ଭୁବନେଶ୍ବର: ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷସାରା ନିଶ୍ଚିତ କାମ ଯୋଗାଇବା ଲାଗି ପ୍ରସ୍ତୁତ କରାଯାଇଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟକାରିତାରେ ଏକ ବଡ଼ ସମସ୍ୟା ସାମ୍ନାକୁ ଆସିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଯୋଜନାରେ ଓଡ଼ିଶାର ପ୍ରଦର୍ଶନ ନିରୁତ୍ସାହଜନକ ରହିଛି। ଏହି ସମୟ ଭିତରେ ୧୦ ଲକ୍ଷରୁ ଅଧିକ ଶ୍ରମିକଙ୍କ ପଞ୍ଜୀକରଣ କାଟିଦିଆଯାଇଛି। ରାଜ୍ୟରେ ଶ୍ରମଦିବସ ସୃଷ୍ଟିରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି। ‘ଲିବ୍ ଟେକ୍’ ନାମକ ସଂସ୍ଥା ଜାରି କରିଥିବା ରିପୋର୍ଟ ଅନୁସାରେ ୨୦୨୪ର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ୮୪ ଲକ୍ଷରୁ ଅଧିକ ମନରେଗା ଶ୍ରମିକଙ୍କ ପଞ୍ଜୀକରଣ କଟିଯାଇଛି। ସେଥିରୁ ଓଡ଼ିଶାରୁ କଟିଥିବା ଶ୍ରମିକଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୯୭୯ ରହିଛି।
ତାମିଲନାଡ଼ୁ, ଛତିଶଗଡ଼, ବିହାର, ଆସାମ ଓ ଓଡ଼ିଶା ଭଳି ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଲେଖାଏଁ ମନରେଗା ଶ୍ରମିକଙ୍କ ପଞ୍ଜୀକରଣ କଟିଯାଇଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଓଡ଼ିଶାର ମୋଟ ମନରେଗା ଶ୍ରମିକ ପଞ୍ଜୀକରଣ ସଂଖ୍ୟା ହେଉଛି ୯୫ ଲକ୍ଷ ୬ ହଜାର ୭୮୮। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧,୩୩୫୪୨ ନୂଆ ଶ୍ରମିକ ଯୋଡ଼ିହୋଇଛନ୍ତି। ଏହାକୁ ବିଚାରକୁ ନେବା ପରେ ମୋଟ ଉପରେ ଶ୍ରମିକମାନଙ୍କ ସଂଖ୍ୟାରେ ୮ ଲକ୍ଷ ୭୬ ହଜାର ୪୩୭ ହ୍ରାସ ଘଟିଛି।
ସେହିପରି, ଶ୍ରମଦିବସ ହ୍ରାସ କ୍ଷେତ୍ରରେ ତାମିଲନାଡ଼ୁ ଓ ଓଡ଼ିଶା ଆଗରେ ରହିଛନ୍ତି। ତାମିଲନାଡ଼ୁରେ ଶ୍ରମଦିବସରେ ୫୯.୧ ପ୍ରତିଶତ ଓ ଓଡ଼ିଶାରେ ୪୯.୭ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟ ଭିତରେ ମହାରାଷ୍ଟ୍ର ୬୬ ପ୍ରତିଶତ ଅଧିକ ଶ୍ରମଦିବସ ସୃଷ୍ଟି କରିଥିବା ବେଳେ ହିମାଚଳପ୍ରଦେଶରେ ଶ୍ରମଦିବସରେ ୫୩.୪ ପ୍ରତିଶତ ବୃଦ୍ଧି ହୋଇଛି। ସର୍ବଭାରତୀୟ ସ୍ତରରେ ଆଲୋଚ୍ୟ ଛଅ ମାସ ମଧ୍ୟରେ ଶ୍ରମଦିବସ ସୃଷ୍ଟିରେ ୧୬.୬ ପ୍ରତିଶତ ହ୍ରାସ ଘଟିଛି। ଆଧାରଭିତ୍ତିକ ପେମେଣ୍ଟ ବ୍ୟବସ୍ଥା ଓ ଶ୍ରମିକଙ୍କ ଯୋଗ୍ୟତା ଏହି ଯୋଜନାରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପ୍ରାୟ ୨୭.୪ ପ୍ରତିଶତ ଶ୍ରମିକ ଏହି ବ୍ୟବସ୍ଥାରେ କାମ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତେଣୁ ଶ୍ରମିକମାନଙ୍କ ପାଖରେ ଥିବା କାଗଜପତ୍ର ଅନୁସାରେ ଯୋଜନାକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ରିପୋର୍ଟରେ କୁହାଯାଇଛି। ଶ୍ରମିକଙ୍କ ପଞ୍ଜୀକରଣ କଟିବା ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଛନ୍ତି ଯେ କାମ ଦିଆଯାଇପାରୁନଥିବାରୁ ଶ୍ରମିକମାନେ ବାହାରକୁ ଚାଲିଯାଉଛନ୍ତି। ଏହି ସମସ୍ୟାକୁ ରୋକିବା ଲାଗି ଗ୍ରାମାଞ୍ଚଳ ଲାଗି ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହେବା ଦରକାର। କେଉଁ ସମୟରେ ଶ୍ରମିକଙ୍କୁ କେଉଁ ସବୁ କାମ ଦିଆଯିବ ତାହା ନିର୍ଧାରଣ ହୋଇଗଲେ, ସେମାନଙ୍କୁ କାମ ଦେବା ସହଜ ହେବ। କାମ ପାଇଲେ ଲୋକମାନେ ବାହାରକୁ ଯିବେ ନାହିଁ ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି।
ଏ ସମ୍ପର୍କରେ ଏଡେଡ୍ ଆକ୍ସନ୍ର ନିର୍ଦ୍ଦେଶକ (ମାଇଗ୍ରେସନ୍ ଆଣ୍ଡ୍ ଏଜୁକେସନ) ଉମି ଡାନିଏଲ୍ କହିଛନ୍ତି ଯେ ଯେତିକି ଲୋକ କାମ ମାଗୁଛନ୍ତି ସେମାନଙ୍କୁ ସେତିକି ଦିନର କାମ ଦିଆଯାଇପାରୁନଥିବା ବେଳେ ଏତେ ସଂଖ୍ୟାରେ ପଞ୍ଜୀକରଣ କଟିବା ଚିନ୍ତାର ବିଷୟ। ଶ୍ରମଦିବସ ହ୍ରାସର ଅର୍ଥ ହେଉଛି ଆବଶ୍ୟକ ପରିମାଣର କାମ ଦିଆଯାଇପାରୁନାହିଁ। ଶ୍ରମିକମାନଙ୍କ ମଧ୍ୟରେ ଏସ୍ଟି ବର୍ଗଙ୍କ ସଂଖ୍ୟା କମ୍ ହେଉଥିବା ବେଳେ ମହିଳାଙ୍କ ସଂଖ୍ୟା ବଢ଼ୁଛି। ପୁରୁଷମାନେ ପ୍ରବାସୀ ଶ୍ରମିକ ଭାବେ କାମଧନ୍ଦା ଖୋଜିବା ଲାଗି ରାଜ୍ୟ ବାହାରକୁ ଚାଲିଯାଇଥିବା ଭଳି ଅଞ୍ଚଳଗୁଡ଼ିକରେ ମହିଳା ମନରେଗା ଶ୍ରମିକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି।