ନୂଆଦିଲ୍ଲୀ: ରୋଗୀଙ୍କ ପାଇଁ ଔଷଧ ଲେଖିବା ବେଳେ ଡୋଲୋ-୬୫୦ ଖାଇବା ପାଇଁ ପରାମର୍ଶ ଦେବାକୁ କମ୍ପାନି ଡାକ୍ତରମାନଙ୍କୁ ବଡ଼ ଧରଣର ପ୍ରଲୋଭନ ଦେଖାଇବା ସହିତ ବିଭିନ୍ନ ପ୍ରକାର ଲାଞ୍ଚ ଦେଇଛି। ଏ ବାବଦରେ କମ୍ପାନି ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଛି। ଡୋଲୋ-୬୫୦ ଔଷଧର ନିର୍ମାତା ଏହି ଉପହାର ଡାକ୍ତରମାନଙ୍କୁ ଦେଇଥିବା ସଂପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଭିଯୋଗ କରିଛି। ଗୁରୁବାର ‌ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ୍‌ ସେଲ୍‌ସ ରିପ୍ରେଜେଣ୍ଟିଟିଭସ୍‌ ଆସୋସିଏସନ ଅଫ୍‌ ଇଣ୍ଡିଆ (ଏଫଏମଏସଆରଏଆଇ) ସୁପ୍ରିମ କୋର୍ଟଙ୍କୁ ଏ ସଂପର୍କରେ ସୂଚନା‌ ଦେଇଛି। ସଂଘ ପକ୍ଷରୁ ଏନେଇ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାୟର ହୋଇଛି। ସଂଘ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସଂଜୟ ପାରିଖ ଅଦାଲତରେ ଦର୍ଶାଇଛନ୍ତି, ଡୋଲୋ-୫୦୦ କ୍ଷମତା ପର୍ଯ୍ୟନ୍ତ ଔଷଧର ବଜାର ମୂଲ୍ୟ ନିୟନ୍ତ୍ରିତ ହେଉଛି। କିନ୍ତୁ ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ଡୋଲୋର ବଜାର ମୂଲ୍ୟ କମ୍ପାନି ନିଜେ ସ୍ଥିର କରୁଛି। ତେଣୁ ଅଧିକ ଲାଭ ପାଇବା ପାଇଁ କମ୍ପାନି ଡାକ୍ତରମାନଙ୍କୁ ପ୍ରଲୋଭିତ କରି ଡୋଲୋ ୬୫୦ ଲେଖିବା ପାଇଁ ବିପୁଳ ପରିମାଣର ମାଗଣା ଉପହାର ପ୍ରଦାନ କରିଛି।

Advertisment

ଏହି ମାମଲାର ଶୁଣାଣି ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏଏସ ବୋପାନ୍ନା କରୁଛନ୍ତି। ଖଣ୍ଡପୀଠ ଉକ୍ତ ପ୍ରସଙ୍ଗର ଗମ୍ଭୀରତାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ମୋତେ କୋଭିଡ-୧୯ ହୋଇଥିବା ସମୟରେ ମୁଁ ମଧ୍ୟ ଏହି ଔଷଧ ଖାଇଛି। ଔଷଧ ବିପଣନ ନେଇ ଏକକ କୋଡ୍‌କୁ ଆଇନଗତ କରିବା ପାଇଁ ଶ୍ରୀ ପାରିଖ ଯୁକ୍ତି ବାଢ଼ିଛନ୍ତି। ଉକ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ଏଥିରେ ସ୍ବଚ୍ଛତା, ଉତ୍ତରଦାୟିତ୍ବ ଏବଂ ଉଲ୍ଲଂଘନ କ୍ଷେତ୍ରରେ ପରିଣାମ ଭୋଗିବା ବ୍ୟବସ୍ଥା ରଖିବା ପାଇଁ ସେ କହିଛନ୍ତି। ଶ୍ରୀ ପାରିଖ ଏହା ମଧ୍ୟ କହିଛନ୍ତି ଯେ ଏ ନେଇ ପୂର୍ବରୁ କୋଡ୍‌ ରହିଛି। ତେଣୁ ଏହା ସ୍ବେଚ୍ଛାଧୀନ କିମ୍ବା ବାଧ୍ୟତାମୂଳକ ତାହା ହିଁ ପ୍ରସଙ୍ଗ ବୋଲି ସେ ଦର୍ଶାଇଛନ୍ତି। ଏହାପରେ ବିଚାରପତି ଚନ୍ଦ୍ରଚୂଡ଼ ଟିପ୍ପଣୀ ଦେଇଥିଲେ ଆଇନ ପ୍ରଣୟନ ପାଇଁ ଆମେ ସଂସଦକୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଅଭିଯୋଗ ଉପରେ ଉତ୍ତର ରଖିବା ପାଇଁ ୧୦ ଦିନ ସମୟ ଦେଇଛନ୍ତି।