ଭୁବନେଶ୍ବର: ରାଜ୍ୟର କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ୧୦ଟି ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି ପ୍ରିମିୟର ଇରିଗେସନ୍, କେଭେଣ୍ଟର ଆଗ୍ରୋ, ସାମ୍ଭି ହାଇ-ଫ୍ରେସ୍ ଫୁଡ୍ସ, ତିରୁପତି ଏକ୍ସପୋର୍ଟସ, ଡାଇନାମିକ୍ ଏଗ୍ରି କନ୍ସଲ୍ଟାଣ୍ଟସ୍, ସଫଳ ଓ ଆରେଞ୍ଜଫ୍ରେସ୍ ଡଟ୍ କମ୍।ପ୍ରିମିୟର ଇରିଗେସନ୍ ରାଜ୍ୟରେ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରିବାକୁ ଚାହୁଁଛି। କେଭେଣ୍ଟର୍ ଆଗ୍ରୋ ରାଜ୍ୟରେ ୟୁଏଚ୍ଡି ଦୁଗ୍ଧ ପରିକଳ୍ପନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବାଲେଶ୍ବର ଭଳି ଜିଲ୍ଲାରୁ ପନିପରିବା, ଫଳ ଆଦି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ ରାୟଗଡ଼ା କିମ୍ବା ଖୋର୍ଦ୍ଧାରେ କଂପାନି ଏକ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଛି। ସାମ୍ଭି ହାଇଫ୍ରେସ୍ ଫୁଡସ୍ ଏକ ଜଳବାୟୁ ନିୟନ୍ତ୍ରଣକାରୀ ଗୋଦାମ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି। ଅହମ୍ମଦାବାଦର ତିରୁପତି ଏକ୍ସପୋର୍ଟସ୍ ସୌର ଶକ୍ତି ଚାଳିକ ଆଇସ୍ ଚାମ୍ବର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ଅହମ୍ମଦାବାଦର ଅନ୍ୟ ଏକ ସଂସ୍ଥା ଡାଇନାମିକ୍ ଏଗ୍ରି କନ୍ସଲ୍ଟାଣ୍ଟ୍ ଏକ ସ୍ନାକ୍ସ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି। ଉଦ୍ୟାନଫ୍ରେସ୍ ସହିତ ସହଯୋଗିତା ସ୍ଥାପନ କରିବାକୁ ସଫଲ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଫେନ୍କୋ ଫୁଡ୍ ମେସିନାରି ନାମକ ସଂସ୍ଥା ରାଜ୍ୟରେ ଏକ ଆର୍ଆଣ୍ଡଡି କେନ୍ଦ୍ର ସ୍ଥାପନ କରିବାକୁ ଚାହୁଁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସବୁ ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ରାଜ୍ୟ ସରକାର ଏକ ବି୨ବି ବୈଠକରେ ଆଲୋଚନା କରିଥିଲେ। ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ ଠାରେ ଆୟୋଜନ କରାଯାଇଥିବା ଟପ୍ (ଟମାଟୋ, ପିଆଜ ଓ ଆଳୁ) ଏକ୍ସପୋ ଓ ସମ୍ମିଳନୀ ଅବସରରେ ଏହି ବୈଠକ ଆୟୋଜନ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଅସିତ୍ ତ୍ରିପାଠୀ, କୃଷି ମାର୍କେଟିଂ ନିର୍ଦେଶକ ରବିନ୍ଦ୍ର କୁମାର ସିଂହ, ଏମ୍ ମୁଥୁକୁମାର ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଜେ କେ ମହାନ୍ତି ଓ ଶ୍ରୀରାମ ପଣ୍ଡା ଉପସ୍ଥିତ ଥିଲେ।