ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୦୦୦ ଟଙ୍କା ପେନ୍‌ସନ୍‌

ନୂଆଦିଲ୍ଲୀ: କୋଠା ଓ ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍କିମ୍‌ ପ୍ରସ୍ତୁତ କରାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ମନ୍ତ୍ରଣାଳୟ ଏହି ସ୍କିମ୍‌ର ରୂପରେଖ ପ୍ରସ୍ତୁତ କରୁଛି। ନିର୍ମାଣ ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ହୋଇଯିବା ପରେ ମାସିକ ୧୦୦୦ ଟଙ୍କାର ପେନ୍‌ସନ୍‌ ପ୍ରଦାନ କରିବା, ମାଗଣା ବୀମା ସୁବିଧା, ସେମାନଙ୍କ ପିଲାମାନଙ୍କୁ ସ୍କଲାରସିପ୍‌ ପ୍ରଦାନ କରିବା ଓ ମେଡିକାଲ୍‌ ଖର୍ଚ ଫେରସ୍ତ କରିବା ଭଳି ସୁବିଧା ପ୍ରଦାନ କରିବା ପାଇଁ ଏହି ସ୍କିମ୍‌ରେ ବ୍ୟବସ୍ଥା କରାଯାଇଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍କିମ୍‌ର ଚିଠାକୁ ନିଜ େଓ୍ଵବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି ଓ ଏହା ଉପରେ ସର୍ବସାଧାରଣଙ୍କ ମତାମତ ଲୋଡାଯାଇଛି। କୋଠା ଓ ନିର୍ମାଣ ଶ୍ରମିକ (ବିଓସି)ଙ୍କ ପାଇଁ ଏକ କଲ୍ୟାଣମୂଳକ ଯୋଜନାର ନମୁନା ପ୍ରସ୍ତୁତ କରିବାକୁ ଚଳିତ ବର୍ଷ ମାର୍ଚ ୧୯ ଓ ମେ’ ୭ରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍‌ ଭାବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ୪୨ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି। ସେଥିରୁ ମାତ୍ର ୧୨ ହଜାର କୋଟି ଟଙ୍କା ଖର୍ଚ କରାଯାଇଛି। ବିଭିନ୍ନ ନିର୍ମାଣ କାମରେ ଖର୍ଚର ୧%କୁ ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍‌ ଭାବେ ଆଦାୟ କରାଯାଉଛି। ସଂଗୃହୀତ ଅର୍ଥକୁ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ଦିଗରେ ଖର୍ଚ କରାଯିବା କଥା। ଯେହେତୁ ଏହି ପାଣ୍ଠିର ପୂର୍ଣ୍ଣ ବିନିଯୋଗ ହୋଇପାରୁନାହିଁ, ତେଣୁ ଏକ ସ୍ୱତନ୍ତ୍ର ସ୍କିମ୍‌ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

• ମାଗଣା ବୀମା ସୁବିଧା
• ପିଲାମାନଙ୍କୁ ସ୍କଲାରସିପ୍‌
• ମେଡିକାଲ୍‌ ଖର୍ଚ ଫେରସ୍ତ ମିଳିବ

ଚିଠା ସ୍କିମ୍‌ରେ ବ୍ୟବସ୍ଥା ରହିଛି ଯେ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ବୀମା ସୁରକ୍ଷା ପ୍ରଦାନ କରାଯିବ। ପ୍ରତି ହିତାଧିକାରୀଙ୍କ ପାଇଁ ଦରକାର ହେଉଥିବା ୧୭୧ ଟଙ୍କାର ପ୍ରିମିୟମ୍‌କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧା ଅଧା ପ୍ରଦାନ କରିବେ। ହିତାଧିକାରୀଙ୍କ ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ନିର୍ମାଣ ଶ୍ରମିକଙ୍କ ପରିବାରର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍‌ ଖର୍ଚକୁ କଲ୍ୟାଣ ବୋର୍ଡ ଜରିଆରେ ଫେରସ୍ତ କରାଯିବ। ସେହିପରି ଏହି ସ୍କିମ୍‌ରେ ୯-୧୨ ଶ୍ରେଣୀର ଦୁଇ ଜଣ ପିଲାଙ୍କୁ ବାର୍ଷିକ ୩ ହଜାର ଟଙ୍କା ଓ ଉଚ୍ଚ ଶିକ୍ଷା ପାଇଁ ୧୨ ହଜାର ଟଙ୍କାର ସ୍କଲାରସିପ୍‌ ପ୍ରଦାନ କରାଯିବ। ଏହା ବ୍ୟତୀତ ଏହି ସ୍କିମ୍‌ରେ ହାଉସିଂ ଓ ଦକ୍ଷତା ବିକାଶ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ମାସିକ ୧୦୦୦ ଟଙ୍କାର ପେନ୍‌ସନ୍‌ ପାଇବାକୁ ହେଲେ ନିର୍ମାଣ ଶ୍ରମିକମାନଙ୍କୁ କଲ୍ୟାଣ ବୋର୍ଡରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର