୧୦୦ ବର୍ଷର ବଡ଼ ଅର୍ଥନୈତିକ ସଙ୍କଟ, ସତର୍କ କରାଇଲେ ଶକ୍ତିକାନ୍ତ ଏନ୍‌ପିଏ ବଢ଼ିପାରେ

ସ୍ବାଭାବିକତା ଫେରିବା ଲକ୍ଷଣ ଦେଖାଦେଲାଣି

ନୂଆଦିଲ୍ଲୀ: ଗତ ୧୦୦ ବର୍ଷ ଭିତରେ ସ୍ବାସ୍ଥ୍ୟ ଏବଂ ଅର୍ଥନୀତି ପାଇଁ ସବୁଠୁ ବଡ଼ ସଂକଟ ଆଣିଛି କୋଭିଡ-୧୯ ମହାମାରୀ। ସାମଗ୍ରୀ ଉତ୍ପାଦନ, ନିଯୁକ୍ତି ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏହା ଗଭୀର ପ୍ରଭାବ ପକାଇଛି। ବିଶ୍ବରେ ପୂର୍ବରୁ ଥିବା ବ୍ୟବସ୍ଥା, ଭାଲ୍ୟୁ ଚେନ୍, ଶ୍ରମ ଏବଂ ପୁଞ୍ଜିର ଆଗମନ ଓ ପ୍ରତ୍ୟାଗମନ ଉପରେ କରୋନାର ଜବରଦସ୍ତ ପ୍ରଭାବ ପଡ଼ିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ କନ୍‌କ୍ଲେଭର ସପ୍ତମ ସଂସ୍କରଣରେ ଉଦବୋଧନ ଦେଇ ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସମ୍ଭବତଃ ଆମର ଆର୍ଥିକ ବ୍ୟବସ୍ଥାର ବଳିଷ୍ଠତା ଏବଂ ସ୍ଥିରତା ପାଇଁ କୋଭିଡ ଏକ ବଡ଼ ପରୀକ୍ଷା ଆଣିଛି।

୨୦୧୯ ଫେବ୍ରୁଆରିରୁ ଦେଶରେ କରୋନା ଭୂତାଣୁର ସଂକ୍ରମଣ ଆରମ୍ଭ ହେବା ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧୩୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ସେହି ସମୟରେ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ପ୍ରତିହତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ଅର୍ଥନୀତି ଉପରେ ମଧ୍ୟ ଏହାର ଅନୁକୂଳ ପ୍ରଭାବ ପଡ଼ିଥାନ୍ତା। କିନ୍ତୁ ଏହା ପରେ ପରେ କରୋନା ମହାମାରୀ ଆସିଗଲା। କରୋନା ଦେଖାଦେବା ଦ୍ବାରା ନାନା ପ୍ରକାର ବିପର୍ଯ୍ୟୟ ଦେଖାଦେଲା। ଲୋକଙ୍କ ଜୀବନ ଓ ଜୀବିକା ବିପଦରେ ପଡ଼ିଲା ବୋଲି କହିଛନ୍ତି ଶ୍ରୀ ଦାସ। ୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ରେପୋ ହାରରେ ୧୧୫ ବେସିସ ପଏଣ୍ଟ ହ୍ରାସ ପାଇଁ ନିଷ୍ପତ୍ତି ନେଇଥିଲା। ତେଣୁ ୨୦୧୯ ଫେବ୍ରୁଆରିରୁ ଆଜି ସୁଦ୍ଧା ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାରରେ ୨୫୦ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି। ତେବେ ଅର୍ଥନୀତିରେ ସ୍ବାଭାବିକତା ଫେରିବା ଲକ୍ଷଣ ଦେଖାଦେଲାଣି। ଦୁଇମାସରୁ ଅଧିକ ସମୟ ଧରି ଜାରି ରହିଥିବା ଲକ୍‌ଡାଉନ୍‌ ‌କୋହଳ ହେବା ପରେ ଏହି ଲକ୍ଷଣ ଦେଖାଦେଇଛି। କିନ୍ତୁ ଅର୍ଥନୀତିର ମଧ୍ୟମ ଅବଧି ବିଶିଷ୍ଟ ଦୃଶ୍ୟପଟ ଅନିଶ୍ଚିତ ରହିଛି। ଯୋଗାଣ ଶୃଙ୍ଖଳ ଓ ଚାହିଦା ଏପର୍ଯ୍ୟନ୍ତ ପୂର୍ବସ୍ଥିତିକୁ ଫେରିନାହିଁ। ସେହିଭଳି କରୋନା ମହାମାରୀର ଗତି କ’ଣ ଏବଂ କେବେ ପର୍ଯ୍ୟନ୍ତ ଏହାର ପ୍ରକୋପ ଜାରି ରହିବ ତାହା ମଧ୍ୟ ଅନିଶ୍ଚିତ। ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ବହୁମୁଖୀ ପଦକ୍ଷେପଗୁଡ଼ିକ ବର୍ତ୍ତମାନ ସୁଦ୍ଧା କାମଦେବା ଆରମ୍ଭ କରିଛି। କିନ୍ତୁ ପରିସ୍ଥିତିରେ ସୁଧାର ପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ ବୋଲି ଶକ୍ତିକାନ୍ତ ଏହି ଅବସରରେ କହିଛନ୍ତି।

ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ୫୮୩ତମ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯୋଗଦେଇ କରୋନା ପରିପ୍ରେକ୍ଷୀରେ ଅର୍ଥନୀତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ବର୍ତ୍ତମାନର ଅର୍ଥନୈତିକ ସ୍ଥିତି ସମେତ କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଆହ୍ବାନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣର ଅର୍ଥନୀତିର ଦୃଶ୍ୟପଟ ଏବଂ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୋର୍ଡକୁ ସୂଚନା ଦେଇଥିଲେ।

ସତର୍କ କରାଇଲେ ଶକ୍ତିକାନ୍ତ ଏନ୍‌ପିଏ ବଢ଼ିପାରେ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ (ଏନ୍‌ପିଏ) ସ୍ଥିତି ଏବେ ଭଲନାହିଁ। କରୋନା ମହାମାରୀ ପୁଣି ଏହି ସ୍ଥିତିକୁ ଅଧିକ ଖରାପ କରିବାର ସମସ୍ତ ଆଶଙ୍କା ରହିଛି ବୋଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ବ୍ୟାଙ୍କଗୁଡ଼ିକୁ ସତର୍କ କରାଇ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶକ୍ତିକାନ୍ତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଲକ୍‌ଡାଉନ୍‌‌ ଯୋଗୁ ଅର୍ଥନୀତିରେ ସଙ୍କୋଚନ ଦେଖାଦେଇଛି। ଏଥିଯୋଗୁ ଗୋଟିଏ ପଟେ ବ୍ୟାଙ୍କର ଏନ୍‌ପିଏ ବୃଦ୍ଧି ପାଇଥିବାବେଳେ ଅନ୍ୟପଟେ ପୁଞ୍ଜି ହ୍ରାସ ଘଟିଛି। ତେଣୁ ବ୍ୟାଙ୍କଗୁଡ଼ିକୁ ପୁଣି ପୁଞ୍ଜି ପ୍ରଦାନ ଯୋଜନାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ ମତ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ୨୦୨୦ ମାର୍ଚ୍ଚ ସୁଦ୍ଧା ୮.୩ ପ୍ରତିଶତ ଥିବାବେଳେ ନିଟ୍ ଏନ୍‌ପିଏ ୨.୯ ପ୍ରତିଶତ ରହିଛି। ୨୦୧୯ ମାର୍ଚ୍ଚରେ ଏହା ଯଥାକ୍ରମେ ୯.୧ ପ୍ରତିଶତ ଓ ୩.୭ ପ୍ରତିଶତ ରହିଥିଲା।

ସମ୍ବନ୍ଧିତ ଖବର