ଭୁବନେଶ୍ବର: ଲୋକମାନଙ୍କୁ ଜୀବନଜୀବିକା ପ୍ରଦାନ କରିବାରେ ଏବେବି କୃଷି କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟର ୪୮ ପ୍ରତିଶତ ଶ୍ରମ ଶକ୍ତି ନିୟୋଜିତ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେବା କ୍ଷେତ୍ରରେ ୨୬ ପ୍ରତିଶତ ଓ ଶିଳ୍ପ କ୍ଷେତ୍ରରେ ୨୫.୮ ପ୍ରତିଶତ ଶ୍ରମ ଶକ୍ତି ନିୟୋଜିତ ହୋଇଛନ୍ତି। ରାଜ୍ୟରେ ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୩.୫୧ କୋଟି ରହିଛି। ସେଥିରୁ ଶ୍ରମଶକ୍ତିରେ ୨.୧୪ କୋଟି ଲୋକ ରହିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକଙ୍କ ସଂଖ୍ୟା ୨.୦୫ କୋଟି ଥିବା ବେଳେ ୯ ଲକ୍ଷ ପିଲା ବେକାର ରହିଛନ୍ତି। ୧.୩୧ କୋଟି ଲୋକ ସ୍ବାବଲମ୍ବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୭୩.୭ ଲକ୍ଷ ଲୋକ ମଜୁରୀଭିତ୍ତିକ ଶ୍ରମିକ ଭାବେ କାମ କରୁଛନ୍ତି। ୨୦୧୭-୧୮ରେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିୟୋଜିତ ହୋଇଥିବା ଲୋକଙ୍କ ସଂଖ୍ୟା ୭୧ ଲକ୍ଷ ଥିଲା ଯାହା ୨୦୨୨-୨୩ ସୁଦ୍ଧା ୯୮.୭ ଲକ୍ଷକୁ ବୃଦ୍ଧି ପାଇଛି। ସେହି ସମୟରେ ଶିଳ୍ପରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୩୮.୪ ଲକ୍ଷରୁ ବୃଦ୍ଧି ପାଇ ୫୩ ଲକ୍ଷରେ ପହଞ୍ଚିଛି। ସେବା କ୍ଷେତ୍ରରେ ଏହି ସମୟରେ ୧୭.୫ ଲକ୍ଷ ଲୋକ ନିୟୋଜିତ ହୋଇଛନ୍ତି। ୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ୬ ବର୍ଷ ଭିତରେ ରାଜ୍ୟରେ ସ୍ବାବଲମ୍ବୀଙ୍କ ସଂଖ୍ୟା ୬.୭ ପ୍ରତିଶତ ବଢ଼ିଥିବା ବେଳେ ବେତନଭୋଗୀ ଓ କାଜୁଆଲ ଶ୍ରମିକଙ୍କ ସଂଖ୍ୟା କମ୍ ହୋଇଛି।
୪୮% ଲୋକ କୃଷିରେ ନିୟୋଜିତ, ରାଜ୍ୟରେ ୯ ଲକ୍ଷ ବେକାର
ଅର୍ଥନୀତିକୁ ଶିଳ୍ପର ଅବଦାନ ୪୩%
