ଭୁବନେଶ୍ବର: ସରକାରୀ ପ୍ରତିଭୂତି‌ରେ ନିଜର ୧୦୦ ପ୍ରତିଶତ ପେନ୍‌ସନ୍ ପାଣ୍ଠି ନିବେଶ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ ସ୍ବୟଂଶାସିତ ସଂସ୍ଥା ଓ ରାଜ୍ୟ ଉଦ୍ୟୋଗଗୁଡ଼ିକର କର୍ମଚାରୀମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଜାତୀୟ ପେନ୍‌ସନ୍‌ ସ୍କିମ୍ (ଏନ୍‌ପିଏସ୍‌)ର ଟାୟାର-୧ ଅଧୀନରେ ଥିବା ବିକଳ୍ପ ଅନୁସାରେ ଯେଉଁ କର୍ମଚାରୀମ‌ାନେ କମ୍ ରିସ୍କ ସହ ରିଟର୍ଣ୍ଣ ପାଇବାକୁ ଚାହୁଛନ୍ତି ସେମାନେ ନିଜ ୧୦୦ ପ୍ରତିଶତ ପାଣ୍ଠିକୁ ସରକାରୀ ପ୍ରତିଭୂତିରେ ନିବେଶ କରିପାରିବେ। ସଦସ୍ୟମାନଙ୍କୁ ପେନ୍‌ସନ୍‌ ଫଣ୍ଡ୍‌ ମ୍ୟାନେଜର ଚୟନ କରିବାର ସ୍ବାଧୀନତା ଦିଆଯାଇଛି। 

Advertisment

ସେମାନେ ଘରୋଇ କ୍ଷେତ୍ରରୁ ମଧ୍ୟ ଚୟନ କରିପାରିବେ। ବର୍ଷକୁ ଥରେ ସେମାନେ ଫଣ୍ଡ୍‌ ମ୍ୟାନେଜର ବଦଳାଇପାରିବେ। ଅଧିକ ରିସ୍କ ନେବାକୁ ଚାହୁଥିବା କର୍ମଚାରୀମାନଙ୍କ ଲାଗି ଦୁଇ ପ୍ରକାର ନିବେଶ ସ୍କିମ୍ ରହିଛି। ଗୋଟିଏ ହେଉଛି ରକ୍ଷଣଶୀଳ ଜୀବନଚକ୍ର ଫଣ୍ଡ୍‌, ଯେଉଁଥିରେ ସର୍ବାଧିକ ୨୫ ପ୍ରତିଶତ ରାଶି ଇକ୍ବିଟିରେ ନିବେଶ କରାଯାଇପାରିବ। ସେହିପରି ମଧ୍ୟମ ଜୀବନ ଚକ୍ର ଫଣ୍ଡରେ ସର୍ବାଧିକ ୫୦ ପ୍ରତିଶତ ରାଶି ଇକ୍ବିଟିରେ ନିବେଶ ହୋଇପାରିବ। ଯୋଗ୍ୟ କର୍ମଚାରୀମାନେ ସେମାନଙ୍କ ନିବେଶ ଢାଞ୍ଚାକୁ ଗୋଟିଏ ଆର୍ଥିକ ବର୍ଷରେ ଦୁଇ ଥର ବଦଳାଇପାରିବେ।