ନୂଆଦିଲ୍ଲୀ : ସାରା ବିଶ୍ବରେ ସାଂଘାତି ଆୟ ଅସମାନତା ଥିବା କିଛି ହାତଗଣତି ଦେଶ ତାଲିକାରେ ଭାରତର ନାମ ରହିଛି। ଭାରତରେ ଧନୀ ଓ ଗରିବଙ୍କ ଆୟରେ ଆକାଶ ପାତାଳ ଫରକ ରହିଛି। ଶୀର୍ଷ ୧୦% ଧନୀଙ୍କ ପାଖରେ ଦେଶର ୫୭% ସମ୍ପତ୍ତି ଥିବା ବେଳେ ତଳ ଆଡ଼େ ଥିବା ୫୦% ଲୋକଙ୍କ ପାଖରେ ମାତ୍ର ୧୩% ସମ୍ପତ୍ତି ରହିଛି। ଭାରତର ପ୍ରାପ୍ତବୟସ୍କଙ୍କ ହାରାହାରି ଆୟ ହେଉଛି ୨ ଲକ୍ଷ ୪ ହଜାର ୨୦୦ ଟଙ୍କା। ତଳ ଆଡ଼ର ୫୦% ଲୋକଙ୍କ ହାରାହାରି ଆୟ ହେଉଛି ୫୩,୬୧୦ ଟଙ୍କା। ଶୀର୍ଷ ୧୦% ଧନୀ ଲୋକଙ୍କ ହାରାହାରି ଆୟ ଏହା ଠାରୁ ୨୦ ଗୁଣ ଅଧିକ ଅର୍ଥାତ ୧୧ ଲକ୍ଷ ୬୬ ହଜାର ୫୨୦ ଟଙ୍କା ରହିଛି। ‘ୱାର୍ଲଡ୍ ଇନଇକ୍ବାଲିଟି ରିପୋର୍ଟ ୨୦୨୨’ରେ ଏହି ତଥ୍ୟ ଜାରି କରାଯାଇଛି।
ଭାରତରେ ହାରାହାରି ପରିବାର ସମ୍ପତ୍ତି ୯,୮୩,୦୧୦ ଟଙ୍କା ଆକଳନ କରାଯାଇଛି। ତଳ ସ୍ତରରେ ଥିବା ୫୦% ପରିବାରର ହାରାହାରି ସମ୍ପତ୍ତି ହେଉଛି ମାତ୍ର ୬୬,୨୮୦ ଟଙ୍କା। ମଧ୍ୟବିତ୍ତ ପରିବାରର ହାରାହାରି ସମ୍ପତ୍ତି ୭,୨୩,୯୩୦ ଟଙ୍କା ରହିଛି। ଶୀର୍ଷ ସ୍ଥାନରେ ଥିବା ୧୦% ଲୋକଙ୍କ ହାରାହାରି ସମ୍ପତ୍ତି ୬୩,୫,୦୭୦ ଟଙ୍କା ରହିଛି।
ଏହି ରିପୋର୍ଟରେ କୁହାଯାଇଛି ଯେ ବ୍ରିଟିସ ଶାସନ ଅମଳରେ (୧୮୫୮-୧୯୪୭) ଭାରତରେ ଆୟ ଅସମାନତା ଉତ୍କଟ ସ୍ଥିତିରେ ଥିଲା। ଶୀର୍ଷ ୧୦%ଙ୍କ ପାଖରେ ୫୦% ଆୟ ଥିଲା। ଦେଶ ସ୍ବାଧୀନ ହେବା ପରେ ପଞ୍ଚବାର୍ଷିକ ଯୋଜନା ଲାଗୁ କରାଯିବାରୁ ଏହି ହାର ୩୫-୪୦% ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ତେବେ ଉଦାରୀକରଣ ପରେ ଆୟରେ ବଡ଼ ଧରଣର ଉନ୍ନତି ହୋଇଥିଲା ଓ ସେହି ଅନୁସାରେ ଦେଶରେ ଆୟ ଅସମାନତା ମଧ୍ୟ ବଢ଼ିଥିଲା। ଅର୍ଥନୈତିକ ସଂସ୍କାର ପ୍ରଭାବରେ ଶୀର୍ଷ ୧% ଧନୀ ଲୋକ ଅଧିକ ଲାଭବାନ ହୋଇଛନ୍ତି। ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାନେ ଅପେକ୍ଷାକୃତ ଭାବେ କମ୍ ଉପକୃତ ହୋଇଛନ୍ତି। ଦାରିଦ୍ର୍ୟ ଜାରି ରହିଛି।
ଗତ ତିନି ବର୍ଷ ଭିତରେ ଆୟ ଅସମାନତାକୁ ନେଇ ସରକାର ଯେଉଁ ତଥ୍ୟ ଜାରି କରିଛନ୍ତି ତାହାର ମାନ ଅତ୍ୟନ୍ତ ଦୁର୍ବଳ ରହିଥିବା ନେଇ ରିପୋର୍ଟରେ ଉଦବେଗ ପ୍ରକାଶ କରାଯାଇଛି। ସେଥିପାଇଁ ଦେଶରେ ଆୟ ଅସମାନତାର ବାସ୍ତବ ଚିତ୍ର ଆକଳନ କରାଯାଇପାରିନାହିଁ। ସରକାରୀ ତଥ୍ୟର ମାନ ଅତ୍ୟନ୍ତ ଦୁର୍ବଳ ରହିଥିବା ରିପୋର୍ଟରେ କୁହାଯାଇଛି। ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଭାରତ ଓ ଚୀନ୍ ଭଳି ଉଦୀୟମାନ ରାଷ୍ଟ୍ରରେ ସରକାରୀ ସମ୍ପତ୍ତି ହ୍ରାସ ପାଉଥିବା ବେଳେ ଘରୋଇ ସଂସ୍ଥା ମାଲିକାନାରେ ଥିବା ସମ୍ପତ୍ତି ସଂଖ୍ୟା ବଢ଼ୁଛି। ସରକାରୀ ସମ୍ପତ୍ତି କହିଲେ ପ୍ରଶାସନିକ ଗୃହ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ହସ୍ପିଟାଲ୍ ଓ ଅନ୍ୟାନ୍ୟ ସରକାରୀ ସେବାକୁ ବୁଝାଇଥାଏ। ଉଦୀୟମାନ ଦେଶଗୁଡ଼ିକରେ ଦ୍ରୁତ ଗତିରେ ସରକାରୀ ସମ୍ପତ୍ତି ହ୍ରାସ ପାଉଥିବା ବେଳେ ଧନୀ ରାଷ୍ଟ୍ରଗୁଡ଼ିକରେ ହ୍ରାସର ଗତି କମ୍ ରହିଛି। ଭାରତରେ ୧୯୮୦ରୁ ୨୦୨୦ ମଧ୍ୟରେ ଘରୋଇ ସମ୍ପତ୍ତି ୨୯୦%ରୁ ବୃଦ୍ଧି ପାଇ ୫୬୦%ରେ ପହଞ୍ଚିଛି।