୋଜନାରେ ମିଳିବ। କେବଳ ସେତିକି ନୁହେଁ, ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଗ୍ୟାରେଣ୍ଟି ସୁବିଧା ମଧ୍ୟ ମିଳିବ। ଋଣ ପରିଶୋଧ ‌ପାଇଁ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଛାଡ଼ ବା ମୋରାଟୋରିୟମ ମଧ୍ୟ ମିଳିବ। କୃଷକ, ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ), ବିପଣନ ସମବାୟ ସମିତି, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ସ୍ବୟଂ ସହାୟକ ଗୋଷ୍ଠୀ, ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗ କ୍ଷେତ୍ରର ଷ୍ଟାର୍ଟ ଅପ୍‌ ସଂସ୍ଥା, କେନ୍ଦ୍ରୀୟ/ରାଜ୍ୟସ୍ତରୀୟ ଏଜେନ୍ସି ଆଦି ଏହି ଯୋଜନାର ଲାଭ ନେଇପାରିବେ। ଆଜି ୨୨୮୦ଟିରୁ ଊର୍ଦ୍ଧ୍ବ କୃଷକ ସମିତିକୁ ୧୦୦୦ କୋଟି ଟଙ୍କାରୁ ଅଧିକ ରାଶି ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କରାଯାଇଛି। ଏହି ଅବସରରେ ମୋଦୀ କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶର ୩ଟି ପ୍ୟାକ୍ସ ସହିତ ଆଲୋଚନା କରି ସେମାନଙ୍କ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କିଷାନ ସମ୍ମାନ ନିଧି ଯୋଜନା, କୃଷକଙ୍କୁ ମିଳିଲା ଷଷ୍ଠ କିସ୍ତି
୮.୫ କୋଟି କୃଷକଙ୍କୁ ୧୭ ହଜାର କୋଟି

ନୂଆଦିଲ୍ଲୀ: କିଷାନ ସମ୍ମାନ ନିଧି ଯୋଜନାରେ ପ୍ରଦାନ କରାଯାଇ ଆସୁଥିବା ଷଷ୍ଠ କିସ୍ତି ଆଜି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅର୍ଥ ପ୍ରଦାନ କରିଛନ୍ତି। ଦେଶର ପାଖାପାଖି ସାଢ଼େ ୮ କୋଟି କୃଷକଙ୍କ ପାଇଁ ୧୭ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତରିତ ହୋଇଛି। ଉଲ୍ଲେଖଯୋଗ୍ୟ, ଏହି ଯୋଜନା ୨୦୧୮ ଡିସେମ୍ବରରେ ଘୋଷଣା କରାଯାଇଥିଲା। ଗତବର୍ଷ ଏହି ଯୋଜନାର ୩ଟି କିସ୍ତି ପ୍ରଦାନ କରାଯାଇଥିବାବେଳେ ଚଳିତବର୍ଷର ଦ୍ବିତୀୟ କିସ୍ତି ଆଜି ଦିଆଯାଇଛି। ଉକ୍ତ ଯୋଜନାରେ କୃଷକମାନଙ୍କୁ ବର୍ଷକୁ ୩ଟି କିସ୍ତିରେ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ କେନ୍ଦ୍ର ସରକାର କୃଷକମାନଙ୍କୁ ୯୦ ହଜାର କୋଟି ଟଙ୍କା ପ୍ରଦାନ କରିସାରିଲେଣି।

ସମ୍ବନ୍ଧିତ ଖବର