ଭୁବନେଶ୍ବର: ରାଜ୍ୟର ଅର୍ଥନୀତି ପ୍ରତି ଶିଳ୍ପର ଅବଦାନ ବୃଦ୍ଧି ପାଇଛି। ଅର୍ଥନୈତିକ ସର୍ଭେ ରିପୋଟ ଅନୁସାରେ ୨୦୨୩-୨୪ରେ ରାଜ୍ୟର ମୋଟ ରାଜ୍ୟ ମୂଲ୍ୟ ଯୋଗ (ଜିଭିଏ)କୁ ଶିଳ୍ପ କ୍ଷେତ୍ରର ଅବଦାନ ୪୩.୩ ପ୍ରତିଶତ ହୋଇଛି। ଶିଳ୍ପରେ ମାନୁଫାକ୍ଚରିଂର ଅବଦାନ ସର୍ବାଧିକ ୫୪ ପ୍ରତିଶତ ଥିବା ବେଳେ ଏହା ପଛକୁ ରହିଛି ଖଣି ଓ ଖନନ (୨୨ ପ୍ରତିାତ), ବିଦ୍ୟୁତ (୧୬ ପ୍ରତିଶତ) ଏବଂ ଅନ୍ୟାନ୍ୟ ୟୁଟିଲିଟି (୮ ପ୍ରତିଶତ)। ୨୦୨୨-୨୩ ସୁଦ୍ଧା ରାଜ୍ୟର ମୋଟ ଖଣିଜ ଉତ୍ପାଦନ ପ୍ରତି ଓଡ଼ିଶାର ଅବଦାନ ୪୦ ପ୍ରତିଶତରୁ ଅଧିକ ରହିଛି। ଲୁହାପଥର ଉତ୍ପାଦନ ପ୍ରତି ରାଜ୍ୟର ଭାଗ ୫୫ ପ୍ରତିଶତ ଥିବା ବେଳେ ଦେଶର ଏକ ଚତୁର୍ଥାଂଶ କୋଇଲା ଓଡ଼ିଶାରେ ଉତ୍ପାଦନ ହେଉଛି। ସର୍ଭେ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୮.୭ ପତିଶତ ରହିବ ବୋଲି ଆକଳନ କରାଯାଇଛି। ରାଜ୍ୟରେ ମୂଲ୍ୟଯୋଗ କରିବାର ବିପୁଳ ସୁଯୋଗ ଥିବା ସର୍ଭେରେ କୁହାଯାଇଛି। ଯେହେତୁ ଓଡ଼ିଶାରେ ବିପୁଳ ପରିମାଣର ଇସ୍ପାତ ଉତ୍ପାଦନ ହେଉଛି, ତେଣୁ ଏହା କାର୍ର ବଡି, ଚେଚିସ୍ ଓ ଇଞ୍ଜିନ ଆଦି କ୍ଷେତ୍ରର ନିବେଶ ଆକୃଷ୍ଟ କରିପାରିବ। ଏହି ମୂଲ୍ୟଯୋଗ କରିବାରେ ରାଜ୍ୟର ଭୂମିକା ଏବେବି ସୀମିତ ରହିଛି। ତେବେ ଗତ କିଛି ବର୍ଷ ଭିତରେ ଗ୍ରିନ୍ ହାଇଡ୍ରୋଜେନ୍, ଟେକ୍ନିକାଲ୍ ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଭଳି ଅଣ-ଖଣିଜ କ୍ଷେତ୍ରର ନିବେଶକମାନେ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
୪୩୭୩ ପଞ୍ଚାୟତରେ ନାହିଁ ବ୍ୟାଙ୍କ
ଭୁବନେଶ୍ବର: ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଏବେବି ରାଜ୍ୟର ୪୩୭୩ ଗ୍ରାମ ପଞ୍ଚାୟତରେ ଇଟା କାନ୍ଥର ବ୍ୟାଙ୍କ ଶାଖା ନାହିଁ। ୨୦୨୨-୨୩ ସୁଦ୍ଧା ରାଜ୍ୟରେ ୫୭୭୪ଟି ବ୍ୟାଙ୍କ ଶାଖା ଓ ୭,୬୨୭ଟି ଏଟିଏମ୍ କାଉଣ୍ଟର ରହିଛି। ୫୭ ପ୍ରତିଶତ ଶାଖା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଖୋଲିଥିବା ବେଳେ ୧୯ ପ୍ରତିଶତ ଘରୋଇ ବ୍ୟାଙ୍କ, ୧୭ ପ୍ରତିଶତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ୫ ପ୍ରତିଶତ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ୬ ପ୍ରତିଶତ ଶାଖାକୁ ରାଜ୍ୟ କୋଅପରେଟିଭ୍ ବ୍ୟାଙ୍କ ଖୋଲିଛନ୍ତି। ରାଜ୍ୟରେ ପ୍ରତି ଲକ୍ଷେ ଲୋକଙ୍କ ପିଛା ୧୩ଟି ବ୍ୟାଙ୍କ ଶାଖା ରହିଛି। ସେହିପରି ଲକ୍ଷେ ଲୋକ ପିଛା ୧୭ଟି ଏଟିଏମ୍ ରହିଛି। ରାଜ୍ୟର ଏଟିଏମ୍ଗୁଡ଼ିକ ଭିତରୁ ୩୫ ପ୍ରତିଶତ ସହରାଞ୍ଚଳ, ୪୧ ପ୍ରତିଶତ ଅର୍ଧ ସହରାଞ୍ଚଳ ଓ ୨୪ ପ୍ରତିଶତ ଗ୍ରାମାଞ୍ଚଳରେ ରହିଛି। ସିଡ୍ୟୁଲ୍ଡ ବାଣିଜ୍ୟିକ ବ୍ୟାଙ୍କରେ ଋଣ ଜମା ଅନୁପାତ ୪୬.୭ ପ୍ରତିଶତ ରହିଛି ଯାହା ଜାତୀୟ ହାର ୭୫.୮ ପ୍ରତିଶତଠାରୁ କମ୍। ଜିଏସ୍ଡିପିକୁ ଋଣ ଅନୁପାତ ରାଜ୍ୟରେ ୨୮.୭ ପ୍ରତିଶତ ରହିଛି।
ମାଣ୍ଡିଆ ଉତ୍ପାଦନ ୧୨୧ ପ୍ରତିଶତ ବୃଦ୍ଧି
ସରକାର ୨୦୧୭-୧୮ ବର୍ଷରୁ ଓଡ଼ିଶା ମିଲେଟ ମିସନ୍ ଅଧୀନରେ ମାଣ୍ଡିଆ ଚାଷ ଓ ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। ଓଡ଼ିଶା ମିଲେଟ୍ ମିସନ୍ କାର୍ଯ୍ୟକାରୀ ହେବା ପରଠାରୁ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ମାଣ୍ଡିଆଜାତୀୟ ଶସ୍ୟର ଉତ୍ପାଦନ ୧୨୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାଯାଇଛି।
୫୪,୭୧୭ କୋଟିର କୃଷି ଋଣ ପ୍ରଦାନ
ରାଜ୍ୟରେ କୃଷିଋଣ ବିତରଣ ୨୦୧୧-୧୨ରେ ୮୫୨୦ କୋଟି ଟଙ୍କା ଥିଲା। କିନ୍ତୁ ୨୦୨୨-୨୩ରେ ଏହା ୫୪,୭୧୭ କୋଟି ଟଙ୍କାକୁ ବୃଦ୍ଧିପାଇଛି।
୬୯.୨ ଲକ୍ଷ ହେକ୍ଟର ଜମି ପାଇଁ ଜଳସେଚନ ସୁବିଧା
୨୦୧୩-୧୪ ବର୍ଷ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ହେକ୍ଟର ଜମିର ଜଳସେଚନ କ୍ଷମତା ସୃଷ୍ଟି ହୋଇଥିଲା। ୨୦୨୨-୨୩ ବର୍ଷରେ ଏହି କ୍ଷମତା ୬୯.୨ ଲକ୍ଷ ହେକ୍ଟରକୁ ବୃଦ୍ଧି କରାଯାଇଛି।
୨୨୬.୯ ହଜାର ଟନ୍ ମାଂସ ଉତ୍ପାଦନ
ଓଡ଼ିଶାରେ ପଶୁସମ୍ପଦ ଓ ମତ୍ସ୍ୟ ଉତ୍ପାଦନରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି, ଯାହା ଉଭୟ ଖାଦ୍ୟ ସୁରକ୍ଷା ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଛି। ରାଜ୍ୟରେ ମାଂସ ଉତ୍ପାଦନ ୨୦୨୧-୨୨ରେ ୨୧୬.୨ ହଜାର ଟନ୍ ଥିବାବେଳେ ୨୦୨୨-୨୩ରେ ଏହା ୨୨୬.୯ ହଜାର ଟନ୍କୁ ବୃଦ୍ଧି ପାଇଛି।
