ନୂଆଦିଲ୍ଲୀ: ନିକେଲ, ଲିଥିଅମ୍, କୋବାଲଟ ଓ ପ୍ଲାଟିନମ୍ ଭଳି ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଆବଶ୍ୟକତା ପୂରଣ କରିବା ଲାଗି ଆସନ୍ତା ଚାରି ମାସରେ ସେଭଳି ଖଣିଜ ଥିବା ୧୦୦ ଖଣି ନିଲାମ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ବାଜ କହିଛନ୍ତି ଯେ ନିଲାମ ହେବାକୁ ଥିବା ଖଣିଗୁଡ଼ିକୁ ଚିହ୍ନଟ କରାଯାଇଛି। ଡିସେମ୍ବର ସୁଦ୍ଧା ବିଡ୍ ଆହ୍ବାନ କରାଯିବ ଏବଂ ପରବର୍ତ୍ତୀ ତିନି ମାସରେ ସେଗୁଡ଼ିକୁ ନିଲାମ କରାଯିବ। ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ଆଗରେ ରହିବାକୁ ଅଭିଳାଷ ରଖିଥିବା ଭାରତ ପାଇଁ ଲିଥିଅମ୍, କୋବାଲଟ ଓ ନିକେଲ ସୁରକ୍ଷା ହାସଲ କରିବା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। କାରଣ ଆମଦାନି ଜରିଆରେ ନିଜର ଆବଶ୍ୟକତା ପୂରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ସେଥିପାଇଁ ଦେଶ ଭିତରେ ଏହି ଖଣିଜଗୁଡ଼ିକୁ ଉତ୍ତୋଳନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ନିଲାମ ପ୍ରକ୍ରିୟାରେ ସ୍ଥାନୀୟ ଓ ବିଦେଶୀ ସଂସ୍ଥା ଆକୃଷ୍ଟ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ସେମାନଙ୍କୁ ଖୁସି କରିବା ଲାଗି ଅଧା ଉତ୍ତୋଳନ ଖର୍ଚ୍ଚକୁ ପ୍ରୋତ୍ସାହନ ଭାବେ ଦେବାକୁ ସରକାର ଚାହୁଛନ୍ତି। ଖଣି ନିଲାମ ହେବା ପରେ ସେଗୁଡ଼ିକ କାର୍ଯ୍ୟକ୍ଷମ ହେବା ପାଇଁ ଅତିକମ୍ରେ ତିନି ବର୍ଷ ସମୟ ଲାଗିବ।
ଗୁରୁତ୍ବପୂର୍ଣ୍ଣ ଖଣିଜ ଉତ୍ତୋଳନ ବଢ଼ାଇବା ଲାଗି ଗତ ମାସରେ ଖଣି ନିୟମରେ ସଂଶୋଧନ କରାଯାଇ ସେଗୁଡ଼ିକୁ ଘରୋଇ ସଂସ୍ଥାକୁ ଦେବା ଲାଗି ପଥ ପ୍ରଶସ୍ତ କରାଯାଇଥିଲା। ନିକଟରେ ଜମ୍ମୁ ଓ କାଶ୍ମୀର ଏବଂ କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଲିଥିଅମ୍ ଖଣି ନିଲାମ ପାଇଁ ନିୟମରେ ସଂଶୋଧନ ଜରୁରୀ ଥିଲା। କୋଲ ଇଣ୍ଡିଆ, ଏନ୍ଟିପିସି ଭଳି କେତେକ ରାଷ୍ଟ୍ରାୟତ୍ତ ସଂସ୍ଥା ନିଲାମ ପ୍ରକ୍ରିୟାରେ ଭାଗ ନେବା ଉପରେ ବିଚାର କରୁଛନ୍ତି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରୁ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ କିଣିବା ଲାଗି ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ ନାମରେ ଏକ ସ୍ବତନ୍ତ୍ର ସଂସ୍ଥା ମଧ୍ୟ ଗଠନ କରାଯାଇଛି।