ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଲାଗୁ କରାଯାଇଥିବା ୪ଟି ଶ୍ରମ କୋଡ୍‌କୁ ୧୦ଟି ପ୍ରମୁଖ ଶ୍ରମିକ ସଂଗଠନ ନିନ୍ଦା କରିଛନ୍ତି। ଶ୍ରମ କୋଡ୍‌ରେ ପରିବର୍ତ୍ତନକୁ ସେମାନେ ଶ୍ରମିକମାନଙ୍କ ପାଇଁ ଏକ ପ୍ରବଞ୍ଚାନତ୍ମକ ଠକେଇ ବୋଲି କହିଛନ୍ତି। ବିରୋଧୀଦଳଗୁଡ଼ିକ ସହ ଜଡ଼ିତ ଶ୍ରମିକ ସଂଗଠନଗୁଡ଼ିକ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ବୁଧବାର ସେମାନେ ଦେଶବ୍ୟାପୀ ପ୍ରତିବାଦ କରିବା ପାଇଁ ଯୋଜନା କରିଛନ୍ତି। 

Advertisment

ପାଞ୍ଚବର୍ଷ ପୂର୍ବେ ସଂସଦରେ ଗୃହୀତ ହୋଇଥିବା ୪ଟି ଶ୍ରମ କୋଡ୍‌କୁ ମୋଦୀ ସରକାର ଗତକାଲି କାର୍ଯ୍ୟକାରୀ କରିଛନ୍ତି। କାର୍ଯ୍ୟ ନିୟମକୁ ସରଳ କରିବା ସହିତ ନିବେଶ ଆକୃଷ୍ଟ କରିବା ପାଇଁ ଏହା କରାଯାଇଛି। ଶ୍ରମିକଙ୍କ ସୁରକ୍ଷା ସ୍ଥିତିରେ ନୂଆ କୋଡ୍‌ ଉନ୍ନତି ଆଣିବ ବୋଲି ଆଶା ରଖାଯାଇଛି। ନୂଆ ନିୟମରେ ସାମାଜିକ ସୁରକ୍ଷା ଏବଂ ସର୍ବନିମ୍ନ ପାରିଶ୍ରମିକ ସୁବିଧା ରହିଛି। ଏଥିସହିତ କମ୍ପାନିଗୁଡ଼ିକ ପାଇଁ ସହଜରେ ନିଯୁକ୍ତି ଦେବା ଏବଂ ବିଦା କରିବା ବ୍ୟବସ୍ଥା ରହିଛି। କିନ୍ତୁ ଅଧିକାଂଶ ଶ୍ରମିକ ସଂଗଠନ ଏହାକୁ ତୀବ୍ର ବିରୋଧ କରିଛନ୍ତି। ୫ ବର୍ଷ ହେଲା ସେମାନେ ଏହା ବିରୋଧରେ ଏକାଧିକ ବିକ୍ଷୋଭ କରିଛନ୍ତି। ନୂଆ ଶ୍ରମ କୋଡ୍‌ରେ ଅଧିକ ସମୟ କାରଖାନାରେ କାର୍ଯ୍ୟ କରିବା ଏବଂ ମହିଳାମାନଙ୍କୁ ରାତିରେ କାର୍ଯ୍ୟ କରିବା ଭଳି ସୁବିଧା ରହିଛି। ଛଟେଇ ପାଇଁ ଆଗୁଆ ଅନୁମତି ନେବାର ସଂଖ୍ୟା ପୂର୍ବରୁ ୧୦୦ ଥିବାବେଳେ ନୂଆ ଶ୍ରମ କୋଡ୍‌ରେ ଏହି ସଂଖ୍ୟାକୁ ୩୦୦କୁ ବୃଦ୍ଧି କରାଯାଇଛି।