ତେଲ ଟିକସ ଟଙ୍କାଏ କମିଲେ ୧୩ ହଜାର କୋଟିର ଝଟ୍‌କା ଲାଗିବ

ନୂଆଦିଲ୍ଲୀ: ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯିବା ପରେ ଏହା ଉପରେ ଲଗାଯାଇଥିବା କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ କମ୍‌ କରିବା ପାଇଁ ବିଭିନ୍ନ ମହଲରେ ଦାବି କରାଯାଉଛି। ସରକାର ଯଦି ଟିକସରେ ୧ ଟଙ୍କାର ହ୍ରାସ କରିବେ ତେବେ ବର୍ଷକୁ ୧୩ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ ବୋଲି ରେଟିଂ ଏଜେନ୍ସି ମୁଡିସ୍‌ ପକ୍ଷରୁ କୁହାଯାଇଛି। ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ଥର ଭାରତର ରେଟିଂରେ ଉନ୍ନତି ଆଣିଥିବା ମୁଡିସ୍‌ ପକ୍ଷରୁ ସରକାରଙ୍କୁ ଜଣାଇ ଦିଆଯାଇଛି ଯେ, ଖର୍ଚ ପରିମାଣ କମ୍‌ ନକରି ଯଦି ତେଲ ଟିକସ ହ୍ରାସ କରାଯାଏ ତେବେ ଏହା ଦେଶର ଆର୍ଥିକ ଶୃଙ୍ଖଳାକୁ ବିଗାଡ଼ି ଦେବ। ବିଶେଷ କରି, ବିତ୍ତୀୟ ନିଅଣ୍ଟକୁ ନେଇ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ହାସଲ କରିବା ସହଜ ହେବନାହିଁ।

ସରକାରଙ୍କ ରାଜସ୍ୱ ଆୟ ଓ ଖର୍ଚ ମଧ୍ୟରେ ରହୁଥିବା ଅନ୍ତରକୁ ବିତ୍ତୀୟ ନିଅଣ୍ଟ କୁହାଯାଉଛି। ଏହାକୁ ଜିଡିପିର ୩.୩% ମଧ୍ୟରେ ରଖିବାକୁ ସରକାର ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମୁଡିସ୍‌ର ବରିଷ୍ଠ ଅଧିକାରୀ ଓ୍ଵିଲିୟମ୍‌ ଫୋଷ୍ଟର୍‌ କହିଛନ୍ତି ଯେ, ଟିକସ କମାଇବାକୁ ହେଲେ ବିତ୍ତୀୟ ଶୃଙ୍ଖଳା ହାସଲ କରିବା ପାଇଁ ସରକାରଙ୍କୁ ଖର୍ଚ ପରିମାଣ କମ୍‌ କରିବାକୁ ପଡ଼ିବ। ନିଜ ପ୍ରତିଦ୍ୱନ୍ଦୀ ଦେଶଗୁଡ଼ିକ ତୁଳନାରେ ଭାରତ ଉପରେ ଋଣ ବୋଝ ଅଧିକ ରହିଛି। ଭାରତର ଜିଡିପିକୁ ଋଣ ଅନୁପାତ ୭୦% ରହିିଥିବା ବେଳେ ଏହାର ପ୍ରତିପକ୍ଷ ରାଷ୍ଟ୍ରଗୁଡ଼ିତରେ ସେହି ଅନୁପାତ ୫୦% ଭିତରେ ରହିଛି ବୋଲି ମୁଡିସ୍‌ କହିଛି।

ସମ୍ବନ୍ଧିତ ଖବର