ନୂଆଦିଲ୍ଲୀ: ଠିକ୍‌ରୂପେ ଚିହ୍ନଟ କରା ନ ଯାଇ ‘ପେଟିଏମ୍‌ ପେମେଣ୍ଟ୍‌ସ୍‌ ବ୍ୟାଙ୍କ୍‌’ରେ ଅସଂଖ୍ୟ ଆକାଉଣ୍ଟ୍‌ ଖୋଲାଯାଇଥିବା କଥା ଜାଣିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏହା ଉପରେ କଠୋର କଟକଣା ଲାଗୁ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

Advertisment

ଅସମ୍ପୂର୍ଣ୍ଣ ‘କେୱାଇସି’ ଥିବା ଏହି ଆକାଉଣ୍ଟ୍‌ଦ୍ବାରା ଯେଭଳି କୋଟି କୋଟି ଟଙ୍କା ଦେଣନେଣ ଚାଲିଛି ତାହା ସମ୍ଭାବ୍ୟ ମନିଲଣ୍ଡରିଂ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି।

୧୦୦୦ରୁ ଅଧିକ ଗ୍ରାହକ ସେମାନଙ୍କର ଆକାଉଣ୍ଟଗୁଡ଼ିକୁ ଏକା ପ୍ୟାନ୍‌ ନମ୍ବରରେ ଲିଙ୍କ୍‌ କରିଥିବା କଥା ମଧ୍ୟ ଜଣାପଡ଼ିଛି। ରିଜର୍ଭ ବ୍ୟାଙ୍କ୍‌ ଓ ଅଡିଟର୍‌ମାନେ ଚଳାଇଥିବା ଯାଞ୍ଚ୍‌ ସମୟରେ ଜଣାପଡ଼ିଲା କି, ‘ପେଟିଏମ୍‌’ ଦାଖଲ କରିଥିବା କାଗଜପତ୍ର ତ୍ରୁଟିପୂର୍ଣ୍ଣ।

ସେଥିଲାଗି ରିଜର୍ଭ ବ୍ୟାଙ୍କ୍‌  ‘ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ ଲିମିଟେଡ୍‌’କୁ ଜମା ପାଇଁ ଟଙ୍କା ଗ୍ରହଣ ସମେତ ସମସ୍ତ କାରବାର ବନ୍ଦ ରଖିବାକୁ ନିର୍ଦେଶ ଦେଇଛି। ତେଣୁ, ଫେବ୍ରୁଆରି ୨୯ ପରେ ‌ଗ୍ରାହକମାନେ ‘ପେଟିଏମ୍‌’ଦ୍ବାରା ଗ୍ରାହକମାନେ ମଧ୍ୟ ଦେଣନେଣ କରିପାରିବେ ନାହିଁ।

publive-image Image Courtesy of NDTV

ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା ନିଉଜ୍‌ ଏଜେନ୍‌ସି ‘ରଏଟର୍ସ’କୁ କହିଛନ୍ତି, ଯଦି କିଛି ବେଆଇନ କାରବାର ହୋଇଥିବା ଜଣାପଡ଼େ ପ୍ରବର୍ତ୍ତନ ନିର୍ଦେଶାଳୟ ‘ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ ଲିମିଟେଡ୍‌’ର ତଦନ୍ତ କରିବ।

ରିଜର୍ଭ ବ୍ୟାଙ୍କ୍‌ ନୋଟିସ ଜାରି କରିବା ପରେ ସେୟାର୍‌ ବଜାରରେ ‘ପେଟିଏମ୍‌’ର ଦର ହ୍ରାସ ପାଇଛି। ମାତ୍ର ୨ ଦିନରେ ତା’ର ଅଂଶଧନ ୩୬%ରୁ ଅଧିକ ହ୍ରାସ ପାଇଛି।

କିନ୍ତୁ, ‘ପେଟିଏମ୍‌’ର ସଂସ୍ଥାପକ ବିଜୟଶେଖର ଶର୍ମା ରିଜର୍ଭ ବ୍ୟାଙ୍କ୍ କଟକଣା ଜାରି କରିଥିବା କଥାକୁ ଅସ୍ବୀକାର କରିଛନ୍ତି।