୨୪.୮ ଲକ୍ଷ ଟନ୍ କ୍ଷୀର ଉତ୍ପାଦନ
ସେହିପରି ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ୨୦୨୧-୨୨ରେ ୨୪ ଲକ୍ଷ ଟନ୍ ଥିବାବେଳେ ୨୦୨୨-୨୩ରେ ଏହା ୨୪.୮ ଲକ୍ଷ ଟନକୁ ବୃଦ୍ଧିପାଇଛି। ଏହା ସତ୍ତ୍ବେ ରାଜ୍ୟରେ ମୁଣ୍ଡପିଛା ଦୁଗ୍ଧ ଏବଂ ଅଣ୍ଡା ଉପଲବ୍ଧତା ଜାତୀୟ ହାର ତୁଳନାରେ କମ୍ ରହିଛି। ତେଣୁ ରାଜ୍ୟରେ ଉଭୟ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ଓ ଉପଲବ୍ଧତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି।
ମାଛ ଉତ୍ପାଦନ ୧୦.୫ ଲକ୍ଷ ଟନ୍କୁ ବୃଦ୍ଧି
୨୦୧୪-୧୫ରେ ରାଜ୍ୟରେ ମାଛ ଉତ୍ପାଦନ ୪.୪ ଲକ୍ଷ ଟନ୍ ଥିଲା। କିନ୍ତୁ ମାଛ ଉତ୍ପାଦନ ରାଜ୍ୟରେ ବାର୍ଷିକ ହାରାହାରି ୧୧ ପ୍ରତିଶତ ବୃଦ୍ଧି ଘଟି ୨୦୨୨-୨୩ରେ ୧୦.୫ ଲକ୍ଷ ଟନ୍ରେ ପହଞ୍ଚିଛି। ୨୦୧୪-୧୫ ବେଳକୁ ରାଜ୍ୟରେ ବର୍ଷକୁ ମୁଣ୍ଡପିଛା ମାଛ ଖାଇବା ୧୧.୦୬ କିଲୋଗ୍ରାମ ଥିଲା। କିନ୍ତୁ ୨୦୨୨-୨୩ରେ ଏହା ୧୭.୭୩ କିଲୋଗ୍ରାମକୁ ବୃଦ୍ଧି ପାଇଛି। ଓଡ଼ିଶାରୁ ଦେଶର ଅନ୍ୟ ରାଜ୍ୟ ଏବଂ ବିଦେଶକୁ ମାଛ ରପ୍ତାନି ବାର୍ଷିକ ୧୧.୨ ପ୍ରତିଶତରେ ବୃଦ୍ଧି ଘଟି ୨୦୨୨-୨୩ରେ ୨୭୦.୬ ହଜାର ଟନ୍ରେ ପହଞ୍ଚିଛି। ଯାହାକି ୨୦୧୪-୧୫ରେ ୧୧୫.୬ ହଜାର ଟନ୍ ରହିଥିଲା।
ଦେଶର ମୋଟ ଖଣିଜର ୪୧.୯ ପ୍ରତିଶତ ଉତ୍ତୋଳନ
ଭାରତୀୟ ଖଣି ବ୍ୟୁରୋର ରିପୋର୍ଟ ଅନୁଯାୟୀ ୨୦୨୨-୨୩ରେ ଇନ୍ଧନ ତୈଳ ଏବଂ ଆଣବିକ ଖଣିଜ ବ୍ୟତୀତ ଦେଶର ମୋଟ ଖଣିଜ ଉତ୍ତୋଳନରେ ଓଡ଼ିଶାର ଯୋଗଦାନ ୪୧.୯ ପ୍ରତିଶତ ରହିଛି। ଓଡ଼ିଶାର ଖଣିଜ ରାଜସ୍ବ ୨୦୨୨-୨୩ରେ ୩୮,୦୭୫ କୋଟି ଟଙ୍କାରେ ପହଞ୍ଚିଛି।
ଶ୍ରମଭିତ୍ତିକ ନିଯୁକ୍ତି ଆବଶ୍ୟକ
ବିଭିନ୍ନ କ୍ଷେତ୍ରକୁ ବିନିର୍ମାଣରେ ସାମିଲ କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ୨୦୧୫-୧୬ରେ ମୋଟ ୧୩ଟି କ୍ଷେତ୍ରରେ ବିନିର୍ମାଣ ପାଇଁ ଅନୁମତି ଦେଇଥିବାବେଳେ ୨୦୨୩-୨୪ରେ ତାହା ୩୨କୁ ବୃଦ୍ଧି ପାଇଛି। ଏଥିରେ ଏରୋସ୍ପେସ ଏବଂ ବିମାନ, ସବୁଜ ଶକ୍ତି ଓ ଉପକରଣ, ସ୍ବତନ୍ତ୍ର ରାସାୟନିକ ସାମଗ୍ରୀ, ଇଏସ୍ଡିଏମ୍, ଗ୍ରିନ ହାଇଡ୍ରୋଜେନ, ଡାଟା ସେଣ୍ଟର, ଟେକ୍ନିକାଲ ଟେକ୍ସଟାଇଲ ଆଦି ରହିଛି।
