୧୦ ବର୍ଷ ହେଲା ବଢ଼ିନି ମୁକେଶଙ୍କ ଦରମା

ବର୍ଷକୁ ନେଉଛନ୍ତି ୧୫ କୋଟି

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ତାଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ କମ୍ପାନିରୁ ଗତ ୧୦ ବର୍ଷ ହେଲା ବର୍ଷକୁ ୧୫ କୋଟି ଲେଖାଏଁ ବେତନ ନେଉଛନ୍ତି। ୨୦୦୮-୦୯ ବର୍ଷଠାରୁ ସେ ଏହି ବେତନ ନେଉଛନ୍ତି। ତେଣୁ ଗତ ଦଶ ବର୍ଷ ହେଲା ମୁକେଶ ରିଲାଏନ୍ସରୁ ତାଙ୍କ ବେତନ ଓ ଅନ୍ୟାନ୍ୟ ସୁବିଧା ବାବଦରେ ବର୍ଷକୁ ପ୍ରାୟ ୨୪ କୋଟି ଟଙ୍କା ଛାଡ଼ି ଦେଉଛନ୍ତି। ବ୍ୟକ୍ତିଗତ ସ୍ତରରେ ମଧ୍ୟମ ଧରଣର ବେତନ ନେବାରେ ଉଦାହରଣ ସୃଷ୍ଟି ପାଇଁ ମୁକେଶ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ କୁହାଯାଇଛି। ମୁକେଶ ତାଙ୍କ ସ୍ୱଇଚ୍ଛାରେ ୨୦୦୯ ଅକ୍ଟୋବରରେ ତାଙ୍କ ବେତନକୁ ୧୫ କୋଟି ଟଙ୍କାରେ ସୀମିତ ରଖିବା ନିଷ୍ପତ୍ତି ନେଇଥିଲେ। କମ୍ପାନିର ଅନ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ବେତନ ବଢ଼ି ଚାଲିଥିଲେ ମଧ୍ୟ ମୁକେଶଙ୍କ ବେତନ ସ୍ଥିର ରହିଛି। ମୁକେଶଙ୍କ ସମ୍ପର୍କୀୟ ନିଖିଲ ଆର. ମେସଓ୍ଵାନି ଏବଂ ହିତାଲ ଆର୍‌ ମେସଓ୍ଵାନିଙ୍କ ବେତନ ୧୯.୯୯ କୋଟି ଟଙ୍କା ଲେଖାଏଁକୁ ବୃଦ୍ଧି ପାଇଛି। ୨୦୧୬-୧୭ରେ ସେମାନେ ୧୬.୫୮ କୋଟି ଟଙ୍କାର ବେତନ ନେଉଥିଲେ। ମୁକେଶଙ୍କ ପତ୍ନୀ ନୀତା ଅମ୍ବାନିଙ୍କ ସମେତ ରିଲାଏନ୍ସର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ବୈଠକ ଫି ବ୍ୟତୀତ କମିସନ ଆକାରରେ ୧.୫ କୋଟି ଟଙ୍କା ଲେଖାଏଁ ନେଇଛନ୍ତି। ତେବେ ପୂର୍ବବର୍ଷ ଏହି କମିସନ ୧.୩ କୋଟି ଟଙ୍କା ରହିଥିଲା। ବୈଠକ ଫି ବାବଦରେ ନୀତା ୬ ଲକ୍ଷ ଟଙ୍କା ଲେଖାଏଁ ନିଅନ୍ତି।

ସମ୍ବନ୍ଧିତ ଖବର