ଏ ବର୍ଷ ଆଇଟି କମ୍ପାନିରେ ୧ ଲକ୍ଷ ନୂଆ ଚାକିରି

ନୂଆଦିଲ୍ଲୀ : ଆଇଟି ରପ୍ତାନି କ୍ଷେତ୍ରରେ ମାନ୍ଦାବସ୍ଥା ସତ୍ତ୍ୱେ ୨୦୧୮ରେ ଭାରତୀୟ ଆଇଟି ଶିଳ୍ପ ର ଅଭିବୃଦ୍ଧି ୮ ପ୍ରତିଶତ ରହିବ । ଏହା ଫଳରେ ଆଇଟି ଉଦ୍ୟୋଗ ୧୬୭ ବିଲିୟନ ଡଲାରର ଏକ ଉଦ୍ୟୋଗରେ ପରିଣତ ହେବ । ଏ ବର୍ଷ ଆଇଟି ଉଦ୍ୟୋଗ ପ୍ରାୟ ୧ ଲକ୍ଷ ୫ ହଜାର ଲୋକଙ୍କୁ ନିଯୁକ୍ତି ଦେବ ବୋଲି କେନ୍ଦ୍ର ସୂଚନାପ୍ରଯୁକ୍ତି, ଯୋଗାଯୋଗ ଓ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ସଫ୍ଟଓ୍ଵାର କମ୍ପାନିଙ୍କ ସଂଘ ନାସକମ ର ସଭାପତି ଦେବଯାନୀ ଘୋଷଙ୍କୁ ଭେଟିବା ପରେ ସେ ଏକଥା କହିଛନ୍ତି । ନାସକମର ଅଟକଳ ଅନୁସାରେ ଗତ ଆର୍ଥିକ ବର୍ଷରେ ଭାରତର ସଫଓ୍ଵାର ରପ୍ତାନି ୧୨୬ ବିଲିୟନ ଡଲାର ଥିବାବେଳେ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ତାହା ୧୩୭ ବିଲିୟନ ଡଲାରକୁ ବୃଦ୍ଧି ପାଇବ । ଏ ବର୍ଷ ଏହି ଉଦ୍ୟୋଗ ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ଦେବ । ନାସକମ ଅନୁସାରେ ଭାରତର ଆଇଟି ଓ ବିପିଓ ଶିଳ୍ପର ଆକାର ଆହୁରି ୧୪ରୁ ୧୬ ବିଲିୟନ ଡଲାର ବଢିବ । ଏହା ଫଳରେ ମୋଟ ଉଦ୍ୟୋଗର ଆକାର ୧୬୭ ବିଲିୟନ ଡଲାରରେ ପହଞ୍ଚିବ । ଆମେରିକାରେ ଟ୍ରମ୍ପ ସରକାର ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଥିବାରୁ ଭାରତୀୟ ଆଇଟି କମ୍ପାନି ଏବେ ଚାପରେ ଅଛନ୍ତି । ଏହା ଫଳରେ ସେମାନେ ବାଧ୍ୟ ହୋଇ ଆମେରିକାରେ ନିଯୁକ୍ତି ସଂଖ୍ୟା ବଢାଇଛନ୍ତି ।

ସମ୍ବନ୍ଧିତ ଖବର