ଜଟଣୀ: ଓଡ଼ିଶା ତଥା ଭାରତର ଯୁବଶକ୍ତି ମଧ୍ୟରେ ସୃଜନାତ୍ମକ ଚିନ୍ତାଧାରାକୁ ସଫଳ ଉଦ୍ୟୋଗରେ ପରିବର୍ତ୍ତିତ କରିବାରେ ପ୍ରବଳ ଉତ୍ସାହ ରହିଛି। ଓଡ଼ିଶାରେ ଯୁବପିଢ଼ିଙ୍କ ମାଧ୍ୟମରେ ନବସୃଜନରୁ ନବଉଦ୍ୟୋଗ ପ୍ରତିଷ୍ଠା କରିବା ହେଉଛି ଉଦ୍ଦେଶ୍ୟ। ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ। ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ଆଇଆଇଟି ଭୁବନେଶ୍ବରର ଗବେଷଣା ଓ ଉଦ୍ୟମିତା ପାର୍କର ଅଭିଯାନ ‘୧୦୦-କ୍ୟୁବ୍’ ଷ୍ଟାର୍ଟଅପ୍କୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଆ ପିଲାଙ୍କ ମଧ୍ୟରେ ଥିବା ଉଦ୍ୟୋଗୀ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ତଥା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ପଦକ୍ଷେପ ନିଆଯାଇଛି। ଶିକ୍ଷା ମନ୍ତ୍ରାଣାଳୟ ୧୩୦ କୋଟି ଟଙ୍କା ସହାୟତାରେ ଏହି ପାର୍କକୁ ଆସନ୍ତା ୨ବର୍ଷ ମଧ୍ୟରେ ୨୦ ହଜାର ବର୍ଗଫୁଟରୁ ୮୦ ହଜାର ବର୍ଗଫୁଟ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ଦେଶରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ପୁରୀ ଅଞ୍ଚଳର ପିଲାମାନେ ନଡ଼ିଆ ଖୋଳପାରୁ ପେଟ୍ରୋକେମିକାଲ ବିକଳ୍ପ ଉତ୍ପାଦ ବାହାର କରୁଛନ୍ତି। ଏହା ହିଁ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଆଇଆଇଟି ଭୁବନେଶ୍ବରର ୧୫୦୦ ସିଟ୍ ବିଶିଷ୍ଟ ପ୍ରେକ୍ଷାଳୟକୁ ଉଦ୍ଘାଟନ କରିଥିବା ବେଳେ ୪୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୨୦ଟି ଶିଳ୍ପ ସଂସ୍ଥା, ୩୦ ଷ୍ଟାର୍ଟଅପ୍ ଓ ୩୦ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
ଏହି ଅବସରରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟିର ବୋର୍ଡ ଅଫ୍ ଗଭର୍ନର୍ସର ଅଧକ୍ଷ ଆର୍ ପି ସିଂହ, ଟାଟା ଷ୍ଟିଲ୍ର ଏମ୍ଡି ଟି ଭି ନରେନ୍ଦ୍ରନ, ଜେନେରାଲ ଅଟୋମିକ୍ସ କର୍ପୋରେସନର ସିଇଓ ବିବେକ ଲାଲ, ଏନ୍ଏସ୍ଇର ପରିଚାଳନା ନିର୍ଦ୍ଦେଶକ ଆଶିଷ କୁମାର ଚୌହାନ, ଫିନ୍ଲ୍ୟାଣ୍ଡ୍ର ଡେପୁଟି ହେଡ୍ମିସନ୍ ଟିଟୋ ଗ୍ରୋନୋଓ, ନିତି ଆୟୋଗର ମିସନ୍ ନିର୍ଦ୍ଦେଶକ ଚିନ୍ତନ ବୈଷ୍ଣବ, ଓବେନ୍ ଇଲେକ୍ଟ୍ରିକାଲର ସିଇଓ ମଧୁମିତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଆମେରିକା, ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ, ଫିନ୍ଲ୍ୟାଣ୍ଡ, କେନିଆ, ଓମାନ ସମେତ ବିଭିନ୍ନ ଦେଶର ପ୍ରତିନିଧି, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଆଇଆଇଟି ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କର ସିଇଓ ଶୁଭଙ୍କର ପତି ଧନ୍ୟବାଦ ଦେଇଥିଲେ।