୧୦୦ କୋଟିର କାରବାର ପ୍ରଭାବିତ, ଦୁଇ ମାସରେ ୧୦ କୋଟି ଟଙ୍କା କ୍ଷତି

ମାଲଗୋଦାମ, ଛତ୍ରବଜାରକୁ କରୋନା କାଳ

କଟକ: କରୋନା ମାଡ଼ରେ ଗୁରୁତର ଭା‌ବେ ପ୍ରଭାବିତ ହୋଇଛି କଟକର ବ୍ୟାବସାୟିକ ପେଣ୍ଠସ୍ଥଳ ମାଲଗୋଦାମ ଓ ଛତ୍ରବଜାର। ଦର ଯେଭଳି ହ୍ରାସ ପାଉଛି ଆଉ ଚାହିଦା କମିବାରେ ଲାଗିଛି, ସେଥିରେ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିବାବେଳେ ଚାହିଦା ବଢୁ ନଥିବାରୁ ବିଭିନ୍ନ ସାମଗ୍ରୀର ଦର ହ୍ରାସ ପାଇଛି। ଡାଲି, ତେଲ ଭଳି ସାମଗ୍ରୀରେ କ‌ିଲୋ ପିଛା ଦର ୪ରୁ ୫ ଟଙ୍କା ହ୍ରାସ ପାଇଛି। ଛତ୍ରବଜାରର ସ୍ଥିତି ବି ଅନୁରୂପ। ପିଆଜର ପାଇକାରୀ ମୂଲ୍ୟରେ କେଜି ପିଛା ୫ ଟଙ୍କା, ପୋଟଳ ଓ କଖାରୁ ୧୦ ଟଙ୍କା ଲେଖାଏ ହ୍ରାସ ପାଇଲାଣି। ଏଭଳି ମୂଲ୍ୟ ହ୍ରାସ ଯୋଗୁ ମାଲଗୋଦାମ ବ୍ୟବସାୟୀ ଦୁଇ ମାସ ଭିତରେ ପାଖାପାଖି ୧୦ କୋଟି ଟଙ୍କାର କ୍ଷତି ସହିଲେଣି। ମାଲଗୋଦାମରେ ଦୈନିକ ୪୫ କୋଟି ଟଙ୍କାର କାରବାର ହେଉଥିବାବେଳେ ଏବେ ବ୍ୟବସାୟ ୧୫ କୋଟି ଟଙ୍କାକୁ ଖସିଆସିଲାଣି। କେବଳ ମାଲଗୋଦାମରେ ବ୍ୟବସାୟ ପାଖାପାଖି ୧୦୦ କୋଟି ଟଙ୍କାର ପ୍ରଭାବିତ ହେଇଥିବା ଆକଳନ କରାଯାଉଛି। ତେବେ ବଜାରରେ ଏଭଳି ମାନ୍ଦାବସ୍ଥା ଲାଗି ରହିଲେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆହୁରି ହ୍ରାସ ପାଇବା ସହିତ ମାଲଗୋଦାମ ଓ ଛତ୍ରବଜାର ବ୍ୟବସାୟୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଲକଡାଉନ ମାର୍ଚ୍ଚ ‌େଶଷ ସପ୍ତାହରୁ ହେବା ପରଠାରୁ ଖାଦ୍ୟ ସାମଗ୍ରୀର କଳାବଜାର ରୋକିବା ପାଇଁ ମାଲଗୋଦାମରେ ପର୍ଯ୍ୟାପ୍ତ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବ୍ୟବସାୟୀ ବି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଚୁର ପରିମାଣରେ ଆମଦାନୀ କରି ଗଚ୍ଛିତ କଲେ। ଏବେ କିନ୍ତୁ ଯେତେ ପରିମାଣରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରହିଛି, ସେହି ଅନୁପାତରେ ବ୍ୟବସାୟ ହେଉନାହିଁ। ମାଲଗୋଦାମରେ ସାଧାରଣ ଦିନ ଗୁଡ଼ିକରେ ଦୈନିକ ୪୫ କୋଟି ଟଙ୍କାର କାରବାର ହେଉଥିଲା। ମାର୍ଚ୍ଚ ୨୨ରୁ ୨୯ ତାରିଖ ମଧ୍ୟରେ କାରବାର ୪୫ରୁ ଖସି ଦୈନିକ ୩୫ କୋଟି ଟଙ୍କାରେ ପହଞ୍ଚିଥିଲା। ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ କାରବାର ଅଧା ହ୍ରାସ ପାଇଯାଇଛି। ଦୈନିକ ହାରାହିର ୧୫ କୋଟି ଟଙ୍କାର ବ୍ୟବସାୟ ହେଉଛି। ଅନ୍ୟପଟେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନରେ ଖୁଚୁରା ବ୍ୟବସାୟ ସକାଳ ୭ଟାରୁ ଦିନ ୨ଟା ଏବଂ ହୋଲସେଲିଂ ଦିନ ୧୨ଟାରୁ ରାତିରେ ଗ୍ରାହକ ଆସିବା ଯାଏ କାରବାର ହେଉଥିଲା। କିନ୍ତୁ ତୃତୀୟ ପର୍ଯ୍ୟାୟରେ ଖୁଚୁରା ଦୋକାନ ଦିନ ୧୨ଟା ଯାଏ ସୀମିତ ରଖାଯିବା ସହିତ ହୋଲସେଲିଂ ସନ୍ଧ୍ୟା ୬ଟା ଯାଏ ଚାଲିବାକୁ ନିର୍ଦ୍ଦେଶ ଦିଆଗଲା। ଏଭଳି ସ୍ଥିତିରେ ବ୍ୟବସାୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ବ୍ୟବସାୟିକ କାରବାରର ସମୟ କମୁଥିବାରୁ ବିକ୍ରି ବି ପ୍ରଭାବିତ ହେଉଛି।

ଖୁଚୁରା ଦୋକାନ ଦିନ ୨ଟା ଯାଏ ଖୋଲିବା ସହିତ ହୋଲସେଲିଂ ଗୋଦାମର ମାଲ୍ ଅନଲୋଡିଂ ପାଇଁ ୬ଟା ପରେ ଅଧିକ ଦୁଇ ଘଣ୍ଟା ସମୟ ଦେବାକୁ ଚାମ୍ବର ଅଫ୍ କମର୍ସ ଦାବି କରିଛି। ଗୋଦାମରେ ମାଲ୍ ଅନଲୋଡିଂ ସାଧାରଣ ଦିନଗୁଡ଼ିକରେ ବ୍ୟବସାୟ ସରିଲେ ରାତି ୮ଟା ପରେ ଅନଲୋଡିଂ କରାଯାଏ। ଏବେ ଲକଡାଉନ୍ ପାଇଁ ଅପରାହ୍ନ ୪ଟାରେ ଆରମ୍ଭ ହେଉଛି। କିନ୍ତୁ ୫ଟା ବେଳୁ ପୁଲିସର ଚଢ଼ଉ ହେଉଥିବାରୁ ୬ଟା ପୂର୍ବରୁ ଅନଲୋଡିଂ ବନ୍ଦ କରିବାକୁ ପଡ଼ୁଛି। ଗୋଟିଏ ଗୋଟିଏ ଗାଡ଼ିରେ ୨୫ ଟନ୍ ମାଲ୍ ଅନଲୋଡିଂ ପାଇଁ ପାଖାପାଖି ତିନି ଘଣ୍ଟା ଲାଗୁଥିବାବେଳେ ଏବେ ତିନି ଦିନ ଲାଗି ଯାଉଛି। ଗାଡ଼ି ଦୁଇ ଦିନ ଅନଲୋଡିଂ ପାଇଁ ଅଟକ ରହିବା ଦ୍ବାରା ଭଡ଼ା ବି ବଢ଼ିଯାଉଛି। ପାଖାପାଖି ଗାଡ଼ି ପିଛା ଦୈନିକ ୫ ହଜାରରୁ ଅଧିକ ଟଙ୍କା ଡ୍ରାଇଭର ନେଉଛନ୍ତି। ଏଭଳି ହେବା ଦ୍ବାରା ଏହାର ସିଧା ସଳଖ ପ୍ରଭାବ ଖାଦ୍ୟ ସାମଗ୍ରୀ ଉପରେ ଆଗାମୀ ଦିନରେ ପଡ଼ିବା ନେଇ ମାଲଗୋଦାମ ଚାମ୍ବର ଅଫ୍ କମର୍ସ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ଆଶଙ୍କା କରିଛନ୍ତି।ଏବେ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଘଟିଥିବାବେଳେ ଏଭଳି ଗାଡ଼ି ଅଟକି ରହିଲେ ଭଡ଼ା ବଢ଼ିବା ଦ୍ବାରା ଖାଦ୍ୟ ସାମଗ୍ରୀର ମୂଲ୍ୟ ବି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ତେଣୁ ମାଲଗୋଦାମର ହୋଲସେଲିଂ କାରବାର ପ୍ରଶାସନର ନିର୍ଦ୍ଦେଶ ମୁତାବକ ସନ୍ଧ୍ୟା ୬ଟା ବେଳେ ବନ୍ଦ କରିବାକୁ ପ୍ରସ୍ତୁତ ଥିବାବେଳେ ମାଲ ଅନଲୋଡିଂ ପାଇଁ ଅଧିକ ଦୁଇ ଘଣ୍ଟା ସମୟ ଦେବାକୁ ଶ୍ରୀ ଛାଟୋଇ ଦାବି କରିଛନ୍ତି।

ଅନ୍ୟପଟେ ଶ୍ରମିକ ସମସ୍ୟା ବି ମୁଣ୍ଡବ୍ୟଥାର କାରଣ ହୋଇଛି। ପୂର୍ବରୁ ଦୈନିକ ପାଖାପାଖି ୧ ହଜାରରୁ ଅଧିକ ଶ୍ରମିକ ଆସୁଥିବାବେଳେ ଏବେ ସଂଖ୍ୟା ୫ଶହକୁ ଖସିଲାଣି। ଏବେ ସରକାରୀ ସହାୟତା ଗ୍ରାମାଞ୍ଚଳରେ ମିଳିଯାଉଥିବାରୁ ସାମଗ୍ରୀର ଚାହିଦା ହ୍ରାସ ପାଇଥିବା କୁହାଯାଉଛି। ମାଲଗୋଦାମ ଚାମ୍ବର ଅଫ୍ କମର୍ସ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ଯେ, ଯେଉଁ ବ୍ୟବସାୟୀମାନେ ଋଣ କରିଛନ୍ତି ଏଭଳି କ୍ଷତି ସହୁଥିବାରୁ ସେମାନଙ୍କ ୩ ମାସର ସୁଧ ଛାଡ଼ କରାଯାଉ। ଏଭଳି ହେଲେ ଅନେକ ବ୍ୟବସାୟୀ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର