୧୦% ଧନୀଙ୍କ ପାଖରେ ଦେଶର ଅଧା ସମ୍ପତ୍ତି

ନୂଆଦିଲ୍ଲୀ: ଦଶ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଦେଶର ଅଧା ସମ୍ପତ୍ତି ରହିଛି। ତଳ ଆଡ଼େ ଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୧୦% ସମ୍ପତ୍ତି ମଧ୍ୟ ନାହିଁ। ଜାତୀୟ ନମୁନା ସର୍ବେକ୍ଷଣ (ଏନ୍‌ଏସ୍‌ଏସ୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୧୯ରେ ଏହି ‘ସର୍ବଭାରତୀୟ ଋଣ ଓ ନିବେଶ ସର୍ବେକ୍ଷଣ’ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ୧୦ ପ୍ରତିଶତ ଧନୀ ଭାରତୀୟଙ୍କ ପାଖରେ ସହରାଞ୍ଚଳର ୫୫.୭ ପ୍ରତିଶତ ଓ ଗ୍ରାମାଞ୍ଚଳର ୫୦.୮ ପ୍ରତିଶତ ସମ୍ପତ୍ତି ରହିଛି। ଜମି, ପ୍ରାଣୀଧନ, କୋଠା, ଗାଡ଼ି, ବ୍ୟାଙ୍କ, ଡାକଘରେ ଥିବା ଜମା ରାଶି ଓ କଂପାନିଗୁଡ଼ିକରେ ଥିବା ସେୟାର ଆଦିକୁ ସମ୍ପତ୍ତି ଭାବେ ବିଚାର କରାଯାଉଛି। ଏନ୍‌ଏସ୍‌ଏସ୍‌ ରିପୋର୍ଟ ଅନୁଯାୟୀ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଖରେ ୨୭୪.୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିରୁ ୧୩୯.୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ୧୦% ଧନୀ ଲୋକଙ୍କ ପାଖରେ ଅଛି। ସହରାଞ୍ଚଳର ‌ତଳ ଆଡ଼େ ଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୬.୨ ପ୍ରତିଶତ ସମ୍ପତ୍ତି ରହିଛି। ଗ୍ରାମାଞ୍ଚଳରେ ତଳ ଆ‌ଡ଼େ ଥିବା ୫୦% ଲୋକଙ୍କ ପାଖରେ ୧୦.୨ ପ୍ରତିଶତ ସମ୍ପତ୍ତି ରହିଛି। ସମ୍ପତ୍ତି ମାଲିକାନା କ୍ଷେତ୍ରରେ ଧନୀ ଓ ଗରିବଙ୍କ ମଧ୍ୟରେ ଅନ୍ତର ଦିଲ୍ଲୀରେ ସର୍ବାଧିକ ରହିଛି। ଦିଲ୍ଲୀର ୧୦% ଧନୀଙ୍କ ପାଖରେ ୮୦.୮% ସମ୍ପତ୍ତି ଥିବା ବେଳେ ତଳ ଆଡ଼େ ଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ ମାତ୍ର ୨.୧% ସମ୍ପତ୍ତି ରହିଛି। ଏହି ତାଲିକାରେ ଦିଲ୍ଲୀ ପଛକୁ ରହିଛି ପଞ୍ଜାବ ରହିଛି ଯେଉଁଠାରେ ୧୦% ଧନୀଙ୍କ ପାଖରେ ୬୫% ସମ୍ପତ୍ତି ଥିବା ବେଳେ ତଳ ୫୦% ଲୋକଙ୍କ ପାଖରେ ମାତ୍ର ୫% ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର