ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ପ୍ରଥମ ଥର ୨୦୧୪ରେ ପ୍ରଧାନମନ୍ତ୍ରୀ ହୋଇଥିେଲ। ଏହାପରଠାରୁ ଦେଶର ଅର୍ଥନୀତିରେ ବହୁ ପରିବର୍ତ୍ତନ ହୋଇଛି। ଶାସନ ଭାର ଗ୍ରହଣ କରିବା ବେଳେ ଦେଶର ଅର୍ଥନୀତି ମନ୍ଥର ଅଭିବୃଦ୍ଧି, ନିବେଶକଙ୍କ ଭରସାର ଅଭାବ, ଦୁର୍ନୀତି ଆଦି ସମସ୍ୟା ଦେଇ ଗତି କରୁଥିଲା। ୨୦୧୪ରେ ଦେଶର ମୁଣ୍ଡପିଛା ଆୟ ୫୦୦୦ ଡଲାର ପାଖାପାଖି ଥିଲା। ୨୦୨୨ ସୁଦ୍ଧା ତାହା ୪୦ ପ୍ରତିଶତ ବୃଦ୍ଧି ପାଇ ୭୦୦୦ ଡଲାରରୁ ଅଧିକ ହୋଇଛି। ଏଥିରୁ ଏହା ଜଣାପଡ଼ୁଛି ଯେ ଭାରତୀୟମାନଙ୍କ କ୍ରୟ ଶକ୍ତିରେ ଯଥେଷ୍ଟ ଉନ୍ନତି ଘଟିଛି।
ମୋଦୀ ସରକାରଙ୍କ ଅମଳରେ ମିଳିଥିବା ଏକ ପ୍ରମୁଖ ଉପଲବ୍ଧି ହେଉଛି ଆଧାର ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)। ଦେଶର ୯୯ ପ୍ରତିଶତ ପ୍ରାପ୍ତବୟସ୍କଙ୍କ ପାଖରେ ଆଧାର କାର୍ଡ ପହଞ୍ଚିଛି। ଏହାକୁ ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଲିଙ୍କ୍ କରାଯିବା ପରେ ଡିବିଟି ବ୍ୟବସ୍ଥାରେ ପାରଦର୍ଶିତା ଆସିପାରିଛି। ହିତାଧିକାରୀଙ୍କ ପାଖରେ ସ୍କିମ୍ର ଲାଭ ସିଧାସଳଖ ପହଞ୍ଚିପାରୁଛି। ଗତ ୧୦ ବର୍ଷ ଭିତରେ ଦେଶରେ ସଡ଼କ, ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଜନ ଧନ ଯୋଜନା ଯୋଗୁଁ ପ୍ରାୟ ପ୍ରତିଟି ଯୋଗ୍ୟ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ପହଞ୍ଚିପାରିଛି। ଏହା ଦ୍ବାରା ଲୋକମାନଙ୍କ ବ୍ୟାଙ୍କ ଖାତାରେ ସ୍କିମ୍ର ଲାଭ ସିଧାସଳଖ ଜମା କରାଯାଇପାରୁଛି। ୨୦୨୪ ଜାନୁଆରି ସୁଦ୍ଧା ଦେଶରେ ୫୧.୫୦ କୋଟି ଜନଧନ ଖାତା ଥିଲା ଯେଉଁଥିରେ ୨,୧୫,୮୦୩ କୋଟି ଟଙ୍କାର ଜମା ରାଶି ରହିଛି।
ଗତ କିଛି ବର୍ଷ ଭିତରେ ମିଳିଥିବା ଆଉ ଏକ ବଡ଼ ଉପଲବ୍ଧି ହେଉଛି ଡିଜିଟାଲ୍ କାରବାର। ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ପ୍ରଚଳନ ବଢ଼ିବା ପରେ ଆଉ ଲୋକମାନଙ୍କୁ ଏଟିଏମ୍ ବା ଡେବିଟ୍ କାର୍ଡ ଧରି ବୁଲିବାକୁ ପଡ଼ୁନାହିଁ। ମୋବାଇଲ୍ ଫୋନ୍ରେ ଥିବା ଆପ୍ ଜରିଆରେ ସେମାନେ ଗଳିକନ୍ଦିର ଦୋକାନଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ୍ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ କରିପାରୁଛନ୍ତି। ଲୋକମାନେ ଡିବେଞ୍ଚର ଆକାରରେ ରଖିଥିବା ସଞ୍ଚୟ ୨୦୧୪ରେ ୧୮,୯୩୦ କୋଟି ଟଙ୍କା ଥିଲା। ୨୦୨୩ ସୁଦ୍ଧା ତାହା ୨,୧୪,୧୯୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ଅଧୀନରେ ଥିବା ପାଣ୍ଠି ପରିମାଣ ୮,୨୫,୨୪୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୩୯,୪୨,୦୩୧ କୋଟି ଟଙ୍କା ହୋଇଛି। ସଞ୍ଚୟ ଜମାରେ ୧୯୭ ପ୍ରତିଶତ ବୃଦ୍ଧି ଘଟିଛି। ଲୋକଙ୍କ ଭିତରେ ଆର୍ଥିକ ସାକ୍ଷରତା ବଢ଼ିଛି। ଷ୍ଟକ୍ ବଜାରରେ ନିବେଶ କରିବା ଲାଗି ଲୋକମାନଙ୍କ ଭିତରେ ଆଗ୍ରହ ବୃଦ୍ଧି ପାଇଛି। ବିଦେଶୀ ମୁଦ୍ରା ଭଣ୍ଡାରରେ ମଧ୍ୟ ବିଶେଷ ଉନ୍ନତି ଦେଖିବାକୁ ମିଳିଛି। ୨୦୧୪ରେ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ୩୦,୪୦୦ କୋଟି ଟଙ୍କା ଥିଲା। ୨୦୨୪ ଫେବ୍ରୁଆରି ସୁଦ୍ଧା ତାହା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୬୪,୨୦୦ କୋଟି ଡଲାର ହୋଇଛି। ବିଦେଶରୁ ଅଧିକ ପାଣ୍ଠି ଆସିବା, ରପ୍ତାନିରେ ବୃଦ୍ଧି ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଦେଶୀ ମୁଦ୍ରା ପରିଚାଳନାରେ ପାରଦର୍ଶିତା ପାଇଁ ଏଭଳି ସଫଳତା ମିଳିଛି। ୨୦୧୪ରେ ଦେଶର ୮୮ ପ୍ରତିଶତ ଗ୍ରାମରେ ବିଜୁଳି ପହଞ୍ଚିଥିଲା। ୨୦୨୦ରେ ସେହି ହାର ୯୯.୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହି ୧୦ ବର୍ଷ ଭିତରେ ଷ୍ଟକ୍ ବଜାରର ମୋଟ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍) ୫ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଛି। ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଏହି କ୍ଲବ୍ରେ ପ୍ରବେଶ କରିଛନ୍ତି।