ମହିଳା ସାକ୍ଷରତାରେ ପଛରେ
ମହିଳା ସାକ୍ଷରତା କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରିଛି। ୨୦୦୧ ଜନଗଣନାରେ ମହିଳାଙ୍କ ସାକ୍ଷରତା ହାର ୫୦.୫ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୭୩.୬ ପ୍ରତିଶତକୁ ବୃଦ୍ଧି ପାଇଛି। କିନ୍ତୁ ଜାତୀୟ ସ୍ତରରେ ମହିଳା ସାକ୍ଷରତା ହାର ୮୦.୩ ପ୍ରତିଶତ ରହିଛି। ତେଣୁ ଜାତୀୟ ସ୍ତର ତୁଳନାରେ ଓଡ଼ିଶା ଏ କ୍ଷେତ୍ରରେ ପଛରେ ରହିଛି। ମହିଳାଙ୍କ ଶିକ୍ଷା ଓ ସାକ୍ଷରତା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିବା ଚିନ୍ତାଜନକ ବିଷୟ ପାଲଟିଛି। ତେଣୁ ଏଥିପାଇଁ ଯୋଜନାବଦ୍ଧଭାବେ ଏବେଠୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।
୫ମ ବୃହତ୍ ସଡ଼କ ନେଟୱର୍କ
ଭାରତ ସରକାରଙ୍କ ସହଯୋଗ ସମେତ ରାଜ୍ୟ ସରକାର ଅଧିକ ଖର୍ଚ୍ଚ କରୁଥିବା କାରଣରୁ ରାଜ୍ୟରେ ସଡ଼କ ନେଟୱର୍କ ବଢ଼ିଛି। ଦେଶରେ ସଡ଼କ ନେଟୱର୍କ କ୍ଷେତ୍ରରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଏହା ସତ୍ତ୍ବେ ରାଜ୍ୟରେ ଅଧିକ ଏବଂ ଉତ୍ତମମାନର ସଡ଼କ ନିର୍ମାଣର ଆବଶ୍ୟକତା ରହିଛି।
୨୯୯୨ କିମି ରେଳପଥ
ରାଜ୍ୟରେ ୨୦୨୨-୨୩ ଶେଷ ସୁଦ୍ଧା ୨୯୯୨ କିଲୋମିଟରର ରେଳପଥ ରହିଥିଲା। ଏଥିରୁ ୨୯୪୦ କିଲୋମିଟର (୯୮.୩ ପ୍ରତିଶତ) ରେଳପଥର ବିଦ୍ୟୁତ୍କରଣ ହୋଇଛି।
ରାଜ୍ୟବାସୀଙ୍କ ହାରାହାରି ଆୟୁ ୭୦.୩ ବର୍ଷ
ରାଜ୍ୟବାସୀଙ୍କ ହାରାହାରି ଆୟୁ ୨୦୦୦-୦୪ ଅବଧିରେ ୬୦.୪ ବର୍ଷ ରହିଥିଲା। ୨୦୧୬-୨୦ ଅବଧିରେ ଏହା ୭୦.୩ ବର୍ଷକୁ ବୃଦ୍ଧି ପାଇଛି। ଅର୍ଥାତ ଉପରୋକ୍ତ ସମୟ ମଧ୍ୟରେ ଓଡ଼ିଶାବାସୀଙ୍କ ହାରାହାରି ଆୟୁ ୯.୯ ବର୍ଷ ବଢ଼ିଛି। ଏହା ସତ୍ତ୍ବେ ଲୋକଙ୍କ ଜୀବନର ମାନ ଓ ହାରାହାରି ଆୟୁରେ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ଦେଶର ପ୍ରମୁଖ ୧୭ଟି ରାଜ୍ୟ ମଧ୍ୟରେ ଓଡ଼ିଶା ହାରାହାରି ଆୟୁ କ୍ଷେତ୍ରରେ ସପ୍ତମ ସ୍ଥାନରେ ରହିଛି।
