ଟେଲିକମ୍‌ରେ ୧୦୦% ବିଦେଶୀ ନିବେଶ ଅନୁମତି: ଶୁଳ୍କ ଉପରୁ ଜରିମାନା ଉଚ୍ଛେଦ

୪ ବର୍ଷର ମୋରାଟୋରିଅମ୍ ସୁବିଧା, ପ୍ରିପେଡ୍‌କୁ ପୋଷ୍ଟପେଡ୍‌ କରିବା ଲାଗି କେୱାଇସି ଦରକାର ପଡ଼ିବନି

ନୂଆଦିଲ୍ଲୀ: ଟେଲିକମ୍ ଶିଳ୍ପ ସାମ୍ନା କରୁଥିବା ସମସ୍ୟା ଦୂର କରିବା ଲାଗି ‌ଆଜି କେନ୍ଦ୍ର ସରକାର ଅତ୍ୟନ୍ତ ଜରୁରୀ ଥିବା ସଂସ୍କାର ପ୍ୟ‌ାକେଜ୍ ଘୋଷଣା କରିଛନ୍ତି। ଏହି ଶିଳ୍ପ ଯାହା ଚାହୁଥିଲା ତାହାକୁ ଏହି ପ୍ୟାକେଜ୍‌ରେ ସାମିଲ କରାଯାଇଛି। ପୁଞ୍ଜି ସମସ୍ୟାର ସମାଧାନ କରିବା ଲାଗି ଟେଲିକମ୍‌ ଶିଳ୍ପରେ ୧୦୦% ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପାଇଁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ଏହି ହାର ୪୯% ଥିଲା। ଏହା ଜରିଆରେ ଅଧିକରୁ ଅଧିକ ବିଦେଶୀ ପାଣ୍ଠି ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଜି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ୟାକେଜ୍‌ର ରୂପରେଖ ଘୋଷଣା କରିଛନ୍ତି।

ଦେଶ ଭିତରେ ଟେଲିକମ୍ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ଆର୍ଥିକ ଚିନ୍ତା ଦୂର କରିବା ଲାଗି ଆଡଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ସଂଜ୍ଞା‌କୁ ପରିବର୍ତ୍ତନ କରାଯାଇଛି। ଏହି ହିସାବରୁ ଅଣ-ଟେଲିକମ୍ ରାଜସ୍ବଗୁଡ଼ିକୁ ବାଦ ଦିଆଯାଇଛି। କଂପାନିଗୁଡ଼ିକ କେବଳ ଟେଲିକମ୍ ସେବାରୁ ପାଉଥିବା ରାଜସ୍ବ ଉପରେ ଏଜିଆର୍ ଶୁଳ୍ପ ପ୍ରଦାନ କରିବେ। ଏହା କଂପାନିଗୁଡ଼ିକ ଲାଗି ଏକ ବଡ଼ ଆଶ୍ବସ୍ତି ଆଣିଛି। ଏଜିଆର୍‌ ସଂଜ୍ଞା ବଦଳାଇବାକୁ କଂପାନିଗୁଡ଼ିକ ବହୁ ଦିନ ଧରି ଦାବି କରୁଥିଲେ। ଟେଲିକମ୍ କଂପାନିଗୁଡ଼ିକ ଉପରେ ଯେଉଁ ବୈଧାନିକ ଶୁଳ୍କଗୁଡ଼ିକ ଲାଗୁ କରାଯାଇଛି ତାହା ପଇଠ କରିବା ଲାଗି ଚାରି ବର୍ଷର ମୋରାଟୋରିଅମ୍ ସୁବିଧା ଦିଆଯାଇଛି। ଏହା ଦ୍ବାରା କଂପାନିଗୁଡ଼ିକ ପାଖରେ ନଗଦ ରାଶି ପରିମାଣ ବୃଦ୍ଧି ପାଇବ ଯାହାକୁ ସେମାନେ ଅନ୍ୟ ବିକାଶମୂଳକ କାର୍ଯ୍ୟରେ ଲଗାଇପାରିବେ। ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କକୁ ମଧ୍ୟ କୋହଳ କରାଯାଇଛି। କଂପାନିଗୁଡ଼ିକୁ ଆଉ ପ୍ରତି ମାସରେ ଏହି ଶୁଳ୍କ ଗଣିବାକୁ ପଡ଼ିବନି। ସେମାନେ ବାର୍ଷିକ ଭିତ୍ତିରେ ଏହି ଶୁଳ୍କ ଦେବେ। ଲାଇସେନ୍ସ ଫି’, ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ ଏବଂ ଅନ୍ୟ ଯେଉଁ ସବୁ ପ୍ରକାର ଶୁଳ୍କ ରହିଛି ତାହା ଉପରୁ ଜରିମାନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଗ୍ରାହକଙ୍କ ପ୍ରିପେଡ୍‌ ନମ୍ବରକୁ ପୋଷ୍ଟ୍‌ପେଡ୍‌ କରିବା ଲାଗି ଯେଉଁ କେୱାଇସି ବ୍ୟବସ୍ଥା ଥିଲା ତାହାକୁ ଉଚ୍ଛେଦ କରାଯାଇଛି। ଇ-କେୱାଇସି ଦରକୁ ୧ ଟଙ୍କାକୁ ହ୍ରାସ କରାଯାଇଛି। ନୂଆ ଗ୍ରାହକଙ୍କ ପାଇଁ ଥିବା କାଗଜ ଫର୍ମ ଉଚ୍ଛେଦ। ଡିଜିଟାଲ୍‌ ଫର୍ମରେ ଆବେଦନ ସୁବିଧା ମିଳିବ।

ସ୍ପେକ୍ଟ୍ରମ୍ ନିଲାମ ଲାଗି ସରକାରଙ୍କ ଏକ କ୍ୟାଲେଣ୍ଡର ରହିବ। ବିଶେଷ କରି ଆର୍ଥିକ ବର୍ଷର ଶେଷ ତିନି ମାସରେ ସ୍ପେକ୍ଟ୍ରମ ନିଲାମ କରାଯିବ। ଫଳରେ କଂପାନିଗୁଡ଼ିକ ସେହି ସମୟ ଲାଗି ଆଗୁଆ ପ୍ରସ୍ତୁତ ରହିପାରିବେ। ଅନ୍ୟ ସଂସ୍ଥା ସହ ସ୍ପେକ୍ଟ୍ରମ୍ ଭାଗବଣ୍ଟା ଲାଗି ମଧ୍ୟ ସରକାର ଅନୁମତି ଦେଇଛନ୍ତି। ‌ଯେଉଁ ଠାରେ ଲାଭଦାୟକ ହେବ ସେଠାରେ କଂପାନିଗୁଡ଼ିକ ପରସ୍ପର ସହ ସ୍ପେକ୍ଟ୍ରମ୍ ବିନିୟମ କରିପାରିବେ। ଲାଇସେନ୍ସ ରାଜ ବ୍ୟବସ୍ଥା ଉଚ୍ଛେଦ ହୋଇଛି। ଏହା ଦ୍ବାରା କଂପାନିଗୁଡ଼ିକ ସହଜରେ ଉପକରଣ ଆମଦାନି କରିପାରିବେ। ଏଥିପାଇଁ ୧୯୫୩ର କଷ୍ଟମ୍ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି। କଂପାନିଗୁଡ଼ିକୁ ବିଭିନ୍ନ କ୍ଷେତ୍ର ଲାଗି ଏକାଧିକ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡ଼ିବନି। ବିଭିନ୍ନ ସୁଧ ହାରକୁ କୋହଳ କରାଯାଇଛି। ଭବିଷ୍ୟତ ନିଲାମରେ ସ୍ପେକ୍ଟ୍ରମ୍ ଅବଧିକୁ ୨୦ ବର୍ଷରୁ ବଢ଼ାଇ ୩୦ ବର୍ଷ କରାଯିବ। ୧୦ ବର୍ଷ ପରେ କଂପାନି ସ୍ପେକ୍ଟ୍ରମ୍ ଫେରାଇ ପାରିବେ। ସରକାର ଘୋଷଣା କରିଥିବା ସଂସ୍କାର ପ୍ୟାକେଜ୍ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଲାଗି ଏକ ବଡ଼ ଆଶ୍ବସ୍ତି ଭଳି ହୋଇଛି। ଏହା ବ୍ୟତୀତ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଭଳି ସଂସ୍ଥା ମଧ୍ୟ ଏହା ଦ୍ବାରା ଉପକୃତ ହେବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଓ ଏୟାରଟେଲ୍‌ର ମୁଖ୍ୟ ସୁନିଲ ମିତ୍ତଲ ସରକାରଙ୍କ ଘୋଷଣାକୁ ସ୍ବାଗତ କରିଛନ୍ତି।

 

ସମ୍ବନ୍ଧିତ ଖବର