ଆଇଟି, ଆଇଟିଇଏସ ଶିଳ୍ପରେ ୧୦ ଲକ୍ଷ ଚାକିରି !

ନୂଆଦିଲ୍ଲୀ : ଭାରତର ସୂଚନା ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ଭିତ୍ତିକ ଶିଳ୍ପ ( ଆଇଟି ଓ ଆଇଟିଇଏସ) ଆସନ୍ତା ୨୦୨୩ ଶେଷ ସୁଦ୍ଧା ପ୍ରାୟ ୮ ଲକ୍ଷରୁ ୧୦ ଲକ୍ଷ ନୂଆ ନିଯୁକ୍ତି ପ୍ରଦାନ କରିବ । ଏପରି ଅଟକଳ କରିଛି ଇଣ୍ଡିଆନ ଷ୍ଟାଫିଙ୍ଗ୍ ଫେଡେରେସନ ବା ଆଇଏସଏଫ ।

ଆଇଏସଏଫ ହେଉଛି ପ୍ରାୟ ୧୦୦ରୁ ଅଧିକ ନିଯୁକ୍ତି ଏଜେନ୍ସିମାନଙ୍କ ଏକ ମହାସଂଘ । ଆଇଏସଏଫର ସଭାପତି ଲୋହିତ ଭାଟିଆ କହିଛନ୍ତି ଯେ, ଭାରତୀୟ ଆଇଟି ଓ ଆଇଟିଇଏସ ଶିଳ୍ପରେ ଏବେ ବର୍ଷକୁ ପ୍ରାୟ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଏହି ଚାହିଦା ବଜାୟ ରହିବ ।

ଦେଶର ଆଇଟି ଓ ଆଇଟିଇଏସ ଉଦ୍ୟୋଗରେ ଏବେ ପ୍ରାୟ ୪୫ ଲକ୍ଷ ପେସାଦାର କାମ କରୁଛନ୍ତି । ଦେଶର ଦୁଇଟି ବୃହତ୍ତମ ସଫ୍ଟଓ୍ବାର କମ୍ପାନି ଟିସିଏସ ଓ ଇନଫୋସିସ ଚଳିତ ବର୍ଷ (୨୦୨୨-୨୩ ଆର୍ଥିକ ବର୍ଷ) ପ୍ରାୟ ୯୦ ହଜାର ନୂଆ ନିଯୁକ୍ତି ପ୍ରଦାନ କରିବାର ସମ୍ଭାବନା ରହିଛି । ଏହା ମଧ୍ୟରୁ ଟିସିଏସ ୪୦ ହଜାର ଓ ଇନଫୋସିସ ୫୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଟିସିଏସ ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ପ୍ରଦାନ କରିଥିଲା ।

ଅନ୍ୟପକ୍ଷରେ ଆଇଏସଏଫ ପକ୍ଷରୁ କୁହାଯାଇଛି ଯେ ଆଇଟି କମ୍ପାନିମାନେ ନୋ-କମ୍ପିଟ୍ ନିୟମକୁ ଲୋପ କରିବାର ସମ୍ଭାବନା ନାହିଁ । ଏହି ନିୟମ ଅନୁଯାୟୀ ଗୋଟିଏ ଆଇଟି କମ୍ପାନିର ଜଣେ କର୍ମଚାରୀ ଏକ ବିପକ୍ଷ କମ୍ପାନିରେ ସମାନ ପ୍ରୋଜେକ୍ଟ, କ୍ଲାଏଣ୍ଟରେ କାମ କରିପାରିବ ନାହିଁ ।

 

ସମ୍ବନ୍ଧିତ ଖବର