୫ ବର୍ଷରେ ଆବଶ୍ୟକ ୧୦ ହଜାର ପାଇଲଟ୍: ଆମେରିକା ତୁଳନାରେ ଭାରତରେ ଦୁଇ ଗୁଣା ଅଧିକ ମହିଳା ପାଇଲଟ୍
ନୂଆଦିଲ୍ଲୀ: ଆସନ୍ତା କିଛି ବର୍ଷ ଭିତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ୨୦୨୪ ସୁଦ୍ଧା ସେଭଳି କର୍ମଚାରୀଙ୍କ ସଂଖ୍ୟା ସାଢ଼େ ତିନି ଲକ୍ଷ୍ୟରେ ପହଞ୍ଚିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ଲୋକସଭାରେ ସେହି ରିପୋର୍ଟ ଉପସ୍ଥାପିତ ହୋଇଛି। ବର୍ତ୍ତମାନ ପାଇଲଟ୍, କ୍ୟାବିନ୍ କ୍ରୁ, ଇଞ୍ଜିନିୟର ଓ ବିମାନ ବନ୍ଦର କର୍ମଚାରୀ ଭାବେ ପ୍ରାୟ ଅଢ଼େଇ ଲକ୍ଷ ଲୋକ କାମ କରୁଛନ୍ତି। ଆସନ୍ତା କିଛି ବର୍ଷ ଭିତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଓ ବିମାନ ସଂଖ୍ୟା ବୃଦ୍ଧି ପାଇବ। ସେହି ବିମାନଗୁଡ଼ିକୁ ଚଲାଇବା ଲାଗି ଆସନ୍ତା ୫ ବର୍ଷରେ ୧୦ ହଜାର ପାଇଲଟ୍ ଆବଶ୍ୟକ ହେବ। ୨୦୧୯, ୨୦୨୦ ଓ ୨୦୨୧ରେ ଯଥାକ୍ରମେ ୨,୩୬୮, ୪୦୦ ଓ ୨୯୬ ପାଇଲଟ୍ଙ୍କୁ ନିଯୁକ୍ତି ମିଳିଥିଲା। ୨୦୨୧ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସର୍ବକାଳୀନ ସର୍ବାଧିକ ୮୬୨ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ଜାରି କରିଥିଲା। ଦେଶରେ ୩୫ଟି ଫ୍ଲାଇଙ୍ଗ ଟ୍ରେନିଂ ସଂସ୍ଥା ରହିଛି। ସେଗୁଡ଼ିକୁ ନିୟାମକ ସଂସ୍ଥା ଡିଜିସିଏର ଅନୁମୋଦନ ମିଳିଛି। ଦେଶରେ ଏବେ ୧୩୬ଟି ବିମାନବନ୍ଦର ଥିବା ବେଳେ ସେଥିରୁ ୧୦୯ଟି କାର୍ଯ୍ୟକ୍ଷମ ରହିଛି। ସେଥି ମଧ୍ୟରୁ ୨୪ଟି କଷ୍ଟମ୍ ବିମାନବନ୍ଦର ହୋଇଥିବା ବେଳେ ୭୫ଟି ହେଉଛି ଡୋମେଷ୍ଟିକ୍ ବିମାନବନ୍ଦର। ଗତ ଦଶନ୍ଧିରେ କାର୍ଯ୍ୟକ୍ଷମ ଥିବା ବିମାନବନ୍ଦର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଯାତ୍ରୀ ପରିଚାଳନା କ୍ଷମତା ୨୦୨୨ ସୁଦ୍ଧା ୪୦.୭୨ କୋଟିରେ ପହଞ୍ଚିଛି ଯାହା ୨୦୧୪ରେ ୨୧.୯୯ କୋଟି ଥିଲା। ୨୦୧୪-୧୫ରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପୁଞ୍ଜି ବ୍ୟୟ ୧,୩୯୯.୮୭ କୋଟି ଟଙ୍କା ଥିଲା ଯାହା ୨୦୨୨-୨୩ ସୁଦ୍ଧା ୫,୪୧୮.୭୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକା ତୁଳନାରେ ଭାରତରେ ଦୁଇ ଗୁଣା ଅଧିକ ମହିଳା ପାଇଲଟ୍
ଭାରତରେ ମହିଳା ପାଇଲଟ୍ଙ୍କ ସଂଖ୍ୟା ବିଶ୍ବର ଯେକୌଣସି ବିକଶିତ ଦେଶ ତୁଳନାରେ ଅଧିକ। ମୋଟ ପାଇଲଟ୍ଙ୍କ ମଧ୍ୟରେ ମହିଳା ପାଇଲ୍ଟଙ୍କ ଅବଦାନ ସର୍ବାଧିକ ୧୨.୪ ପ୍ରତିଶତ ରହିଛି। କିନ୍ତୁ ଆମେରିକାରେ ଏହି ହାର ଯଥେଷ୍ଟ କମ୍ ୫.୫ ପ୍ରତିଶତ ଥିବା ବେଳେ ବ୍ରିଟେନ୍ରେ ତାହା ୪.୭ ପ୍ରତିଶତ ରହିଛି।