ଦେଶର ୧୯ଟି ସହରକୁ ବିମାନ ସଂଯୋଗ
ବିମାନସେବା କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି ହାସଲ କରିଛି। ଦେଶର ୧୯ଟି ସହରକୁ ଓଡ଼ିଶାରୁ ସିଧାସଳଖ ବିମାନ ସେବା ସୁବିଧା ରହିଛି। ଏଥିସହିତ ୩ଟି ଅନ୍ତର୍ଜାତୀୟ ସ୍ଥାନ ଯଥା ବ୍ୟାଙ୍କକ, ସିଙ୍ଗାପୁର ଓ ଦୁବାଇକୁ ବିମାନସେବା ରହିଥିବା ରିପୋର୍ଟରେ କୁହାଯାଇଛି। କିନ୍ତୁ ଲୋକସଂଖ୍ୟା ତୁଳନାରେ ବିମାନଯାତ୍ରୀଙ୍କ ସଂଖ୍ୟା ଓଡ଼ିଶାରେ କମ୍ ରହିଛି। ଦେଶରେ ପ୍ରତି ନିୟୁତ ଲୋକରେ ୨୪୦ ହଜାର ଲୋକ ବିମାନଯାତ୍ରା କରୁଥିବାବେଳେ ଓଡ଼ିଶାରେ ଏହା ୮୬ ହଜାର ରହିଛି।
ପିଲାଙ୍କ ନାମଲେଖା ହାର କମ୍
ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ପିଲାଙ୍କ ନାମଲେଖା ଅନୁପାତ ଯଥାକ୍ରମେ ୯୧.୩, ୮୦.୬ ଏବଂ ୪୩.୪ ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶା ଏ କ୍ଷେତ୍ରରେ ପଛରେ ପଡ଼ିଛି।
ମାଧ୍ୟମିକ ଶିକ୍ଷାରେ ପାଠପଢ଼ା ଛାଡ଼ିବା ହାର ସର୍ବାଧିକ
ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ପିଲାଙ୍କ ପାଠପଢ଼ା ଜାରି ରଖିବାରେ ଉନ୍ନତି ଆସିଛି। ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ମାଧ୍ୟମିକ ଶିକ୍ଷାରେ ଅଧାରୁ ପାଠପଢ଼ା ଛାଡ଼ିବା ହାର ଯଦିଓ ୨୨.୨ ପ୍ରତିଶତ ହ୍ରାସ ପାଇଛି ତଥାପି ଏହା ୨୭.୨୯ ପ୍ରତିଶତ ରହିଛି, ଯାହାକି ଦେଶରେ ସର୍ବାଧିକ।
ଏସ୍ସି,ଏସ୍ଟି ପିଲାଙ୍କ ପାଇଁ ୧୭୩୭ ବିଦ୍ୟାଳୟ ଓ ୫୫୦୦ ହଷ୍ଟେଲ
ଓଡ଼ିଶାରେ ବାସ କରୁଥିବା ତଫସିଲଭୁକ୍ତ ଜାତି ଏବଂ ଜନଜାତି ବର୍ଗର ପିଲାଙ୍କ ପାଇଁ ୧୭୩୭ଟି ଆବାସିକ ବିଦ୍ୟାଳୟ ଏବଂ ୫୫୦୦ଟି ହଷ୍ଟେଲ ରହିଛି। ଏହାଦ୍ବାରା ରାଜ୍ୟର ୪.୫ ଲକ୍ଷ ଏସ୍ସି ଓ ଏସ୍ଟି ପିଲା ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨.୭୫ ଲକ୍ଷ ହେଉଛନ୍ତି ଛାତ୍ରୀ।