ଏସ୍‌ଡିଜି ପ୍ରଦର୍ଶନରେ ୧୦ ପଏଣ୍ଟ୍‌ ଉନ୍ନତି, ଏସ୍‌ଡିଜି-୧୩, ୧୪ରେ ରାଜ୍ୟ ଏକ ନମ୍ବର

ସ୍ଥାପନ କରାଯିବ ଉତ୍ସର୍ଗୀକୃତ ପିଏମ୍‌ୟୁ, ରାଜ୍ୟ ସ୍କିମ୍‌ର ଫଳାଫଳ ବିଚାରକୁ ନେବାକୁ ନିତି ଆୟୋଗକୁ ଆହ୍ବାନ

ଭୁବନେଶ୍ବର: ନିରନ୍ତର ବିକାଶ ଲକ୍ଷ୍ୟରେ (ସଷ୍ଟେନେବଲ୍ ଡେଭେଲପ୍‌ମେଣ୍ଟ୍‌ ଗୋଲ୍‌) ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାର ପ୍ରଦର୍ଶନରେ ୧୦ ପଏଣ୍ଟ୍‌ ଉନ୍ନତି ହୋଇଛି। ୨୦୧୯ରେ ରାଜ୍ୟର ସ୍କୋର ୫୧ ଥିବା ବେଳେ ୨୦୨୦ରେ ତାହା ୬୧କୁ ବୃଦ୍ଧି ପାଇଛି। ପାଣିପାଗ ପରିବର୍ତ୍ତନ ଓ ଏହାର ପ୍ରଭାବ ସଂକ୍ରାନ୍ତ ଏସ୍‌ଡିଜି-୧୩ ଓ ମହାସାଗର, ସାଗର ଓ ସାମୂଦ୍ରିକ ସମ୍ବଳ ବ୍ୟବହାର ସମ୍ପର୍କିତ ଏସ୍‌ଡିଜି-୧୪ରେ ଓଡ଼ିଶା ଏକ ନମ୍ବର ରୢାଙ୍କ ହାସଲ କରିଛି। ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ଟିମ୍ ସହିତ ଅନୁଷ୍ଠିତ ବୈଠକରେ ଏହି ତଥ୍ୟ ଜାରି କରାଯାଇଛି। ନଅ ପ୍ରକାର ଏସ୍‌ଡିଜି ଲକ୍ଷ୍ୟ ହାସଲରେ ଓଡ଼ିଶା ଅଗ୍ରଣୀ ରହିଥିବା ବେଳେ ଅନ୍ୟ ଛଅଟି ଲକ୍ଷ୍ୟ ହାସଲରେ ଆକାଂକ୍ଷୀ ରାଜ୍ୟ ବର୍ଗରେ ରହିଛି। ଉପଦେଷ୍ଟା ସାନ୍ୟୁକ୍ତା ସମାଦାର ପ୍ରଦର୍ଶନ କରିଥିବା ତଥ୍ୟ ଅନୁଯାୟୀ ସ୍ବଚ୍ଛ ଜଳ ଓ ପରିମଳ, ନିବେଶ ପ୍ରସାର, ନବସୃଜନ ଓ ଶିଳ୍ପ ଭିତ୍ତିଭୂମି, ମାନବ ପୁନର୍ବାସକୁ ଅନ୍ତୁର୍ଭକ୍ତୀକରଣ, ସୁରକ୍ଷିତ କରିବା ଏବଂ ପୃଥିବୀର ସୁରକ୍ଷା, ପୁନରୁଦ୍ଧାର ଓ ପ୍ରସାର ‌ଆଦି କ୍ଷେତ୍ରରେ ଓଡ଼ିଶା ଉନ୍ନତ ପ୍ରଦର୍ଶନ କରିଛି।

ଏସ୍‌ଡିଜିରେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଲକ୍ଷ୍ୟରେ ରାଜ୍ୟର ପ୍ରଦର୍ଶନକୁ ତୃଣମୂଳ ସ୍ତରରୁ ହାସଲ କରିବା ଉପରେ ମୁଖ୍ୟ ସଚିବ ବୈଠକରେ ଗୁରୁତ୍ବାରୋପ କରିଛନ୍ତି। ଏସ୍‌ଡିଜି ପ୍ରଦର୍ଶନର ଅନୁଶୀଳନ କରିବା ବେଳେ ମମତା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମୀଣ ହାଉସିଂ, ସହରାଞ୍ଚଳ ହାଉସିଂ, ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍ ଆଦିର ଫଳାଫଳକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନଙ୍କ ଅଧ୍ୟକ୍ଷତାରେ ସାତଟି ଦଳ ଗଠନ କରି ଏସ୍‌ଡିଜି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଲାଗି ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଏସ୍‌ଡିଜି ରିପୋର୍ଟ ୨୦୨୦ରେ ଓଡ଼ିଶାର ପ୍ରଦର୍ଶନ ଠିକ୍ ଭାବେ ପ୍ରଦର୍ଶିତ ହୋଇନାହିଁ। ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସ୍କିମ୍‌ର ଫଳାଫଳକୁ ବିଚାରକୁ ନିଆଯାଇଥାନ୍ତା ତେବେ ଏସ୍‌ଡିଜି-୧ ଲକ୍ଷ୍ୟରେ ଓଡ଼ିଶାର ସ୍କୋର ୪୧ ପରିବର୍ତେ ୫୦ ହୋଇଥାନ୍ତା। ସେହିପରି ଲକ୍ଷ୍ୟ-୨ ଓ ଲକ୍ଷ୍ୟ-୯ର ସ୍କୋର ଯଥାକ୍ରମେ ୪୫ରୁ ୫୬କୁ ଏବଂ ୪୬ରୁ ୪୮କୁ ବୃଦ୍ଧି ପାଇଥାନ୍ତା ବୋଲି ସେ କହିଛନ୍ତି। ଏସ୍‌ଡିଜି ଲକ୍ଷ୍ୟଗୁଡ଼ିକର ପ୍ରଦର୍ଶନର ଅନୁଶୀଳନ କରିବା ଲାଗି ଯୋଜନା ଓ ସଂଯୋଜନା ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ପିଏମ୍‌ୟୁ ୟୁନିଟ୍ ଖୋଲିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର