ଭୁବନେଶ୍ବର: ଓଡ଼ିଶାରେ ମୋବାଇଲ୍‌ ଗେମିଂର ଗ୍ରହଣୀୟତା ଦୃତ ଗତିରେ ବଢ଼ୁଛି। ଏକ ତଥ୍ୟ ଅନୁସାରେ ୨୦୨୩ ଓ ୨୦୨୪ରେ ଗେମିଂ ପାଇଁ ଉପଭୋକ୍ତା ପଞ୍ଜୀକରଣରେ ବାର୍ଷିକ ୧୮ ପ୍ରତିଶତ ବୃଦ୍ଧି ଘଟିଥିଲା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ସେଥିରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟରେ ଗେମିଂ କ୍ଷେତ୍ରରେ ସକ୍ରିୟ ଥିବା ୭୮ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୪୨ ବର୍ଷ ମଧ୍ୟରେ ରହିଛି। ସେହିପରି ଏଭଳି ୧୬ ପ୍ରତିଶତ ଉପଭୋକ୍ତା ରହିଛନ୍ତି ଯେଉଁମାନଙ୍କ ବୟସ ୪୮ ବର୍ଷରୁ ଅଧିକ ରହିଛି। ଏଥିରୁ ଏହା ବୁଝାପଡ଼ୁଛି ଯେ ଗେମିଂର ଗ୍ରହଣୀୟତା ବିଭିନ୍ନ ବୟସ ବର୍ଗରେ ଭିନ୍ନ ଭିନ୍ନ ଥିବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ତାହା ଅଧିକ ଗ୍ରହଣୀୟ ହୋଇପାରିଛି।

Advertisment

ଏ ସମ୍ପର୍କରେ ଗେମ୍‌ସକ୍ରାଫ୍ଟର ଷ୍ଟ୍ରାଟେଜିକ୍ ଇନିସିଏଟିଭ୍ ବିଭାଗର ମୁଖ୍ୟ ସୁମନ୍ତ ସେନଗୁପ୍ତା କହିଛନ୍ତି ଯେ ଗେମିଂକୁ ନେଇ ଓଡ଼ିଶାରେ ଭୁବନେଶ୍ବର ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ବେଶ୍ ଉତ୍ସାହ ରହିଛି। ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଉପଲବ୍ଧତା ବଢ଼ିବା ସହ ଗେମିଂ ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ସେ କହିଛନ୍ତି ଯେ ଗେମିଂ ହେଉଛି ମନୋରଞ୍ଜନର ଏକ ମାଧ୍ୟମ। ଏହାକୁ ଆୟର ଏକ ଉତ୍ସ ନୁହେଁ। ତେଣୁ ଅର୍ଥ ଲଗାଇ ଯେଉଁମ‌ାନେ ଗେମ୍ ଖେଳୁଛନ୍ତି ତାହାକୁ କେବଳ ମନୋରଞ୍ଜନ ଭିତରେ ସୀମିତ ରଖିବା ଉଚିତ୍‌ ବୋଲି ସେ କହିଛନ୍ତି। ରାଜ୍ୟରେ ରୁମିକଲ୍‌ଚର୍‌ର ଚାହିଦା ବଢ଼ୁଥିବା ନେଇ ସେ ସୂଚନା ଦେଇଛନ୍ତି।